ଆଜି ଆସୁଛନ୍ତି ପ୍ରଧାନମନ୍ତ୍ରୀ : କଟକ ସହରରେ ଟ୍ରାଫିକ୍‌ କଟକଣା, ସଭାକୁ ପାଣି ବୋତଲ, ବ୍ୟାଗ୍‌ ନିଷେଧ

ପ୍ରଧାନମନ୍ତ୍ରୀ ନିଜର ଉତ୍ତରଦାୟିତ୍ୱ ନିର୍ବାହ ପାଇଁ ଆସୁଛନ୍ତି: ଧର୍ମେନ୍ଦ୍ର

କଟକ : ‘ଜନକଲ୍ୟାଣ ସମାବେଶ’ରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି କଟକ ଗସ୍ତରେ ଆସୁଛନ୍ତି। ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କର ଚାରି ବର୍ଷ ପୂର୍ତ୍ତି ଅବସରରେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ଏବଂ ବିକାଶ ସଂପର୍କରେ ବିବରଣୀ ଦେବେ ବୋଲି ଦଳ ପକ୍ଷରୁ କୁହାଯାଇଛି।

ଏଥିପାଇଁ ପ୍ରସ୍ତୁତି ସମ୍ପୂର୍ଣ୍ଣ ଶେଷ ହୋଇଛି। ତେବେ ଶ୍ରୀ ମୋଦି ଉଦ୍‌ବୋଧନ ଦେବାକୁ ଥିବା ସଭାମଞ୍ଚରେ ମଧ୍ୟ କିଛିଟା ପରିବର୍ତ୍ତନ କରାଯାଇଛି। ଅନ୍ୟ ବରିଷ୍ଠ ନେତୃବୃନ୍ଦଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ୧୮ବର୍ଷ ଶାସନରେ ବିଜେଡି ସରକାର ରାଜ୍ୟରେ ବୁନ୍ଦାଏ ପାଣି ସଂରକ୍ଷଣ ପାଇଁ କିଛି କରି ନଥିବାବେଳେ ଏବେ ମହାନଦୀକୁ ନେଇ କୁମ୍ଭୀର କାନ୍ଦଣା କାନ୍ଦୁଛି। ମହାନଦୀ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ବର୍ଷ ତଳେ ବରଗଡ଼ ସମାବେଶରେ ସ୍ପଷ୍ଟ ଆଭିମୁଖ୍ୟ ରଖିଥିଲେ। ଉତ୍ତରପ୍ରଦେଶ ପରେ ଓଡ଼ିଶାରେ ସର୍ବାଧିକ ଜଳସଂପଦ ରହିଥିବା ବେଳେ ବିଜେଡି ସରକାର ଏହାର ବିକାଶ ପାଇଁ କ’ଣ କରିଛି ବୋଲି ସେ ପାଲଟା ପ୍ରଶ୍ନ କରିିଥିଲେ। ପ୍ରଧାନମନ୍ତ୍ରୀ ମୋଦି ନିଜ ଉତ୍ତରଦାୟିତ୍ୱ ନିର୍ବାହ ପାଇଁ କଟକ ଆସୁଛନ୍ତି ବୋଲି ଶ୍ରୀ ପ୍ରଧାନ କହିଥିଲେ।

