ପିଏମଇଜିପି: ରେକର୍ଡ ସୃଷ୍ଟିକଲା ଖଦି ଓ ଗ୍ରାମୋଦ୍ୟୋଗ ଆୟୋଗ

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନିଯୁକ୍ତି ସୃଷ୍ଟି କାର୍ଯ୍ୟକ୍ରମ (ପିଏମଇଜିପି)ରେ ଖଦି ଓ ଗ୍ରାମୋଦ୍ୟୋଗ ଆୟୋଗ (କେଭିଆଇସି) ପାଇଁ ୨୦୨୧-୨୨ ଆର୍ଥିକ ବର୍ଷ ସଫଳତାର ବର୍ଷ ହୋଇଛି। ଉକ୍ତ ଆର୍ଥିକ ବର୍ଷରେ ଆୟୋଗ ୧.୦୩ ଲକ୍ଷ ନୂଆ ବିନିର୍ମାଣ ଓ ସେବା ୟୁନିଟ୍‌ ସ୍ଥାପନ କରିଛି। ଏହା ସହ ୮.୨୫ ଲକ୍ଷରୁ ଅଧିକ ରୋଜଗାର ସୃଷ୍ଟିକରିଛି। ଉଦ୍ୟୋଗ ପିଏମ୍‌ଇଜିପିରେ ସରକାରଙ୍କ ଆତ୍ମନିର୍ଭରଶୀଳତାର ସବୁଠାରୁ ଶକ୍ତିଶାଳୀ ଉପାୟ ଭାବେ ଉଭାହୋଇଛି।

୨୦୦୮ରେ ପିଏମଇଜିପି ଯୋଜନାର ଆରମ୍ଭ ହୋଇଥିଲା। ଏହା ପରେ ପ୍ରଥମ ଥର ପାଇଁ କେଭିଆଇସି ଗୋଟିଏ ଆର୍ଥିକ ବର୍ଷରେ ଏକ ଲକ୍ଷରୁ ଅଧିକ ନୂତନ ୟୁନିଟ୍ ସ୍ଥାପନ କରିବାରେ ସଫଳ ହୋଇଛି। ଆୟୋଗ ଏକ ଲକ୍ଷ ୩ ହଜାର ୨୧୯ ୟୁନିଟରେ ପ୍ରାୟ ୧୨ ହଜାର କୋଟି ଟଙ୍କାର ମୋଟ ପୁଞ୍ଜି ବ୍ୟବସ୍ଥା ସହ ୨୯୭୮ କୋଟି ଟଙ୍କାର ‘ମାର୍ଜିନ ମନି’ ସବ୍‌ସିଡି ପ୍ରଦାନ କରାଯାଇଛି। ଏଥି ପାଇଁ ବ୍ୟାଙ୍କ କ୍ରେଡିଟ୍ ପ୍ରାୟ ୯ ହଜାର କୋଟି ଟଙ୍କାରହିଛି। ୨୦୨୧-୨୨ରେ କେଭିଆଇସି ଦ୍ବାରା ଦିଆ ଯାଇଥିବା ୨୯୭୮ କୋଟି ଟଙ୍କାର ମାର୍ଜିନ ମନି ସବ୍‌ସିଡି ୨୦୦୮ ଠାରୁ ଏ ପର୍ଯ୍ୟନ୍ତର ସବୁଠାରୁ ଅଧିକ ପରିମାଣ। ସାରା ଦେଶରେ ଏହା ଦ୍ବାରା ୮ ଲକ୍ଷ ୨୫ ହଜାର ୭୫୨ ନୂଆ ରୋଜଗାର ସୃଷ୍ଟି ହୋଇଛି। ଯାହାକି ପିଏମ୍‌ଇଜିପି ଅନ୍ତର୍ଗତ ଏ ପର୍ଯ୍ୟନ୍ତର ସବୁଠାରୁ ଅଧିକ ରୋଜଗାର।

୨୦୨୦-୨୧ ଆର୍ଥିକ ବର୍ଷ ତୁଳନାରେ ପିଏମ୍‌ଇଜିପି ଅନ୍ତର୍ଗତ ସ୍ଥାପିତ ୟୁନିଟ୍‌ର ସଂଖ୍ୟା ଏବଂ ସୃଷ୍ଟି ହୋଇଥିବା ରୋଜଗାର ସଂଖ୍ୟାରେ ୩୯ ପ୍ରତିଶତ ଲେଖାଏଁ ବୃଦ୍ଧି ହୋଇଛି। ମାର୍ଜିନ୍ ମନି ବିତରଣ ସବ୍‌ସିଡିରେ ମଧ୍ୟ ୧୦୨୦-୨୧ ଆର୍ଥିକ ବର୍ଷ ତୁଳନାରେ ୩୬ ପ୍ରତିଶତର ବୃଦ୍ଧି ପାଇଛି।

କେଭିଆଇସି ଅଧ୍ୟକ୍ଷ ବିନୟ କୁମାର ସାକ୍‌ସେନା ରୋଜଗାର ସୃଷ୍ଟିରେ ହୋଇଥିବା ଏହି ଉଲ୍ଲେଖନୀୟ ବୃଦ୍ଧିର ଶ୍ରେୟ ପ୍ରଧାନମନ୍ତ୍ରୀଙ୍କ ପ୍ରୋତ୍ସାହନକୁ ପ୍ରଦାନ କରିଛନ୍ତି। ପିଏମଇଜିପି ଅନ୍ତର୍ଗତ ଅଧିକ ସଂଖ୍ୟାରେ ଯୁବକ, ମହିଳା ଏବଂ ପ୍ରବାସୀମାନଙ୍କୁ ସ୍ବରୋଜଗାର କାର୍ଯ୍ୟ ଗ୍ରହଣ କରିବା ପାଇଁ ମଧ୍ୟ ପ୍ରୋତ୍ସାହିତ କରାଯାଇଛି। ୨୦୧୬ରେ କେଭିଆଇସି ପିଏମଇଜିପି ପାଇଁ ଅନଲାଇନ୍ ପୋର୍ଟାଲ୍ ପ୍ରସ୍ତୁତ କରିଛି। ଅନଲାଇନ୍ ପୋର୍ଟାଲ୍ ସ୍ଥାପନ ହେବା ପରେ ପ୍ରତି ବର୍ଷ ହାରାହାରି ୪ ଲକ୍ଷ ଆବେଦନ ମିଳୁଛି। ଆଉ ଏକ ପ୍ରମୁଖ ପଦକ୍ଷେପ ଭାବରେ କେଭିଆଇସି ସମସ୍ତ ପିଏମଇଜିପି ୟୁନିଟର ଜିଓ ଟ୍ୟାଗିଂ ମଧ୍ୟ ଆରମ୍ଭ କରିଦେଇଛି। ଯାହା ଫଳରେ କୌଣସି ସମୟରେ ଏହି ୟୁନିଟର ଭୌତିକ ସ୍ଥିତି ଏବଂ ତାହାର ପ୍ରଦର୍ଶନକୁ ଯାଞ୍ଚ କରାଯାଇପାରିବ। କେଭିଆଇସି ନିଜର ରାଜ୍ୟ ନିର୍ଦ୍ଦେଶକଙ୍କ ଦ୍ବାରା ଆବେଦନକୁ ଯାଞ୍ଚ ଏବଂ ପ୍ରେରଣ କରିବାର ସମୟ ସୀମା ୯୦ ଦିନରୁ ୨୬ ଦିନକୁ ହ୍ରାସ କରିଛନ୍ତି।

ସମ୍ବନ୍ଧିତ ଖବର