ଭୁବନେଶ୍ବର: ଚାଲିଥିଲା ମୋଦୀଙ୍କ ରୋଡ୍ ସୋ । ମୋଦୀ ମୋଦୀ ନାରାରେ କମ୍ପୁଥିଲା ପରିବେଶ । ରାସ୍ତା ସାରା ମୋଦୀଙ୍କ ଉପରେ ଫୁଲବର୍ଷା କରୁଥିଲେ ପ୍ରଶଂସକ । ରାସ୍ତାରେ ଦୁଇ ପାର୍ଶ୍ବରେ ପ୍ରଧାନମନ୍ତ୍ରୀଙ୍କୁ ଦେଖିବାକୁ ଲାଗିଥିଲା ଲୋକଙ୍କ ଗହଳି । ମୋଦୀ ବି ଜନତାଙ୍କୁ ଦେଖି ହାତ ହଲାଇ ସମ୍ବୋଧନ କରୁଥିଲେ... ବିମାନ ବନ୍ଦର ଠାରୁ ଜନତା ମୈଦାନ ଯାଏଁ ଶୁକ୍ରବାର ଚାଲିଥିଲା ମୋଦୀଙ୍କ ଶୋଭାଯାତ୍ରା । ଓଡିଶାରେ ବିଜେପି ସରକାରକୁ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ଓଡିଶା ଗସ୍ତରେ ଆସିଥିବା ବେଳେ ରୋଡ୍ ସୋ କରି ସଭାସ୍ଥଳ ଯାଏଁ ଯାଉଥିଲେ...
ହେଲେ ହଠାତ୍ ରୋଡ୍ ସୋ ମଝିରେ ପଶିଥିଲା ଆମ୍ବୁଲାନ୍ସ । ମୋଦୀଙ୍କ କାରକେଡ୍ ପଛରେ ଆମ୍ବୁଲାନ୍ସ ଆସୁଥିବା ଦେଖିବାକୁ ମିଳିଥିଲା । ଆଉ ଦୂରରୁ ଆମ୍ବୁଲାନ୍ସ ଆସୁଥିବାର ଦେଖି ବାଟ ଛାଡି ଦେଇଥିଲା ମୋଦୀଙ୍କ କାରକେଡ୍ । ଆମ୍ବୁଲାନ୍ସକୁ ଆଗକୁ ଯିବାକୁ ଦେବା ପାଇଁ କାରକେଡ୍ ଏକ ପାଖିଆ ହୋଇଯାଇଥିଲା । ଆଉ ଆମ୍ବୁଲାନ୍ସ ଯିବା ପରେ ମୋଦୀଙ୍କ କାରକେଡ୍ ପୁଣି ଜନତା ମୈଦାନ ଅଭିମୁଖେ ବାହାରିଥିଲା ।
#WATCH | Prime Minister Narendra Modi's convoy gives way to an ambulance during the roadshow in Bhubaneswar, Odisha
— ANI (@ANI) June 20, 2025
(Source: DD) pic.twitter.com/sNmT5EAjcz
କେବଳ ଭୁବନେଶ୍ବର ନୁହେଁ ଅନେକ ସମୟରେ ଭିନ୍ନ ଭିନ୍ନ ରାଜ୍ୟକୁ ଗସ୍ତକଲା ବେଳେ ମୋଦୀଙ୍କ ରୋଡ ସୋ ମଝିରେ ଆମ୍ବୁଲାନ୍ସ, ଆସିଲେ ତାଙ୍କ କାରକେଡ୍ ଜରୁରୀ କାଳୀନ ସେବାରେ ଥିବା ଏହି ଆମ୍ବୁଲାନ୍ସକୁ ବାଟ ଛାଡିଥିବାର ଦୃଶ୍ୟ ସାମ୍ନାକୁ ଆସିଛି ।
ତେବେ ଗତକାଲି ମୋଦୀ ଜୟ ଜଗନ୍ନାଥରୁ ଭାଷଣ ଆରମ୍ଭ କରି ଜୟ ଜଗନ୍ନାଥରେ ଭାଷଣ ଶେଷ କରିଥିଲେ । ଓଡିଶାରେ ବିଜେପି ସରକାରର ବର୍ଷପୂର୍ତ୍ତି ଅବସରରେ ଯୋଗଦେଇ ପ୍ରଧାନମନ୍ତ୍ରୀ ମୋଦୀ ମହାପ୍ରଭୁ ଜଗନ୍ନାଥ ଏବଂ ମହାପ୍ରଭୁଙ୍କ ପବିତ୍ର ମାଟି ଓଡିଶା କଥା କହିଥିଲେ । ମହାପ୍ରଭୁଙ୍କ ପ୍ରତି ତାଙ୍କର ଭକ୍ତି ଏବଂ ଓଡିଶାବାସୀଙ୍କ ଭଲପାଇବା ତାଙ୍କୁ କେମିତି କାନାଡାରୁ ଓଡିଶା ନେଇ ଆସିଲା ତାହା ଜନତା ମୈଦାନର ଜନସଭାରେ ବଖାଣିଥିଲେ ପ୍ରଧାନମନ୍ତ୍ରୀ ।
