ନିର୍ବାଚନ ପ୍ରଚାର ପାଇଁ ଆଜି ପୁଣିଥରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ

ଭୁବନେଶ୍ବର/ସୁନ୍ଦରଗଡ଼/ସୋନପୁର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ବାଚନ ପ୍ରଚାର ପାଇଁ ଆସନ୍ତାକାଲି ପୁଣିଥରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସେ ସୁନ୍ଦରଗଡ଼ ଓ ସୋନପୁର ୨ଟି ନିର୍ବାଚନୀ ସଭାରେ ଯୋଗଦେଇ ନିଜ ଦଳ ବିଜେପି ସପକ୍ଷରେ ପ୍ରଚାର କରିବେ। ଏଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି।

ସୁନ୍ଦରଗଡ଼ କାର୍ଯ୍ୟସୂଚୀ ଅନୁଯାୟୀ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଶନିବାର ସକାଳ ୮ଟା ୪୫ରେ ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତିକ ବିମାନ ବନ୍ଦରରୁ ଝାରସୁଗୁଡ଼ା ଅଭିମୁଖେ ବାହାରିବେ। ଠିକ୍‌ ୧୦ଟା ୨୫ରେ ସେ ଝାରସୁଗୁଡ଼ାସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଓହ୍ଲାଇବା ପରେ ୧୦ଟା ୩୦ରେ ବିମାନ ବନ୍ଦରରେ ପୂର୍ବରୁ ପ୍ରସ୍ତୁତ ଥିବା ବାୟୁ ସେନାର ସ୍ବତନ୍ତ୍ର ହେଲିକପ୍ଟରରେ ବାହାରି ୧୦ଟା ୫୫ରେ ସୁନ୍ଦରଗଡ଼ କିରେଇ ନିକଟସ୍ଥ ରୁପିଡିହି ଛତାବର ପଡ଼ିଆରେ ଓହ୍ଲାଇବେ। ପୂର୍ବାହ୍ନ ୧୧ଟାରେ ସେଠା‌ରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀମାନଙ୍କ ସପକ୍ଷରେ ଭୋଟ ମାଗିବେ। ସେ ଏଠାରେ ୪୦ ମିନିଟ୍‌ ରହିବେ ବୋଲି କାର୍ଯ୍ୟସୂଚୀରୁ ଜଣାପଡ଼ିଛି।

ଏହାପରେ, ପ୍ରଧାନମମନ୍ତ୍ରୀ ମଧ୍ୟାହ୍ନ ୧୨ଟା ୫୦ରେ ସୋନପୁର ହେଲିପ୍ୟାଡରେ ପହଞ୍ଚ‌ି‌ବେ। ହେଲିପ୍ୟାଡରୁ ୧୨ଟା ୫୫ରେ ଛାଡ଼ିବେ ଏବଂ ଷ୍ଟାଡିୟମର ସଭାସ୍ଥଳକୁ ଦିନ ୧ଟାରେ ପହଞ୍ଚିବେ। ସେଠାରେ ବିଜୟ ସଙ୍କଳ୍ପ ସମାବେ‌ଶରେ ଉଦ୍‌ବୋଧନ ଦେବେ।

ତତ୍କାଳୀନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖରଙ୍କ ସୋନପୁର ଗସ୍ତର ୨୮ ବର୍ଷ ପରେ ପ୍ରଧାନମନ୍ତ୍ରୀ ମୋଦୀ ଆସୁଥିବାରୁ ରାଜନୈତିକ ମାହୋଲ ଚଳଚଞ୍ଚଳ ହୋଇଛି।

ସମ୍ବନ୍ଧିତ ଖବର