ପିଏମ ପୋଷଣ ଯୋଜନା: ଦ୍ବିତୀୟ କିସ୍ତିରେ ମିଳିଲା ୨୮୩.୭୮ କୋଟି

ମୁଖ୍ୟମନ୍ତ୍ରୀଙ୍କୁ ବିଳମ୍ବର କାରଣ ଜଣାଇଲେ ଧର୍ମେନ୍ଦ୍ର, ବିସ୍ତୃତ ପ୍ରସ୍ତାବ ଦେଲେ ଆଉ ୨୫ କୋଟି ମିଳିବ

ଭୁବନେଶ୍ବର : ପିଏମ୍‌ ପୋଷଣ ଯୋଜନାରେ ଓଡ଼ିଶାକୁ ଦ୍ବିତୀୟ କିସ୍ତି ଅର୍ଥ ମିଳି ନ ଥିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଗତ ସପ୍ତାହରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖିଥିଲେ। ଘଟଣା ସମ୍ପର୍କରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ ଅନୁଧ୍ୟାନ କରିବା ପରେ ଚିଠି ମାଧ୍ୟମରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପିଏମ୍‌ ପୋଷଣର ଦ୍ୱିତୀୟ କିସ୍ତିର ବିଳମ୍ବର କାରଣ ଜଣାଇଥିଲେ। ଏହାପରେ ଗଣଶିକ୍ଷା ବିଭାଗକୁ ୨୮୩.୭୮ କୋଟି ଟଙ୍କା ଅର୍ଥ ପ୍ରଦାନ କରାଯାଇଛି। ପିଏମ୍‌ ପୋଷଣ ଯୋଜନା ଅନ୍ତର୍ଗତ ୨୦୨୨-୨୩ ଆର୍ଥିକ ବର୍ଷରେ ବାର୍ଷିକ କାର୍ଯ୍ୟକ୍ରମ ଓ ବଜେଟ୍ ନିମନ୍ତେ କେନ୍ଦ୍ର ସରକାର କେନ୍ଦ୍ରୀୟ ଅଂଶ ବାବଦରେ ୫୭୫.୯୮ କୋଟି ଏବଂ ରାଜ୍ୟ ଅଂଶ ବାବଦରେ ୩୩୦.୯୭ କୋଟି ଏପରି ଭା‌ବେ ୯୦୬.୯୫ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଥିଲା।

କେନ୍ଦ୍ର ସରକାର ପ୍ରଥମ କିସ୍ତିରେ ୨୭୯.୯୫ କୋଟି ଟଙ୍କା ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିଲେ। ରାଜ୍ୟ ପାଖରେ ୮ କୋଟି ଟଙ୍କା ବଳକା ରହିଥିଲା। କେନ୍ଦ୍ର ସରକାର ୨୦୨୨ ଅକ୍ଟୋବର ୧ରେ ସାମଗ୍ରିକ ଖର୍ଚ୍ଚକୁ ୯.୬% ବୃଦ୍ଧି କରିଥିଲେ। ଅନୁରୂପ ଭାବେ କେନ୍ଦ୍ରୀୟ ଅଂଶ ୫୯୬.୭୫ କୋଟି ଟଙ୍କା ହୋଇଥିବା ବେଳେ ରାଜ୍ୟର ଅଂଶ ୩୪୪.୨୪ କୋଟି ଟଙ୍କା ହୋଇଥିଲା। ରାଜ୍ୟ ସରକାରଙ୍କୁ ଏହି ଅନୁପାତରେ ନିଜର ଅତିରିକ୍ତ ବଜେଟରେ ଅର୍ଥ ବ୍ୟବସ୍ଥା କରିବାର ଆବଶ୍ୟକତା ରହିଛି। ରାଜ୍ୟ ସରକାରଙ୍କ ଦ୍ୱାରା ବଜେଟରେ ଓ ପରେ ନିଜର ଅତିରିକ୍ତ ବଜେଟରେ ବର୍ଦ୍ଧିତ ଆବଣ୍ଟନ ନଥିବା କାରଣରୁ କେନ୍ଦ୍ରୀୟ ଅଂଶ ଭାବରେ ୩୩.୩୧ କୋଟି ଓ ରାଜ୍ୟ ଅଂଶ ଭାବରେ ୧୭. ୬୮ କୋଟି ନିଅଣ୍ଟ ପଡ଼ିଥିଲା।

ଏବେ ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ଦ୍ୱାରା ୨୦୨୩ ମାର୍ଚ୍ଚରେ ଏକ ପତ୍ର ମାଧ୍ୟମରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ କେନ୍ଦ୍ରୀୟ ଓ ରାଜ୍ୟ ଅଂଶ ପାଇଁ ଅତିରିକ୍ତ ଅର୍ଥ ବ୍ୟବସ୍ଥା କରିବା ପାଇଁ ଅସମର୍ଥ ଥିବା ଦର୍ଶାଇଛନ୍ତି। ରାଜ୍ୟ ସରକାରଙ୍କ ପୂର୍ବ ପ୍ରସ୍ତାବକୁ ତର୍ଜମା କରିବା ପରେ ପିଏମ୍‌ ପୋଷଣ ଯୋଜନାର ଦ୍ୱିତୀୟ କିସ୍ତି ପ୍ରଦାନ କରାଯାଇଛି। ପ୍ରୋଗ୍ରାମ ଆପ୍ରୁଭାଲ ବୋର୍ଡ(ପିଏମବି)ର ଅନୁମୋଦନ ଅନୁସାରେ ଦ୍ୱିତୀୟ କିସ୍ତିରେ ରାଜ୍ୟ ସରକାର ୩୦୮.୭୯ କୋଟି ଟଙ୍କା ପାଇବା ପାଇଁ ଯୋଗ୍ୟ। ମାତ୍ର ରାଜ୍ୟ ସରକାରଙ୍କ ଦ୍ୱାରା ବଜେଟରେ କୌଣସି ପ୍ରାବଧାନ କରାଯାଇ ନଥିବା କାରଣରୁ କେନ୍ଦ୍ର ସରକାର ଦ୍ୱିତୀୟ କିସ୍ତିରେ ଓଡ଼ିଶାକୁ ପିଏମ ପୋଷଣ ଯୋଜନା ପାଇଁ ୨୮୩.୭୮ କୋଟି ଅର୍ଥ ଦେଇ ସାରିଛନ୍ତି। ରାଜ୍ୟ ସରକାର ପିଏଫଏମଏସ ମାଧ୍ୟମରେ ବିସ୍ତୃତ ପ୍ରସ୍ତାବ ପ୍ରଦାନ କଲେ ଆଉ ୨୫ କୋଟି ଟଙ୍କା ପ୍ରଦାନ କରାଯିବ।

ସମ୍ବନ୍ଧିତ ଖବର