ମୋଦୀ କହିଥିଲେ- ଦୁଇ ଦିନ ତଳେ ମୁଁ କାନାଡାରେ ଜି-୭ ସମ୍ମିଳନୀରେ ଯୋଗ ଦେବାକୁ ଯାଇଥିଲି । ସେତେବେଳେ ମୋତେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫୋନ କରିଥିଲେ ଆଉ କହିଥିଲେ, କାନାଡା ଆସିଛନ୍ତି ଯେତେବେଳେ, ଟିକେ ଓ୍ୱାସିଂଟନ ହେଇକି ଯାଆନ୍ତୁ.. ସାଙ୍ଗ ହୋଇ ଖାଇବା, କଥା ହେବା.. ସେ ମୋତେ ସାଦରେ ନିମନ୍ତ୍ରଣ କରିଥିଲେ.. ହେଲେ ମୁଁ ଟ୍ରମ୍ପଙ୍କୁ କହିଥିଲି, ନିମନ୍ତ୍ରଣ ପାଇଁ ବହୁତ ବହୁତ ଧନ୍ୟବାଦ । ମୋତେ ମହାପ୍ରଭୁଙ୍କ ମାଟିକୁ ଯିବାର ଅଛି, ସେଠାକୁ ଯିବା ବହୁତ ଜରୁରୀ । ସେଥିପାଇଁ ମୁଁ ତାଙ୍କ ନିମନ୍ତ୍ରଣକୁ ନମ୍ରତାର ସହ ମନା କରିଦେଇଥିଲି । ଆଉ ଆପଣଙ୍କ ଭଲ ପାଇବା ଏବଂ ମହାପ୍ରଭୁଙ୍କ ପ୍ରତି ମୋର ଭକ୍ତି ମୋତେ ଏଠାକୁ ଟାଣି ଆଣିଛି..
ମୋଦୀଙ୍କ ମୁହଁରୁ ଏତିକି ଶୁଣିବା ପରେ ସମବେତ ଜନତା ଜୟ ଜଗନ୍ନାଥ ନାରା ଦେଇଥିଲେ । ଆଉ ଜଗନ୍ନାଥଙ୍କ ନାରାରେ କମ୍ପିଥିଲା ଜନତା ମୈଦାନ । ଜଗନ୍ନାଥଙ୍କ କଥା କହିବା ବେଳେ ମୋଦୀ କହିଛନ୍ତି- ଏହା ଏକ ସଂଯୋଗ । ଯେତେବେଳେ ଓଡ଼ିଶାରେ ବିଜେପି ସରକାର ଗୋଟିଏ ବର୍ଷ ପୂରଣ କରୁଛି ସେତେବେଳେ ଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରାର ପ୍ରସ୍ତୁତି ଚାଲିଛି । ମହାପ୍ରଭୁ ଆମ ପାଇଁ ଆରାଧ୍ୟ ବି ପ୍ରେରଣା ବି । ଆଉ ମହାପ୍ରଭୁଙ୍କ ଆଶୀର୍ବାଦରୁ ଶ୍ରୀ ଜଗନ୍ନାଥ ମନ୍ଦିର ସହ ଜଡ଼ିତ ସମସ୍ୟାର ସମାଧାନ ବି ହୋଇପାରିଛି । କୋଟି କୋଟି ଭକ୍ତଙ୍କ ନିବେଦନର ମାନ ରଖିଛନ୍ତି ମୋହନ ସରକାର । ବିଜେପି ସରକାରକୁ ଆସୁ ଆସୁ ଶ୍ରୀମନ୍ଦିରର ୪ ଦ୍ୱାର ଖୋଲାଯାଇଥିଲା । ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିଛି । ଏହା କୌଣସି ରାଜନୈତିକ ଜୟବିଜୟର ବିଷୟ ନୁହେଁ । ଏହା କୋଟି କୋଟି ଭକ୍ତଙ୍କ ଆସ୍ଥାକୁ ସମ୍ମାନ ଦେବାର କର୍ତ୍ତବ୍ୟ ବୋଲି ମୋଦୀ କହିଥିଲେ ।