ଭୁବନେଶ୍ୱର: ଓଡ଼ିଶାରେ ଲାଗୁ ହେଲା ପିଏମ୍‌ ଶ୍ରୀ ଯୋଜନା। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ଆଜି ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। କେନ୍ଦ୍ର ସରକାର, ରାଜ୍ୟ ସରକାର, ସ୍ଥାନୀୟ ସଂସ୍ଥା, କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନ (କେଭିଏସ୍), ନବୋଦୟ ବିଦ୍ୟାଳୟ ସମିତି(ଏନଭିଏସ) ଅଧୀନ ବିଦ୍ୟାଳୟର ଭିତ୍ତିଭୂମି ଓ ଗୁଣବତ୍ତା ବୃଦ୍ଧି କରିବାକୁ ଏଭଳି ପଦକ୍ଷେପ ଦିଆଯାଇଛି। ଏହି ସ୍କୁଲଗୁଡ଼ିକ ଜାତୀୟ ଶିକ୍ଷା ନୀତିର ପୂର୍ଣ୍ଣ ଭାବନାକୁ ନେଇ କାର୍ଯ୍ୟ କରିବ ତଥା ସମସ୍ତ ମୌଳିକ ଉପାଦାନକୁ ପ୍ରଦର୍ଶିତ କରିବ।

Advertisment

ପିଲାଙ୍କ ଦକ୍ଷତା ବୃଦ୍ଧି ସହ ସେମାନଙ୍କ ବୈଜ୍ଞାନିକ ମନୋଭାବ ବଢ଼ାଇବା ଏବଂ କଳା, ସାହିତ୍ୟ ବିଜ୍ଞାନରେ ସୃଜନଶୀଳତା ବଢ଼ାଇବା ସହ ସବୁ ଦୃଷ୍ଟିରୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦକ୍ଷତା ବଢ଼ାଇବା ଦିଗରେ ପିଏମ୍‌ ଶ୍ରୀ ଯୋଜନା ସହାୟକ ହେବ। ଜାତୀୟ ଶିକ୍ଷା ନୀତିର ପରାମର୍ଶ ଅନୁସାରେ ହୋଇଥିବା ପାଠ୍ୟକ୍ରମ, ପାଠପଢ଼ାର ପଦ୍ଧତି, ଶିକ୍ଷକଙ୍କ ପରିବର୍ଦ୍ଧିତ ଦକ୍ଷତାକୁ ସ୍କୁଲରେ ପରିପ୍ରକାଶ କରିବ। ବର୍ତ୍ତମାନ ସୁଦ୍ଧା ୩୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସହିତ କେଭିଏସ୍, ଏନଭିଏସ୍‌ ପିଏମ୍‌ଶ୍ରୀ ସ୍କୁଲ ଅଧୀନରେ ସେମାନଙ୍କ ବିଦ୍ୟାଳୟର ଉନ୍ନତୀକରଣ ପାଇଁ ଶିକ୍ଷା ମନ୍ତ୍ରଣାଳୟ ସହ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି। ଏହି ଯୋଜନାରେ ଓଡ଼ିଶାର ପ୍ରତି ବ୍ଲକ ଓ ପୌରାଞ୍ଚଳରେ ଦୁଇଟି ଲେଖାଏଁ ସ୍କୁଲକୁ ମିଶାଇ ୮୦୦ ବିଦ୍ୟାଳୟକୁ ପିଏମ୍‌ ଶ୍ରୀ ସ୍କୁଲରେ ବିକଶିତ କରିବାକୁ ଯୋଜନା ରହିଛି। ପୂର୍ବ ସରକାର ସମୟରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପିଏମ୍‌ ଶ୍ରୀ ସ୍କୁଲ ଯୋଜନା କାର୍ଯ୍ୟକାରୀ କରିବାକୁ ଏକାଧିକ ଥର ଉଦ୍ୟମ ହୋଇଥିଲେ ମଧ୍ୟ ତାହା ହୋଇପାରି ନ ଥିଲା।

ପିଏମ ଶ୍ରୀ ସ୍କୁଲଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ଯତ୍ନ ନିଆଯିବା ସହ ସେମାନଙ୍କ ପାଠପଢ଼ା ପାଇଁ ଉତ୍ତମ ଭିତ୍ତିଭୂମି, ଉପଯୁକ୍ତ ସମ୍ବଳ ସହ ଅନେକ ଅଭିଜ୍ଞତା ଆଧାରିତ ଶିକ୍ଷା ପ୍ରଦାନ କରାଯିବ। ଜାତୀୟ ଶିକ୍ଷା ନୀତିର କଳ୍ପନାକୁ କାର୍ଯ୍ୟକାରୀ କରିବା ଦିଗରେ ପିଏମ୍‌ ଶ୍ରୀ ସ୍କୁଲ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ, ଯାହା ଭାରତକୁ ଜ୍ଞାନଭିତ୍ତିକ ସମାଜରେ ପରିଣତ କରିବ। ଏହି ସ୍କୁଲ ଅତ୍ୟାଧୁନିକ ଓ ସାମଗ୍ରିକ ପଦ୍ଧତିରେ ଶିକ୍ଷା ପ୍ରଦାନ କରିବ। ନବସୃଜନ ଆଧାରିତ, ନୂତନ ପ୍ରଯୁକ୍ତିବିଦ୍ୟା, ସ୍ମାର୍ଟକ୍ଲାସ ରୁମ୍‌ ଓ କ୍ରୀଡ଼ା ସହ ଅନ୍ୟାନ୍ୟ ଦିଗକୁ ଗୁରୁତ୍ୱ ଦିଆଯିବ। ଆଇସିଟି, ଡିଜିଟାଲ ଲ୍ୟାବ୍‌, ଡିଜିଟାଲ ଲାଇବ୍ରେରି, ଡିଜିଟାଲ ଲର୍ଣ୍ଣିଂ ଟୁଲ୍ସ ବ୍ୟବସ୍ଥା ରହିବ। ବାଲ୍‌ ବାଟିକାରେ ପ୍ରାରମ୍ଭିକ ଶିଶୁଯତ୍ନ ଓ ଶିକ୍ଷା ରହିବ। ମାତୃଭାଷାକୁ ପ୍ରାଧାନ୍ୟ ଦେବା ସହ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭାଷା ଦୂରତାକୁ ହ୍ରାସ କରିବ। ସମଗ୍ର ଦେଶରେ ବିକଶିତ ଓ ନବୀକରଣ ହେବାକୁ ଥିବା ପିଏମ୍‌ ଶ୍ରୀ ସ୍କୁଲ ଦେଶର ସର୍ବଶ୍ରେଷ୍ଠ ବିଦ୍ୟାଳୟ ଭାବରେ ବିବେଚିତ ହେବ ବୋଲି ଆଶାପ୍ରକଟ କରାଯାଇଛି।