ମୋଦୀ-ନବୀନ ମୁହାଁମୁହିଁ : ନବୀନ ବାବୁ! ଆପ୍‌ ଯା ରହେ ହୋ

ଓଡ଼ିଶା ପରିବର୍ତ୍ତନ ପାଇଁ ବ୍ୟଗ୍ର ଅଛି, ପୂରା ଓଡ଼ିଶାରେ ପଦ୍ମ ଫୁଟି ସାରିଲାଣି, ସରକାର ଆସିଲେ, ଓଡ଼ିଶା ଆସିବେ

କେନ୍ଦ୍ରାପଡା/ବାଲେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବାଲେଶ୍ବର ଓ କେନ୍ଦ୍ରାପଡା ଜିଲ୍ଲାକୁ ନିର୍ବାଚନ ପ୍ରଚାରରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଚ୍ଛନ୍ନ ଧମକ େଦଇ ଯାଇଛନ୍ତି। ଭାରତର ପ୍ରାୟ ସବୁ ଅଣବିେଜପି ମୁଖ୍ୟମନ୍ତ୍ରୀଙ୍କ ନାଁ ଧରି କଡ଼ା ଭାଷାରେ ସମାେଲାଚନା କରୁଥିବା ପ୍ରଧାନମନ୍ତ୍ରୀ କିନ୍ତୁ ନବୀନଙ୍କର ନାଁ େନଉନଥିଲେ। ଏପରିକି ନିର୍ବାଚନ ପ୍ରଚାରରେ ଆସିବା ବେଳେ ବି ପୂର୍ବ ସଭାମାନଙ୍କରେ ଏହା େଦଖାଯାଇନଥିଲା। ଆଜି କିନ୍ତୁ େମାଦୀ ଏଭଳି କଠୋର ଥିଲେ େଯ ସିଧା ସିଧା କହିଥିଲେ, ଏଥର ନବୀନବାବୁ ଶାସନରୁ ବିଦା ହେବା ନିଶ୍ଚିତ। ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର ବେଳେ ସେ ମର୍ଯ୍ୟାଦା ପାଳନ କରି ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିବାରୁ ବିରତ ରହିଥିଲେ। ଓଡ଼ିଶାରେ ଏତେବର୍ଷ ଧରି ଶାସନ କରିଥିବାରୁ ତାଙ୍କର ବିଦାୟ ସସମ୍ମାନରେ ହେଉ ବୋଲି ଚାହିଁଥିଲେ। ସେ ଅପମାନିତ ହୋଇ ବିଦାୟ ନ ନିଅନ୍ତୁ ବୋଲି ଚାହିଁଥିଲେ। ନବୀନବାବୁଙ୍କ ଇଜ୍ଜତକୁ ଆଘାତ ନ ଦେବା ଉଦ୍ଦେଶ୍ୟରେ ସେ ଚୁପ୍ ରହିଥିଲେ। କିନ୍ତୁ ଗତ ୧୦-୧୨ ଦିନ ମଧ୍ୟରେ ପଶ୍ଚିମବଙ୍ଗ ଭଳି ଓଡ଼ିଶାରେ ରାଜନୈତିକ ହିଂସା ବଢ଼ିଚାଲିଛି, ଆଉ ତାଙ୍କର କିଛି ହାତଗଣତି ଅଫିସର ଆଖିରେ କପଡ଼ା ବାନ୍ଧି ବସିଛନ୍ତି। ନିର୍ବାଚନ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି। ନବୀନବାବୁ ଏଥର ବିଦା ହେବା ନିଶ୍ଚିତ। ତାଙ୍କ ହାତଗଣତି ଅଫିସରମାନେ ତାଙ୍କୁ ରକ୍ଷା କରିପାରିବେ ନାହିଁ। ଓଡ଼ିଶାର ଲୋକମାନେ ଅତିଥିଙ୍କୁ ବିଦାୟ ଦେବାବେଳେ ହାତଯୋଡ଼ି ବିଦା କରିଥାନ୍ତି। କିନ୍ତୁ ଲୋକେ ଏବେ ଆକ୍ରୋଶର ସହ ନବୀନବାବୁଙ୍କୁ ବିଦା କରିବେ। ନବୀନ ପଟ୍ଟନାୟକ ଏହି ଆକ୍ରୋଶରୁ ଆଉ ବର୍ତ୍ତିପାରିବେନି। ଓଡ଼ିଶାରେ ବିଜେଡି ଯିବା ଓ ବିଜେପି ଆସିବା ନିଶ୍ଚିତ ବୋଲି ମୋଦୀ କହିଥିଲେ। ଏହା ତାଙ୍କର ଶେଷ ନିର୍ବାଚନୀ ପ୍ରଚାରଗସ୍ତ। ପୁନର୍ବାର ତାଙ୍କ ସରକାର କ୍ଷମତାକୁ ଆସିଲେ ସେ ଓଡ଼ିଶା ଆସିବେ ବୋଲି ମୋଦୀ କହିଥିଲେ।

