ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଶ୍ରେଷ୍ଠ ନୀତିଗତ ପଦକ୍ଷେପ ନେଇଥିବା ରାଜ୍ୟ ଭାବରେ ଓଡ଼ିଶା ‘ପିଏମ୍ଏୱାଇ-ଅର୍ବାନ୍’ପୁରସ୍କାର ପାଇଛି। ଗୁଜରାଟର ରାଜକୋଟ ଠାରେ ଆଜିଠାରୁ ଆରମ୍ଭ ହୋଇଥିବା ତ୍ରିଦିବସୀୟ ‘ଅର୍ବାନ୍ ହାଉସିଂ କନ୍କ୍ଲେଭ୍’ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ଆବାସ ଓ ସହରୀ ବିକାଶ ମନ୍ତ୍ରୀ ହରଦୀପ ସିଂ ପୁରୀ ଏହି ମର୍ଯ୍ୟାଦାଜନକ ପୁରସ୍କାରରେ ଓଡ଼ିଶାକୁ ସମ୍ମାନିତ କରିଛନ୍ତି।
ଓଡ଼ିଶା ସରକାରଙ୍କ ପକ୍ଷରୁ ପୌର ପ୍ରଶାସନ ନିର୍ଦ୍ଦେଶକ ତଥା ଜାଗା ମିସନ୍’ ର ମିସନ୍ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ ଓ ଓଡ଼ିଶା ସହରାଞ୍ଚଳ ଗୃହ ନିର୍ମାଣ ମିସନ୍-‘ଆବାସ୍’ର ମିସନ୍ ନିର୍ଦ୍ଦେଶକ ଦେବାଶିଷ ସିଂହ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ସହରାଞ୍ଚଳର ଭୂମିହୀନ ଗରିବ ବ୍ୟକ୍ତିବିଶେଷଙ୍କୁ ଓଡ଼ିଶା ସରକାର ‘ଜାଗା ମିସନ୍’ ଜରିଆରେ ଭୂମି ଅଧିକାର ଯୋଗାଇ ଦେବା ପାଇଁ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଅର୍ବାନ୍ ଅନ୍ତର୍ଗତ ସହାୟତା ନିମନ୍ତେ ଅନ୍ତର୍ଭୁକ୍ତ କରିବା ଦିଗରେ ନେଇଥିବା ଉଲ୍ଲେଖଯୋଗ୍ୟ ପଦକ୍ଷେପର ସ୍ବୀକୃତି ସ୍ବରୂପ ଭାରତ ସରକାରଙ୍କ ପକ୍ଷରୁ ଏହି ପୁରସ୍କାର ମିଳିଛି। ବିଭିନ୍ନ କଲ୍ୟାଣକାରୀ ଯୋଜନାର ସମନ୍ବୟ ତଥା ଏକାଭିମୁଖୀକରଣ ଦିଗରେ ଓଡ଼ିଶାର ବିଭିନ୍ନ ପଦକ୍ଷେପକୁ ଏହି କନକ୍ଲେଭ୍ରେ ପ୍ରଶଂସା କରାଯାଇଥିଲା।