ଶ୍ରୀ ପ୍ରଧାନଙ୍କ ସହ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦେ, ରାଜ୍ୟ ସଂପାଦକ ଭୃଗୁ ବକ୍ସିପାତ୍ର, ରାଜ୍ୟ ଉପସଭାପତି ନୟନ କିଶୋର ମହାନ୍ତି, ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହଦେଓ, ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର, ରାଷ୍ଟ୍ରୀୟ ସହସଂଗଠନ ମହାମନ୍ତ୍ରୀ ସୌଦାନ ସିଂହ, ରାଜ୍ୟ ସଭାପତି ବସନ୍ତ ପଣ୍ଡା, ମୁଖପାତ୍ର ଗୋଲଖ ମହାପାତ୍ର, ସଂପାଦକ ଧୀରେନ୍‌ ସେନାପତି, ରଞ୍ଜନ ପଲେଇ, ଦିଲ୍ଲୀପ ମହାନ୍ତି, ଦିଲ୍ଲୀପ ମଲ୍ଲିକ, ମାନସ ମହାନ୍ତି, ଅନନ୍ତ ନାୟକ, ଅମିତାଭ ଚକ୍ରବର୍ତ୍ତୀ, ନଗର ସଭାପତି ଲକ୍ଷ୍ମୀଧର ମହାନ୍ତି, ରାଜ୍ୟ ଯୁବମୋର୍ଚ୍ଚା ଉପସଭାପତି ସିକନ୍ଦର ଅଲ୍ଲୀ, ନଗର ବିଜେବି ମୁଖପାତ୍ର ଜୟଦେବ ପୃଷ୍ଟି, କର୍ପୋରେଟର ଚିତ୍ତରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପାଇଁ ସୁରକ୍ଷା ଦୃଷ୍ଟିରୁ ସଭାସ୍ଥଳକୁ ପାଣି ବୋତଲ, ହ୍ୟାଣ୍ଡ ବ୍ୟାଗ୍‌ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି। ସଭାସ୍ଥଳ ଭିତରେ ପାଣି ଯୋଗାଣ ବ୍ୟବସ୍ଥା କରାଯାଇଛି। ସଭାସ୍ଥଳକୁ ଯିବା ପାଇଁ ୧୨ଟି ପ୍ରବେଶ ପଥ କରାଯାଇଛି। ପ୍ରତ୍ୟେକ ପ୍ରବେଶ ପଥରେ ସିସି କ୍ୟାମେରା ଖଞ୍ଜା ଯାଇଛି। ସମସ୍ତ ଗତିବିଧି ଉପରେ କଡ଼ା ନଜର ରଖିବା ପାଇଁ ପୁଲିସ ବିଭାଗ ପକ୍ଷରୁ ୪ଟି କଣ୍ଟ୍ରୋଲ୍‌ ରୁମ୍‌ ଖୋଲାଯାଇଛି। କଣ୍ଟୋଲ୍‌ରୁମ୍‌ରୁ କ୍ୟାମେରା ସଭାମଞ୍ଚ ଉପରେ ତୀକ୍ଷ୍ଣ ନଜର ରଖାଯିବ। ଆଜି ଅପରାହ୍ନରେ ଭୁବନେଶ୍ୱର ଏୟାରପୋର୍ଟରୁ କଟକ ୧୬ ନମ୍ବର ଜାତୀୟ ରାଜପଥରେ ମକ୍‌ଡ୍ରିଲ୍‌ କରାଯାଇଥିଲା। ଏଥିରେ ପ୍ରଧନମନ୍ତ୍ରୀଙ୍କ କାର୍‌କେଡ୍‌ର ୨୨ଟି ଗାଡ଼ି ସାମିଲ ହୋଇଥିଲା। ପରେ ବାଲିଯାତ୍ରା ତଳ ପଡ଼ିଆରୁ ଉପର ପଡ଼ିଆ ପର୍ଯ୍ୟନ୍ତ ଆଉ ଏକ ମକ୍‌ଡ୍ରିଲ୍‌ କରାଯାଇଥିଲା। ଅନ୍ୟପଟେ କମିସନରେଟ୍‌ ପୁଲିସ ପକ୍ଷରୁ ବାରବାଟି ଷ୍ଟାଡିୟମ୍‌ରେ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଚୂଡ଼ାନ୍ତ ସମୀକ୍ଷା କରାଯାଇଥିଲା। ସୁରକ୍ଷା ବ୍ୟବସ୍ଥାରେ ୬୧ ପ୍ଲାଟୁନ୍‌ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି। ଜରୁରୀକାଳୀନ ସ୍ଥିତିର ମୁକାବିଲା ପାଇଁ ଅତିରିକ୍ତ ୧୦ ପ୍ଲାଟୁନ୍‌ ଫୋର୍ସ ପ୍ରସ୍ତୁତ କରି ରଖାଯାଇଛି। ଏହା ବାଦ୍‌ ୫ଟି ସ୍ପେଶାଲ ଟାକ୍‌ଟିକାଲ୍‌ ଟିମ୍‌, ୫ଟି ବୋମା ନିଷ୍କ୍ରିୟକାରୀ ଟିମ୍‌, ୫ଟି ସ୍ପେଶାଲ ଆକ୍ସନ୍‌ ଫୋର୍ସ, ୨ଟି ଓଡ୍ରାଫ୍‌ ଟିମ୍‌, ୫ଟି ସ୍ପେଶାଲ ଆକ୍ସନ ଫୋର୍ସଙ୍କୁ ଆସନ୍ତାକାଲି ପାଇଁ ନିଯୁକ୍ତ କରାଯାଇଛି। ପୂରା ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିବାକୁ ୩ ଜଣ ଆଇପିଏସ୍‌ ଏବଂ ୪ ଜଣ କମାଣ୍ଡାଣ୍ଟ ଦାୟିତ୍ୱରେ ରହିବେ।

