ଲେଫ୍ରିପଡ଼ା: ଫେବ୍ରୁଆରି ୩ ତାରିଖ ଓଡ଼ିଶା ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏନ୍‌ଟିପିସି ଦର୍ଲିପାଲି ସୁପର ଥର୍ମାଲ ପାଓ୍ବାର ଷ୍ଟେସନ(୨୮୦୦ ମେଗାୱାଟ୍‌) ଏବଂ ଏନ୍ଏସ୍‌ପିସିଏଲ୍ ରାଉରକେଲା ପିପି-୨ ସମ୍ପ୍ରସାରଣ ପ୍ରକଳ୍ପ(୧୨୫୦ ମେଗାୱାଟ୍‌)କୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଏନ୍‌ଟିପିସି ତାଳଚେର ଥର୍ମାଲ ବିଦ୍ୟୁତ୍‌ ପ୍ରକଳ୍ପ ଷ୍ଟେଜ୍-୩ (୨୬୬୦ ମେଗାୱାଟ୍‌)ର ଶିଳାନ୍ୟାସ କରିବେ। ଏହି ସମସ୍ତ ପ୍ରକଳ୍ପ ନିମନ୍ତେ ୨୮ ହଜାର ୯୭୮ କୋଟି ଟଙ୍କା ବିନିଯୋଗ ହେବ।ସୂଚନାଯୋଗ୍ୟ ଯେ, ଦର୍ଲିପାଲି ଏସ୍‌ଟିପିପି ହେଉଛି ସୁପରକ୍ରିଟିକାଲ( ଅତ୍ୟନ୍ତ ଦକ୍ଷ) ଜ୍ଞାନକୌଶଳ ସମ୍ପନ୍ନ ଏକ ପିଟ୍ ହେଡ୍ ପାୱାର ଷ୍ଟେସନ। ଏହା ଓଡ଼ିଶା, ବିହାର, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଗୁଜରାଟ ଓ ସିକିମ ଭଳି ରାଜ୍ୟଗୁଡ଼ିକୁ କମ୍ମୂଲ୍ୟରେ ବିଜୁଳି ଯୋଗାଉଛି।

Advertisment

ରାଉରକେଲା ଇସ୍ପାତ କାରଖାନା(ଆର୍‌ଏସ୍‌ପି)ରେ ଏନ୍‌ଟିପିସି-ସେଲ୍‌ ପାୱାର କମ୍ପାନି ଲିମିଟେଡର ୨୫୦ ମେଗାଓ୍ବାଟ୍ ପ୍ରକଳ୍ପ ପ୍ରତିଷ୍ଠା କରାଯାଇଛି; ଯାହା ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଗୁରୁତ୍ବପୂର୍ଣ୍ଣ ଇସ୍ପାତ କାରଖାନାକୁ ନିର୍ଭରଯୋଗ୍ୟ ଶକ୍ତି ପ୍ରଦାନ କରିବ। ଏହାବ୍ୟତୀତ ଏନ୍‌ଟିପିସି ଓଡ଼ିଶାର ଅନୁଗୁଳ ଜିଲ୍ଲାର ପୁରୁଣା ଟିଟିପିଏସ୍ ପ୍ଲାଣ୍ଟ ପରିସରରେ ତାଳଚେର ଥର୍ମାଲ ପାୱାର ପ୍ରୋଜେକ୍ଟ, ଷ୍ଟେଜ୍-୩ ନିର୍ମାଣ କରୁଛି, ଯାହାକୁ ଏନ୍‌ଟିପିସି ୧୯୯୫ ମସିହାରେ ଓଡ଼ିଶା ରାଜ୍ୟ ବିଦ୍ୟୁତ୍ ବୋର୍ଡଠାରୁ ଅଧିଗ୍ରହଣ କରିଥିଲା। ଦେଶ ପାଇଁ ୫୦ ବର୍ଷରୁ ଅଧିକ ସେବା ପ୍ରଦାନ କରିବା ପରେ ପୁରୁଣା ଟିଟିପିଏସ୍ କାରଖାନାକୁ ଅଚଳ କରି ଦିଆଯାଇଥିଲା। ନିର୍ମାଣହେବାକୁ ଥିବା ଏହି ନୂତନ ପ୍ଲାଣ୍ଟରେ ଅତ୍ୟନ୍ତ ଦକ୍ଷ ଅଲଟ୍ରା ସୁପରକ୍ରିଟିକାଲ ଟେକ୍ନୋଲୋଜି ଆଧାରିତ ୟୁନିଟ୍ ଏବଂ ଏହି ପ୍ଲାଣ୍ଟର କ୍ଷମତା ପୁରୁଣା ଟିଟିପିଏସ୍ ପ୍ଲାଣ୍ଟର କ୍ଷମତାଠାରୁ ତିନିଗୁଣ ଅଧିକ ରହିବ। ଏହି ପ୍ରକଳ୍ପର ୫୦ ପ୍ରତିଶତ କ୍ଷମତା ଓଡ଼ିଶାରାଜ୍ୟକୁ ସମର୍ପିତ ହୋଇଥିବାବେଳେ ତାମିଲନାଡୁ, ଗୁଜରାଟ ଓ ଆସାମ ମଧ୍ୟ ଏହି ପିଟ୍ ହେଡ୍ ଷ୍ଟେସନରୁ କମ୍ ମୂଲ୍ୟରେ ବିଜୁଳି ପାଇବେ। ସମସ୍ତ ଆଧୁନିକ ପରିବେଶ ବୈଶିଷ୍ଟ୍ୟ ସହିତ ଏହି ପ୍ରକଳ୍ପ ନିର୍ମାଣ କରାଯାଉଛି। ଏହା ଦ୍ଵାରା କମ୍ କୋଇଲା ବ୍ୟବହାର ହେବ ଓ କମ୍ ଅଙ୍ଗାରକାମ୍ଳ ନିର୍ଗମନ ହେବ।