କେନ୍ଦ୍ରାପଡାର ବାରୁଅ ପଡିଆରେ ଆୟୋଜିତ ନିର୍ବାଚନୀ ସମାବେଶରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ, ତାଙ୍କ ସରକାର କ୍ଷମତାକୁ ଆସିଲେ ଉଦ୍ୟୋଗର ବିକାଶ ସମ୍ଭବ ହେବ। ସାଗରମାଳା ଯୋଜନା, ରେଳପଥ ସଂଯୋଗ, ବ୍ରାହ୍ମଣୀନଦୀରେ ଜଳପଥର ବିକାଶ କରି ଧାମରା, ପାରାଦ୍ବୀପ ବନ୍ଦରକୁ ସଂଯୋଗ ରାସ୍ତା ଫିଟିବ । କମ୍ ଖର୍ଚ୍ଚରେ ନୌବାଣିଜ୍ୟ କାରବାରରେ ବ୍ୟବସାୟୀ, ଶିଳ୍ପପତି ଫାଇଦା ପାଇବେ। ବିକାଶର ଡବଲ ଇଂଜିନ୍ ଓଡ଼ିଶାରେ ଚାଲିବ ଓ ସାଢେ଼ ୪ ଲକ୍ଷ ପରିବାରକୁ ଆୟୁଷ୍ମାନ ଯୋଜନାର ସୁବିଧା ମିଳିବ ବୋଲି ମୋଦୀ ପ୍ରତିଶ୍ରୁତି ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ସିଧା‌ସଳଖ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଥିଲେ, ‘‘ନବୀନ ବାବୁ! ଆପ୍‌ ଯା ରହେ ହୋ।’’ ଏହା ସଭାରେ କୌତୂହଳ ସୃଷ୍ଟି କରିଥିଲା।

ସଭାରେ ଉପସ୍ଥିତ କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ତା, କେନ୍ଦ୍ରାପଡ଼ା ବିଧାନସଭା ପ୍ରାର୍ଥୀ ସୁନାକର ବେହେରା, ଆଳିରୁ ଦୋଳ ଗୋବିନ୍ଦ ନାୟକ, ରାଜନଗରରୁ ଅଲେଖ ଚନ୍ଦ୍ର ଜେନା, ମହାକାଳପଡ଼ାରୁ ବିଜୟ ପ୍ରଧାନ, ମାହାଙ୍ଗାରୁ ଶାରଦା ପ୍ରଧାନ, ସାଲେପୁରରୁ ପ୍ରକାଶ ବେହେରାଙ୍କୁ ପଦ୍ମ ଫୁଲରେ ଭୋଟ ଦେବାକୁ ମୋଦୀ ନିବେଦନ କରିଥିଲେ । ରାଜ୍ୟ ବିଜେପି ଉପସଭାପତି ଭୁବନ ମୋହନ ଜେନାଙ୍କ ସଂଯୋଜନା ଓ ଜିଲ୍ଲା ସଭାପତି ଦୁର୍ଯ୍ୟୋଧନ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ପାଟକୁରାର ବିଧାନସଭା ପ୍ରାର୍ଥୀ ବରିଷ୍ଠ ନେତା ବିଜୟ ମହାପାତ୍ର, ବରିଷ୍ଠ ନେତା ଡା. ଦାମୋଦର ରାଉତ, ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ । ସଭା ମଂଚରେ ଓଡ଼ିଶା ପ୍ରଭାରୀ ତଥା ଦଳର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅରୁଣ ସିଂହ, ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ପ୍ରମୁଖ ମଂଚାସୀନ ଥିଲେ।

