ଆଜି ଆସୁଛନ୍ତି ମୋଦୀ

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିନ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସାମୁଦ୍ରିକ ଝଡ଼ ‘ଫନି’ ଦ୍ବାରା ଭୀଷଣ ଭାବେ କ୍ଷତିଗ୍ରସ୍ତ ହୋଇଥିବା ପୁରୀ ଓ ଭୁବନେଶ୍ବରକୁ ଆକାଶ ମାର୍ଗରୁ ପ୍ରଧାନମନ୍ତ୍ରୀ ନୀରିକ୍ଷଣ କରିବେ। ମିଳିଥିବା ସୂଚନା ଅନୁଯାୟୀ ସକାଳ ୮ଟା ୨୫ରେ ପ୍ରଧାନମନ୍ତ୍ରୀ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ। ସେଠାରୁ ସ୍ବତନ୍ତ୍ର ହେଲିକପ୍ଟର୍ ଯୋଗେ ଭୁବନେଶ୍ବର ଓ ପୁରୀକୁ ଆକାଶ ମାର୍ଗରୁ ଦେଖିବେ। ତାହା ପରେ ବିମାନବନ୍ଦରରେ ପହଞ୍ଚି ପ୍ରାୟ ଏକ ଘଣ୍ଟା କ୍ଷୟକ୍ଷତି ଓ ପୁନରୁଦ୍ଧାରର ସମୀକ୍ଷା କରିବେ। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ‌େମତ କେନ୍ଦ୍ର ଓ ରାଜ୍ୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିବେ। ବିମାନବନ୍ଦରରେ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ ପାଇଁ ସ୍ବତନ୍ତ୍ର ଭାବେ ଆୟୋଜନ କରାଯାଇଛି। ଯଦିଓ ପ୍ରଧାନମନ୍ତ୍ରୀଙ୍କର ବିମାନବନ୍ଦର ବାହାରକୁ ଆସିବାର କାର୍ଯ୍ୟକ୍ରମ ନାହିଁ, ତଥାପି ତାଙ୍କ ସୁରକ୍ଷା ପାଇଁ କମିସନରେଟ୍‌ ପୁଲିସ୍ ପକ୍ଷରୁ ଆବଶ୍ୟକ ବନ୍ଦୋବସ୍ତ କରାଯାଇଛି।

ସମ୍ବନ୍ଧିତ ଖବର