ସଭାସ୍ଥଳ ଚାରିପଟେ ତ୍ରିସ୍ତରୀୟ ବ୍ୟାରିକେଡ୍‌ ବ୍ୟବସ୍ଥା କରାଯିବ। ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ମୋଟ ୧୨ଟି ପ୍ରବେଶ ପଥ କରାଯାଇଛି। ଗଣମାଧ୍ୟମ ପ୍ରତିନିଧି, ମହିଳା, ସାଧାରଣ ଲୋକ ଏବଂ ଭିଆଇପିଙ୍କ ପୃଥକ୍‌ ପ୍ରବେଶ ପଥ କରାଯାଇଛି। ଭିତରକୁ ପାଣି ବୋତଲ ନେବା ନିଷିଦ୍ଧ ହୋଇଥିବାବେଳେ ଏକ ଘରୋଇ ସଂସ୍ଥା ଦ୍ୱାରା ପାଣି ବଣ୍ଟାଯିବ। ନରାଜସ୍ଥିତ ଆଇବି ଏବଂ ହାଇକୋର୍ଟର ଗେଷ୍ଟ ହାଉସ୍‌କୁ ‘ସେଫ ହାଉସ୍‌’ ଭାବେ ପ୍ରସ୍ତୁତ କରାଯାଇଛି। ଏଠାରେ ସୁରକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ କଡ଼ାକଡ଼ି କରାଯାଇଛି। ସଭାସ୍ଥଳରେ କୌଣସି ଅଘଟଣ କିମ୍ବା ଜରୁରିକାଳୀନ ପରିସ୍ଥିତି ସୃଷ୍ଟି ହେଲେ, ପ୍ରଧାନମନ୍ତ୍ରୀଙ୍କ ସମେତ ଅନ୍ୟ ମନ୍ତ୍ରୀଙ୍କୁ ତୁରନ୍ତ ଉକ୍ତ ସ୍ଥାନକୁ ସୁରକ୍ଷିତ ଭାବେ ନିଆଯିବା ସମ୍ପର୍କରେ ଆଜି କମିସନରେଟ୍‌ ପୁଲିସ ବୈଠକରେ ନିଷ୍ପତ୍ତି ହୋଇଛି। ଆସନ୍ତାକାଲି ଦିନ ୧ଟାରୁ ସମାବେଶ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅପରାହ୍ନ ୪ଟାରେ ସଭାସ୍ଥଳରେ ପହଞ୍ଚି ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।

