ଭୁବନେଶ୍ବର : ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ପିଏମ ଶ୍ରୀ ସ୍କୁଲ ପ୍ରତିଷ୍ଠା କରାଯିବ। ଏହି ଉଚ୍ଚମାନର ସ୍କୁଲ ଜାତୀୟ ଶିକ୍ଷା ନୀତି-୨୦୨୦ର ପ୍ରୟୋଗଶାଳା ହେବ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଗୁଜରାଟର ଗାନ୍ଧୀନଗରରେ ଆୟୋଜିତ ଦୁଇଦିନିଆ ରାଜ୍ୟ ଶିକ୍ଷାମନ୍ତ୍ରୀମାନଙ୍କ ସମ୍ମିଳନୀରେ ଯୋଗଦେବା ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଦ୍ୟାଳୟ ଶିକ୍ଷା ହେଉଛି ଜ୍ଞାନ ଆଧାରିତ ସମାଜ ପ୍ରତିଷ୍ଠାର ମୂଳଦୁଆ। ଜାତୀୟ ଶିକ୍ଷା ନୀତି ହେଉଛି ଜ୍ଞାନର ଦସ୍ତାବିଜ୍। ଯେଉଁ ଦସ୍ତାବିଜ୍ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ସହ ଶିକ୍ଷାକୁ ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ କରିବାକୁ ଲକ୍ଷ୍ୟ ରଖିଛି। ବିଶ୍ୱର କଲ୍ୟାଣ ପାଇଁ ପ୍ରତିବଦ୍ଧ ଥିବା ଭାରତକୁ ଜ୍ଞାନର ଅର୍ଥନୀତି ଭାବେ ପ୍ରତିଷ୍ଠିତ କରିବା ଆମ ପାଇଁ ଆଗାମୀ ୨୫ ବର୍ଷ ମହତ୍ୱପୂର୍ଣ୍ଣ। ବସୁଧୈବ କୁଟୁମ୍ବକମ୍ରେ ବିଶ୍ୱାସ ରଖୁଥିବା ସଭ୍ୟତା ହେଉଛି ଆମର। ଦାୟିତ୍ୱ କେବଳ ଦେଶ ପାଇଁ ନୁହେଁ ବରଂ ବିଶ୍ୱ ପାଇଁ; ଏହି କଥାକୁ ଆମେ ହୃଦୟଙ୍ଗମ କରିବା ଆବଶ୍ୟକ। ଜାତୀୟ ଶିକ୍ଷା ନୀତିରେ ୫+୩+୩+୪ ଢାଞ୍ଚାରେ ପ୍ରାକ୍ ବିଦ୍ୟାଳୟ ଶିକ୍ଷା ସହ ମାଧ୍ୟମିକ ସ୍କୁଲ ଶିକ୍ଷା, ନିରାପଦ ଓ ଉଚ୍ଚମାନର ଶୈଶବ ଯତ୍ନ, ଶିକ୍ଷା ଉପରେ ଗୁରୁତ୍ୱ, ଶିକ୍ଷକ ପ୍ରଶିକ୍ଷଣ ଏବଂ ପୌଢ଼ ଶିକ୍ଷା, ଦକ୍ଷତା ବିକାଶ ସହ ସ୍କୁଲ ଶିକ୍ଷାର ଏକୀକରଣ, ମାତୃଭାଷାକୁ ଗୁରୁତ୍ୱ ଦେବା ଭଳି ବିଭିନ୍ନ ପଦକ୍ଷେପ ଛାତ୍ରଛାତ୍ରୀଙ୍କୁ ବୈଶ୍ୱିକ ନାଗରିକ ଭାବେ ପ୍ରସ୍ତୁତ କରିବା ପାଇଁ ସହାୟକ ହେବ।
ଆସନ୍ତା ଜୁଲାଇ ୨୯ରେ କେନ୍ଦ୍ର ସରକାରଙ୍କ ଦ୍ୱାରା ନୂଆ ଜାତୀୟ ଶିକ୍ଷା ନୀତି-୨୦୨୦ ପ୍ରଣୟନର ଦୁଇ ବର୍ଷ ପୂର୍ତି ହେବାକୁ ଯାଉଛି। ଗତ ଦୁଇ ବର୍ଷରେ ଜାତୀୟ ଶିକ୍ଷା ନୀତି ଆଧାରରେ ହୋଇଥିବା କାମର କ୍ରିୟାନ୍ୱୟନ, ବେଷ୍ଟ ପ୍ରାକ୍ଟିସ, ଶିକ୍ଷା କ୍ଷେତ୍ରରେ ଦେଶର ପ୍ରାଥମିକତା ଉପରେ ଚର୍ଚ୍ଚା ଆଲୋଚନା କରିବା ପାଇଁ ବିଭିନ୍ନ ରାଜ୍ୟର ଶିକ୍ଷାମନ୍ତ୍ରୀ ଓ ଅଧିକାରୀମାନେ ଜାତୀୟ ଶିକ୍ଷା ସମ୍ମିଳନୀରେ ଏକାଠି ହୋଇଛନ୍ତି। ଏହି ସମ୍ମିଳନୀରେ ଜାତୀୟ ଶିକ୍ଷା ନୀତିର ପରାମର୍ଶ ଯଥା ଆଞ୍ଚଳିକ ଭାଷାକୁ ଗୁରୁତ୍ୱ, ଶିକ୍ଷାରେ ଟେକ୍ନୋଲୋଜିକୁ ବ୍ୟବହାର ଏବଂ ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି ପାଇଁ ପଦକ୍ଷେପ ନେବା ଉପରେ ଆଲୋଚନା ହୋଇଛି। ଏହି ସମ୍ମିଳନୀରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ, ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ, ଦକ୍ଷତା ବିକାଶ ଏବଂ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ, ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଶିକ୍ଷାମନ୍ତ୍ରୀ, ଶିକ୍ଷା ବିଭାଗ ପ୍ରତିନିଧି ଓ ନୂତନ ଶିକ୍ଷା ନୀତିର ଚିଠା ପ୍ରସ୍ତାବ ପ୍ରସ୍ତୁତକାରୀ କେ କସ୍ତୁରିରଙ୍ଗନ ପ୍ରମୁଖ ଉପସ୍ଥିତ ଥିଲେ।