ଭୁବନେଶ୍ୱର: ସମାଜରେ ଯେଉଁମାନଙ୍କୁ ଅଣଦେଖା କରାଯାଉଥିଲା ଏବେ ସେମାନଙ୍କୁ ବିଶ୍ୱକର୍ମା ଯୋଜନା ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ମାନ ଦେଇଛନ୍ତି। ପିଏମ୍ ବିଶ୍ୱକର୍ମା ଯୋଜନା ଗରିବ ଲୋକଙ୍କୁ ଧନୀ କରାଇବାରେ ସହାୟକ ହେବ ବୋଲି ସିଏସ୍ଆଇଆର୍-ଆଇଏମ୍ଏମ୍ଟିଠାରେ ବିଶ୍ୱକର୍ମା ମହାଗୁରୁମାନଙ୍କୁ ସମ୍ମାନିତ କରିବା ଅବସରରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ବିଶ୍ୱକର୍ମା ଯୋଜନାର ହିତାଧିକାରୀଙ୍କ ସହ ଆଲୋଚନା ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି ଯୋଜନାରେ କୁମ୍ଭାର, କମାର, ବଢ଼େଇ, ମିସ୍ତ୍ରୀ, ମୂର୍ତ୍ତି ଶିଳ୍ପୀ, ବଣିଆ, ଦରଜୀ, ମୋଚି, ମାଳି, ଜାଲ ବୁଣାଳି ଭଳି ୧୮ଟି ପାରମ୍ପରିକ କୌଳିକ ବୃତ୍ତିକୁ ସାମିଲ କରାଯାଇଛି। ପିଏମ୍ ବିଶ୍ୱକର୍ମା ଯୋଜନାରେ ମୋଦି ସରକାର ୧୩ ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଯେଉଁଥିରେ ଦକ୍ଷତା ପ୍ରଶିକ୍ଷଣ, ଭତ୍ତା, ସାର୍ଟିଫିକେଟ୍, ଟୁଲ୍କିଟ୍ ପାଇଁ ଅର୍ଥ, କମ୍ ସୁଧରେ ଋଣ, ଡିଜିଟାଲରେ ପ୍ରୋତ୍ସାହନ ଆମର ବିଶ୍ୱକର୍ମାଙ୍କ ସାମର୍ଥ୍ୟ ଏବଂ ସମୃଦ୍ଧିକୁ ବଢ଼ାଇବ।
ସେ ଆହୁରି କହିଲେ ପିଏମ୍ ବିଶ୍ୱକର୍ମାରେ ଓଡ଼ିଶାର ଅଧିକ କାରିଗର କିଭଳି ଯୋଡ଼ି ହେବେ ସେଦିଗରେ ବିଭାଗୀୟ ଅଧିକାରୀମାନେ ସଚେତନ କରିବାର ଆବଶ୍ୟକତା ରହିଛି। ଓଡ଼ିଶାର କାରିଗର ଓ ଶିଳ୍ପୀମାନେ ଜଣେ ଜଣେ ବିଶ୍ୱକର୍ମା। ଆଜି ଦିନରେ ସେମାନେ ପ୍ରସ୍ତୁତ କରୁଥିବା ବସ୍ତୁ ଓ ସାମଗ୍ରୀରେ ନିଖୁଣତା ଅନନ୍ୟ। ଆବୁଧାବିରେ ନିର୍ମାଣ ହେଉଥିବା ସ୍ୱାମୀ ନାରାୟଣ ମନ୍ଦିର ପରିସରରେ ତିଆରି ହେଉଥିବା ଶ୍ରୀଜଗନ୍ନାଥ ମନ୍ଦିରରେ ଓଡ଼ିଆ ମୂର୍ତ୍ତି କାରିଗରମାନେ କାମ କରୁଛନ୍ତି। ଆଜି ବି ଓଡ଼ିଆ କାରିଗରୀ ଚକିତ କରିବା ଭଳି ରହିଛି। ଶ୍ରୀକ୍ଷେତ୍ର ପୁରୀ ଓ ମହାପ୍ରଭୁଙ୍କ ବିଧିବ୍ୟବସ୍ଥା ସହ ଯୋଡ଼ି ହୋଇଥିବା ସେବାୟତମାନେ ଏହି ଯୋଜନାର ସବୁଠୁ ବଡ ଲାଭାର୍ଥୀ। ତେଣୁ ପିଏମ୍ ବିଶ୍ୱକର୍ମା ଯୋଜନାରେ ପାରମ୍ପରିକ ଓଡ଼ିଆ କାରିଗରଙ୍କୁ ଯୋଡିବା ସହ ପଞ୍ଜିକରଣକୁ ଆହୁରି ସରଳ କରିବାକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି। ଏହି ଅବସରରେ ବିଶ୍ୱକର୍ମା ଯୋଜନାର ହିତାଧିକାରୀଙ୍କ ଅନୁଭୂତି କେନ୍ଦ୍ରମନ୍ତ୍ରୀ ଶୁଣିଥିଲେ। ସମାରୋହରେ ବିଶ୍ୱକର୍ମା ଗୁରୁମାନେ ଯୋଜନା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଲିଖିତ ଧନ୍ୟବାଦପତ୍ର ଦେଇଥିବାରୁ ସେମାନଙ୍କୁ କୃତଜ୍ଞତା ଜଣାଇଥିଲେ।