ପରେ ବାଲେଶ୍ୱର ଜିଲ୍ଲା ବସ୍ତା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାହାର୍ଦାରେ ଥିବା କୃଷି ଫାର୍ମ ପଡ଼ିଆରେ ବିଜେପି ପକ୍ଷରୁ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର େମାଦୀ ପୁଣି ଗର୍ଜନ ତର୍ଜନ କରିଥିଲେ। କହିଥିଲେ, ‘ବାଲେଶ୍ୱର ଭାରତକୁ ବହୁ ବରପୁତ୍ର ଦେଇଛି। ମୋତେ ଖୁସି ଲାଗୁଛି କି ଓଡ଼ିଶାର ଲୋକଙ୍କ ଇଚ୍ଛା ପୂରଣ ହେବାକୁ ଯାଉଛି। ଏଥର ପୂରା ଓଡ଼ିଶାରେ ପଦ୍ମ ଫୁଟି ସାରିଲାଣି। ପ୍ରଥମ ଦୁଇଟି ପର୍ଯ୍ୟାୟ ନିର୍ବାଚନ ପରେ ଏହା ସ୍ପଷ୍ଟ ହୋଇଯାଇଛି ଯେ ଓଡ଼ିଶାରେ ପରିବର୍ତ୍ତନ ହେବାକୁ ଯାଉଛି। ଏହି କାରଣରୁ ଏଥର ବିଜେଡିର ନିଦ ହଜିଯାଇଛି’।

ପ୍ରଧାନମନ୍ତ୍ରୀ କହିଥିଲେ, ଓଡ଼ିଶା ପରିବର୍ତ୍ତନ ପାଇଁ ବ୍ୟଗ୍ର ଅଛି। ପ୍ରଥମ ୨ଟି ପର୍ଯ୍ୟାୟ ଭୋଟ୍‌ପରେ ଓ ସଭାରେ ଜନତାଙ୍କ ଭିଡ଼ ଦେଖି ଜଣାଯାଉଛି ଓଡ଼ିଶାରେ ପରିର୍ତ୍ତନ ହେବ। ଓଡ଼ିଶାର ଲୋକ ଏବେ ଜାଣିଗଲେଣି ଯେ ନବୀନ ସରକାର ବଦଳିବା ଦରକାର। ଓଡ଼ିଶାର ବିକାଶ ପାଇଁ ଆମ ପାଖରେ ବ୍ୟାପକ ଯୋଜନା ଅଛି। ବିଜେଡି ନେତାମାନେ ଖଣିଠାରୁ ଚିଟ୍‌ଫଣ୍ଡ ପର୍ଯ୍ୟନ୍ତ ଭ୍ରଷ୍ଟାଚାରରେ ସଂପୃକ୍ତ।

ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳବିହାରୀ ବାଜପେୟୀ କହିଥିବା ‘ଅଂଧେରା ଛୁଟେଗା-ସୂରଜ ନିକ୍‌ଲେଗା-କମଲ ଖିଲେଗା’ ଉକ୍ତି ମନେ ପକାଇ ଏବେ ଓଡ଼ିଶାରେ କମଲ ଅର୍ଥାତ୍‌ ପଦ୍ମ ଫୁଟିବାକୁ ଯାଉଛି ବୋଲି ମୋଦୀ ଓଡ଼ିଶାବାସୀଙ୍କ ଉପରେ ଭରସା ରଖିଥିବା କହିଥିଲେ। ଆହୁରି କହିଥିଲେ, ‘ମିସନ ଶକ୍ତି’ର ସଫଳତା ବାଲେଶ୍ୱରକୁ ସମଗ୍ର ବିଶ୍ବରେ ଗୌରବାନ୍ବିତ କରିଛି। ଉପଗ୍ରହ ଭେଦି ଏହି ମିଜାଇଲ ବାଲେଶ୍ବର ମାଟିରୁ ପରୀକ୍ଷା ପରେ ସମଗ୍ର ଦେଶବାସୀ ଯେତେବେଳେ ଖୁସି ମନାଉଥିଲେ, ସେତେବେଳେ ମହା ଗଠବନ୍ଧନ କରିଥିବା ବିରୋଧୀଙ୍କ ମହଲରେ ନିରାଶାଭାବ ଦେଖାଦେଇଥିଲା। ତେଣୁ ନୂଆ ଭାରତ ପାଇଁ ତାଙ୍କ ସରକାରର ଆଭିମୁଖ୍ୟ ସ୍ପଷ୍ଟ ରହିଛି।

ଓଡ଼ିଶାକୁ ଭ୍ରଷ୍ଟାଚାରମୁକ୍ତ କରିବାକୁ ଡବଲ ଇଂଜିନ ଦରକାର ବୋଲି କହିଥିଲେ ପ୍ରଧାନମନ୍ତ୍ରୀ। ୫ ବର୍ଷ ବିଜେପିକୁ ସୁଯୋଗ ଦିଅନ୍ତୁ। ୨୦ ବର୍ଷରେ ଯାହାବିକାଶ ହୋଇଛି ତାର ୫ ଗୁଣା ଅଧିକ ଭଲ କାମ କରି ଦେଖାଇବେ ବୋଲି ଆଶା େଦଖାଇଥିଲେ।

ସମ୍ବନ୍ଧିତ ଖବର