ହେଲିକପ୍ଟର ଜଗିବ ୩ ଅଗ୍ନିଶମ ଗାଡ଼ି

ଅଗ୍ନିଶମ ବିଭାଗ ପକ୍ଷରୁ ଅଗ୍ନି ନିରାପତ୍ତା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ବାଲିଯାତ୍ରା ଉପର ପଡ଼ିଆରେ ୪ଟି ଅଗ୍ନିଶମ ଗାଡ଼ି ସଜାଗ ରହିବ। ଏଥିରେ ଅଫିସର ଏବଂ କର୍ମଚାରୀଙ୍କୁ ମିଶାଇ ୨୪ ଜଣ ନିଯୁକ୍ତ ହେବେ। ତଳ ପଡ଼ିଆରେ ହେଲିପ୍ୟାଡ୍‌ ନିକଟରେ ୩ଟି ଗାଡ଼ି ରହିବ। ଜଣେ ଅଫିସରଙ୍କ ନେତୃତ୍ୱରେ ୧୦ କର୍ମଚାରୀ ରହିବେ। କୌଣସି ଅଘଟଣକୁ ଏଡ଼ାଇବାକୁ ହେଲିକପ୍ଟର ଉପରେ ସତର୍କ ନଜର ରଖିବେ। ପ୍ରଧାନମନ୍ତ୍ରୀ ଉଦ୍‌ବୋଧନ ଦେବାକୁ ପ୍ରସ୍ତୁତ ମଞ୍ଚ ଉପରେ ୩ ଜଣ ଅଗ୍ନିଶମ ବିଭାଗ କର୍ମଚାରୀ ଫାୟାର ଏକ୍ସଟିଙ୍ଗ୍ୟୁସର୍‌ ସହିତ ସଜାଗ ରହିବ। ଉପର ପଡ଼ିଆରେ ଅଗ୍ନିଶମ ବିଭାଗର ଚାରିଟି ଷ୍ଟଲ୍‌ ଖୋଲିବ। ୬ ଜଣ ଲେଖାଏ କରି ୨୪ ଜଣ ଅଫିସର ଓ କର୍ମଚାରୀ ନିଯୁକ୍ତ ହେବେ। ସେମାନେ ଏକ୍ସଟିଙ୍ଗ୍ୟୁସର ସମେତ ଅନ୍ୟାନ୍ୟ ଅଗ୍ନି ନିରାପତ୍ତା ସାମଗ୍ରୀ ମହଜୁଦ ରଖିବେ। ଅଗ୍ନିଶମ ବିଭାଗର ମୋଟ ୧୧୦ ଜଣ କର୍ମଚାରୀ ନିଯୁକ୍ତ ହେବେ। କଟକ ବାଦ୍‌ ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଆଠଗଡ଼ର ବିଭିନ୍ନ ଅଗ୍ନିଶମ କେନ୍ଦ୍ରରୁ ଦମକଳ ଗାଡ଼ି କାର୍ଯ୍ୟକ୍ରମରେ ନିୟୋଜିତ ହୋଇଛି। ପୂରା ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ଅଗ୍ନିଶମ ବିଭାଗର ଆଇଜି ରାଜେଶ କୁମାର ନିୟନ୍ତ୍ରଣ କରୁଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନକ୍ସଲଙ୍କ ବିରୋଧ

କାଲିମେଳା : ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଟକ ଆସୁଛନ୍ତି। ତେବେ ମୋଦିଙ୍କ ଏହି ଗସ୍ତକୁ ସିଧାସଳଖ ବିରୋଧ କରିଛନ୍ତି ମାଓବାଦୀ। ମାଲକାନଗିରି ଜିଲ୍ଲା କାଲିମେଳା ଅଞ୍ଚଳରେ ପୋଷ୍ଟର ମାରି ବିରୋଧ କରାଯାଇଥିବା ଦେଖିବାକୁ ମିଳିଛି। ଏହି ପୋଷ୍ଟର ଗୁଡିକରେ ହିନ୍ଦୁ ଫାଶିବାଦୀ ନରେନ୍ଦ୍ର ମୋଦି ମୁସଲିମ ଆଦିବାସୀ ମହିଳା ସଂଖ୍ୟାଲଘୁଙ୍କ ହତ୍ୟାକାରୀ ବୋଲି ଏଥିରେ ଦର୍ଶାଯାଇଛି। ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ବିକାଶ କରିବାକୁ ଆସୁନାହାନ୍ତି ବରଂ ଓଡ଼ିଶାରେ ଥିବା ଖଣିଜ ସଂପତ୍ତି ସବୁ ବିଦେଶୀ କଂପାନିଙ୍କ ହାତକୁ ଟେକି ଦେବାକୁ ଆସୁଛନ୍ତି ବୋଲି ଏଥିରେ ଉଲ୍ଲେଖ ରହିଛି। ତଳେ ସିପିଆଇ ମାଓବାଦୀ ଆଞ୍ଚଳିକ କମିଟି ବୋଲି ଲେଖାଯାଇଥିବା ଦେଖିବାକୁ ମିଳିଛି। ଏହିସବୁ ବ୍ୟାନର୍‌ କାଲିମେଳା ହାଟପଦା ଓ ତହସିଲ କାର୍ଯ୍ୟାଳୟ ନିକଟରେ ଥିବା ଗଛରେ ଲଗାଯାଇଥିଲା। କାଲିମେଳା ପୁଲିସ ଏହି ବ୍ୟାନର୍‌ ଜବତ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର