୨୨ରେ ଆସିବେ ପ୍ରଧାନମନ୍ତ୍ରୀ : ତାଳଚେର ସାର କାରଖାନାର ଶୁଭ ପଡ଼ିିବ, ଉଦ୍‌ଘାଟିତ ହେବ ଝାରସୁଗୁଡ଼ା ବିମାନବନ୍ଦର

ଭୁବନେଶ୍ୱର : ଆସନ୍ତା ସେପ୍ଟେମ୍ବର ୨୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଆସିବେ। ଏହି ଦିନିକିଆ ଗସ୍ତରେ ଦୁଇ ଦୁଇଟି ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟକ୍ରମ ରହିଛି। ବହୁପ୍ରତୀକ୍ଷିତ ତାଳଚେରରେ ସାର କାରଖାନାର ଶୁଭ ଦେବା ସହ ଝାରସୁଗୁଡ଼ା ବିମାନବନ୍ଦରକୁ ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ କରିବେ। ଦୁଇଟି ଯାକ କାର୍ଯ୍ୟକ୍ରମ ସରକାରୀ ହୋଇଥିଲେ ବି ରାଜ୍ୟ ବିଜେପି ଶିବିରରେ ଏ ନେଇ ତତ୍ପରତା ପ୍ରକାଶ ପାଇଛି। ସାଧାରଣ ନିର୍ବାଚନ ଆଉ କମ୍‌ ଦିନ ଥିବାରୁ ମୋଦୀଙ୍କ ଗସ୍ତରୁ ରାଜନୈତିକ ଫାଇଦା ନେବାର କୌଣସି ସୁଯୋଗ ହାତଛଡ଼ା କରିବାକୁ ବିଜେପି ଚାହୁଁ ନାହିଁ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମ୍ପର୍କରେ ଆଜି ବିଧିବଦ୍ଧ ଭାବେ ଗଣମାଧ୍ୟମକୁ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଥିଲେ। ଶ୍ରୀ ପ୍ରଧାନ କହିଥିଲେ, ୧୩ ହଜାର କୋଟି ଟଙ୍କାର ପୁଞ୍ଜିନିବେଶରେ ପ୍ରତିଷ୍ଠିତ ହେବାକୁ ଥିବା ଏହି ସାର କାରଖାନା କେବଳ ସାର ନୁହେଁ, ବୈଜ୍ଞାନିକମାନଙ୍କ ଅନୁସନ୍ଧାନ ଆଧାରରେ କୋଇଲାରୁ ଗ୍ୟାସ ତଥା ଆମୋନିଆ ଓ ୟୁରିଆ ଉତ୍ପାଦନ କରିବ। ଏହା ସହ ଜଟିଳ ବୈଜ୍ଞାନିକ ପ୍ରକ୍ରିୟାରେ ମିଥାନୋଲ୍‌ ମଧ୍ୟ ଉତ୍ପାଦିତ ହେବ। କୋଇଲାରୁ ମିଥାନୋଲ ବାହାରିଲେ ଅଶୋଧିତ ତୈଳର ଆମଦାନୀକୁ କମ୍‌ କରାଯାଇ ଦେଶର ଅର୍ଥନୀତିକୁ ବଡ଼ ସହଯୋଗ ମିଳିବ। ଓଡ଼ିଶାରେ ପ୍ରଚୁର କୋଇଲା ମହଜୁଦ୍‌ ଥିଲା ବେଳେ ସେଥିରୁ କେବଳ ବିଜୁଳି ଉତ୍ପାଦନ କରାଯାଉଥିଲା। ମାତ୍ର କୋଇଲାରୁ ଗ୍ୟାସ୍‌, ଆମୋନିଆ, ୟୁରିଆ ଓ ମିଥାନୋଲ ଉତ୍ପାଦନ ମୋଦି ସରକାରଙ୍କ ଏକ ଯୁଗାନ୍ତକାରୀ ପଦକ୍ଷେପ। ସେହିପରି ଝାରସୁଗୁଡ଼ା ଠାରେ ଉଡାନ ଯୋଜନାରେ ନୂଆ ବିମାନବନ୍ଦରକୁ ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ କରିବେ। ସାଧାରଣ ଲୋକ ବିମାନରେ ଯାତ୍ରା କରିବାକୁ ପ୍ରଧାନମନ୍ତ୍ରୀ ଯେଉଁ ସ୍ୱପ୍ନ ଦେଖିଛନ୍ତି, ତାହା ଏହି ଉଡ଼ାନ ଯୋଜନାରେ କାର୍ଯ୍ୟକାରୀ ହେଉଛି।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ପୂର୍ଣ୍ଣ ଗସ୍ତ ସୂଚୀ ଏ ଯାଏଁ ଚୂଡ଼ାନ୍ତ ହୋଇ ନାହିଁ। ତେବେ ଏହି ଗସ୍ତକୁ ପ୍ରଭାବୀ କରିବା ପାଇଁ ରାଜ୍ୟ ବିଜେପି ଅଣ୍ଟା ଭିଡ଼ିଛି। ପୁଣି ଓଡ଼ିଶାରେ ବିଜେପିର ମୁହଁ କୁହାଯାଉଥିବା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିଜ ଅଞ୍ଚଳରେ ସାର କାରଖାନାର ଶୁଭ ଦିଆଯିବ। ତେଣୁ ଏହା ମଧ୍ୟ ଉଭୟ ଧର୍ମେନ୍ଦ୍ର ଓ ବିଜେପି ପାଇଁ ସମ୍ମାନର ପ୍ରଶ୍ନ। ତେଣୁ ମୋଦୀଙ୍କୁ ସମ୍ପୂର୍ଣ୍ଣ ଗସ୍ତକୁ ସଫଳ କରିବା ପାଇଁ କରସତ୍‌ ଆରମ୍ଭ ହୋଇଯାଇଛି।

ପ୍ରଧାନମନ୍ତ୍ରୀ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଲା ପରେ ଏଠାରେ ରାଜ୍ୟ ବିଜେପି ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ ଦିଆଯିବ। ଭୁବନେଶ୍ୱରରୁ ସେ ହେଲିକପ୍ଟର୍‌ ଯୋଗେ ତାଳଚେର ଯିବେ। ସେଠାରେ ସାର କାରଖାନା ଶୁଭ ଦେବା ସହ ଏକ ସାଧାରଣ ସଭାରେ ଉଦ୍‌ବୋଧନ ଦେବେ। ସେଠାରୁ ସେ ହେଲିକପ୍ଟର୍‌ ଯୋଗେ ଝାରସୁଗୁଡ଼ା ଯାଇ ବିମାନବନ୍ଦର ଉଦ୍‌ଘାଟନ କରିବେ। ଝାରସୁଗୁଡ଼ାରେ ବି ଏକ ସାଧାରଣ ସଭାର ଆୟୋଜନ କରାଯାଇଛି। ଝାରସୁଗୁଡ଼ାରୁ ମୋଦୀ ସିଧାସଳଖ ରାୟପୁର ଯିବାର କାର୍ଯ୍ୟକ୍ରମ ରହିଛି।

ମୋଦୀଙ୍କୁ ସ୍ୱାଗତ ସହ ଦୁଇଟି ଯାକ ସାଧାରଣ ସଭାରେ ବିପୁଳ ଜନସମାଗମ କରିବାକୁ ବିଜେପି ଲକ୍ଷ୍ୟ ରଖିଛି। ଆଜି କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ସାମ୍ବାଦିକ ସମ୍ମିଳନୀରେ ମୋଦୀଙ୍କ ଗସ୍ତ ନେଇ ସୂଚନା ଦେବା ପରେ ହିଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛି। ରାଜ୍ୟସ୍ତରୀୟ ନେତାମାନଙ୍କ ସହ ଆଜି ଦଳୀୟ କାର୍ଯ୍ୟାଳୟରେ ଏ ନେଇ ଅନୌପଚାରିକ ପ୍ରସ୍ତୁତି ବୈଠକ କରାଯାଇଛି। କେନ୍ଦ୍ର ମନ୍ତ୍ରୀ ଜୁଏଲ୍‌ ଓରାମ ମଧ୍ୟ ଝାରସୁଗୁଡ଼ାର ବିମାନବନ୍ଦର ପରିଦର୍ଶନ କରି ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମ୍ପର୍କରେ ପ୍ରାରମ୍ଭିକ ଆଲୋଚନା କରିଛନ୍ତି।

ସୂଚନାଯୋଗ୍ୟ ଯେ ଶେଷ ଥର ପାଇଁ ଗତ ମେ’ ମାସରେ ପ୍ରଧାନମନ୍ତ୍ରୀ ଏନ୍‌ଡିଏ ସରକାରର ଚାରି ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗ ଦେବାକୁ କଟକ ଆସିଥିଲେ। ଏହା ସମ୍ପୂର୍ଣ୍ଣ ଭାବେ ରାଜନୈତିକ କାର୍ଯ୍ୟକ୍ରମ ଥିଲା।

ସମ୍ବନ୍ଧିତ ଖବର