ରାଉରକେଲା: ସହରାଞ୍ଚଳରେ ବସବାସ କରୁଥିବା ଆର୍ଥିକ ଅନଗ୍ରସରଲୋକଙ୍କୁ ବାସଗୃହ ଯୋଗାଇବା ଉଦ୍ଦେଶ୍ୟରେ ୨୦୧୫ ଜୁନ ମାସରେ କେନ୍ଦ୍ର ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ସହରାଞ୍ଚଳ(ପିଏମ୍‌ଏୱାଇ-ୟୁ) କାର୍ଯ୍ୟକାରୀ ହୋଇଥିଲା। ଉଦ୍ଦେଶ୍ୟଥିଲା, ସହରାଞ୍ଚଳରେ ରହୁଥିବା ଗରିବଙ୍କୁ ନିଜସ୍ବ ଜମିରେ ଗୃହ ନିର୍ମାଣ ପାଇଁ ୨ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବା। ଏମିତିକି କାର୍ଯ୍ୟାଦେଶ ପାଇବାର ୩ ମାସ ଭିତରେ ଘରର ନିର୍ମାଣକାର୍ଯ୍ୟ ସମ୍ପନ୍ନକଲେ ଅତିରିକ୍ତ ୨୦ ହଜାର ଓ ୬ ମାସ ଭିତରେ ସମ୍ପନ୍ନ ହେଲେ ଅତିରିକ୍ତ ୧୦ ହଜାର ଟଙ୍କା ଦିଆଯିବ। ତେବେ ସ୍ମାର୍ଟସିଟି ରାଉରକେଲାରେ ଏହି ଯୋଜନା ଲକ୍ଷ୍ୟଚ୍ୟୁତ ହୋଇଯାଇଛି। ବାସ୍ତବରେ ନିଜସ୍ବ ଜମି ନଥିବାରୁ ହଜାର ହଜାର ହିତାଧିକାରୀ ବାସଗୃହ ପାଇବାରୁ ବଞ୍ଚିତ ହେଉଛନ୍ତି।

Advertisment

ରାଉରକେଲା ମହାନଗର ନିଗମ ଅଞ୍ଚଳରେ ଏହି ଯୋଜନା କାର୍ଯ୍ୟକାରୀ ହେବାପରେ ମୋଟ୍‌ ୧୩୩୨ ଜଣ ହିତାଧିକାରୀ ଆବେଦନପତ୍ର ଦାଖଲ କରିଥିଲେ। ତେବେ ଏଥିମଧ୍ୟରୁ ଜମି ପଟ୍ଟା ନଥିବା ତଥା ଅନ୍ୟାନ୍ୟ କାରଣରୁ ୪୧୮ଟି ଆବେଦନପତ୍ର ଖାରଜ ହୋଇଯାଇଥିଲା। ଘର ପାଇବାକୁ ମୋଟ୍‌ ୯୧୪ ଜଣ ହିତାଧିକାରୀ ଯୋଗ୍ୟ ବିବେଚିତ ହୋଇଥିବାବେଳେ ଗତ ୨୦୧୮ ମସିହାରେ ହିତାଧିକାରୀ ନିଜ ନିଜ ଘର ନିର୍ମାଣ ଆରମ୍ଭ କରିଛନ୍ତି। ଇତିମଧ୍ୟରେ ୮୪୦(୯୧.୯୦%) ଟି ଘର ନିର୍ମାଣ ହୋଇସାରିଥିବାବେଳେ ଏବେବି ୭୪(୮.୧୦%) ଘର ଅସଂପୂର୍ଣ୍ଣ ରହିଛି। ଅର୍ଥାତ୍‌, ପ୍ରାୟ ୭ ବର୍ଷ ହେଲା ହିତାଧିକାରୀ କେଉଁଠି ନିର୍ମାଣକାର୍ଯ୍ୟ ଆରମ୍ଭ କରିନାହାନ୍ତି ତ ପୁଣି କେଉଁଠାରେ ଅଧପନ୍ତରିଆ ହୋଇପଡ଼ିରହିଛି। ଏହି ଯୋଜନାରେ ସ୍ବଳ୍ପସଂଖ୍ୟକ ଲୋକ ଯୋଡ଼ି ହେବା ପଛରେ ଜମି ସମସ୍ୟା ହିଁ ମୂଳ କାରଣ।

ରାଉରକେଲା ମହାନଗର ନିଗମ ଅଧୀନରେ ଶତାଧିକ ବସ୍ତି ଅଞ୍ଚଳ ରହିଛି। ଓଡ଼ିଶା ସରକାର, ରେଳବାଇ ତଥା ରାଉରକେଲା ଇସ୍ପାତ କାରଖାନା ଜମିରେ ଏସବୁ ବସ୍ତି ଅବସ୍ଥିତ। ବିଭିନ୍ନ ବସ୍ତିରେ ଲୋକେ ଦଶନ୍ଧି ହେଲା ରହୁଛନ୍ତି ସତ; କିନ୍ତୁ ସେମାନଙ୍କୁ ଜମି ପଟ୍ଟା ପାଇପାରୁନାହାନ୍ତି। ଉଲ୍ଲେଖଯୋଗ୍ୟ, ପିଏମ୍‌ଏୱାଇ-ୟୁ ଯୋଜନା ବ୍ୟତିତ ବସ୍ତିବାସୀଙ୍କ ପାଇଁ ଛେଣ୍ଡ୍‌ ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମ ପାଖରେ ବାସଗୃହ ପ୍ରକଳ୍ପ ନିର୍ମାଣ ସରିଛି। ଆଗାମୀ ୨/୩ ମାସ ଭିତରେ ୫ ଶହ ଘର ବିଶିଷ୍ଟ ଗୋଟିଏ ପ୍ରକଳ୍ପର ଶୁଭାରମ୍ଭ ହେବବୋଲି ଜଣାପଡ଼ିଛି। ଏତଦ୍‌ବ୍ୟତୀତ, ଆଗାମୀ ଦିନରେ ୫ଟି ପ୍ରକଳ୍ପ ମାଧ୍ୟମରେ ପାଖାପାଖି ଅଢ଼େଇ ହଜାର ବସ୍ତିବାସୀଙ୍କୁ ବାସଗୃହ ଯୋଗାଇବାକୁ ଆର୍‌ଏମ୍‌ସି ଲକ୍ଷ୍ୟ ରଖିଛି।