ଭାପୁର ବ୍ଲକ୍‌ ବିଜିପୁର ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ସଡ଼କ ନିର୍ମାଣ ଅଧାପନ୍ତରିଆ : ଭରସା ସାଜିଛି ବାଉଁଶ ପୋଲ, ବିପଦପୂର୍ଣ୍ଣ ଅବସ୍ଥାରେ ଯିବାଆସିବା କରୁଛନ୍ତି ଲୋକେ

ଭାପୁର : ଗାଁରେ ପକ୍କା ସଡ଼କ ନିର୍ମାଣ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ଭାପୁର ବ୍ଲକ୍‌ ବିଜିପୁର ପଞ୍ଚାୟତ ଅନ୍ତର୍ଗତ ରାମଚନ୍ଦ୍ର ସାହୁ ହାଇସ୍କୁଲ୍‌ଠାରୁ ପଦ୍ମାବତୀ ପଞ୍ଚାୟତ ଅନ୍ତର୍ଗତ ଝଗଡ଼ପଡ଼ା ଦେଇ ଯାଇଥିବା ପ୍ରଧାନମନ୍ତ୍ରୀ ସଡ଼କ ନିର୍ମାଣ ଅଧାପନ୍ତରିଆ ହୋଇଥିବାରୁ ଝଗଡ଼ପଡ଼ା ନିକଟସ୍ଥ କଣିନାଳଠାରେ ଲୋକେ ବାଉଁଶରେ ନିର୍ମିତ ପୋଲ ଉପରେ ବିପଦପୂର୍ଣ୍ଣ ଅବସ୍ଥାରେ ଯିବାଆସିବା କରୁଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ପଦ୍ମାବତୀ ପଞ୍ଚାୟତ ଅନ୍ତର୍ଗତ ଝଗଡ଼ପଡ଼ା ଗ୍ରାମରୁ ବାଦିଲୋ ଦେଇ ଯାଇଥିବା ଗ୍ରାମ୍ୟ ଉନ୍ନୟନ ରାସ୍ତାରେ ପ୍ରତିଦିନ ଶହ ଶହ ଜନସାଧାରଣ ଏବଂ କଲେଜ ଓ ବିଦ୍ୟାଳୟ ପଢ଼ୁଆ ଛାତ୍ରଛାତ୍ରୀମାନେ କଟକ ଜିଲ୍ଲା ଅନ୍ତର୍ଗତ ବଡ଼ମ୍ବା, ଆଠଗଡ଼, ଢେଙ୍କାନାଳ ଆଦି ଅଞ୍ଚଳକୁ ଯିବାଆସିବା କରିଥାନ୍ତି। କିନ୍ତୁ ଏହି ରାସ୍ତା ଅବସ୍ଥା ଶୋଚନୀୟ ଥିବାରୁ ରାସ୍ତାକୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ୩ କ‌ିଲୋମିଟର ୮ଶହ ମିଟରର ରାସ୍ତା କାମକୁ ଟେଣ୍ଡର୍‌ ମାଧ୍ୟମରେ ଠିକାଦାରଙ୍କୁ ରାସ୍ତା ନିର୍ମାଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଠିକାଦାର ରାସ୍ତା କାମ ଗତ ୩୦/୧୦/୨୦୧୩ ରେ ଆରମ୍ଭ କରିଥିବା ବେଳେ ୨୯/୭/୨୦୧୪ ରେ କାର୍ଯ୍ୟ ଶେଷ ହେବାର ଅବଧି ରହିଥିବା ଫଳକରେ ଲେଖାଅଛି। ଏଥିପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୨ କୋଟି ୨୪ ଲକ୍ଷ ୫୮ ହଜାର ୬୯୬ ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା ଏବଂ ୫ ବର୍ଷରେ ରାସ୍ତା ରକ୍ଷଣାବେକ୍ଷଣ ନିମନ୍ତେ ୧୧ ଲକ୍ଷ ୮୨ ହଜାର ୬୯୬ ଟଙ୍କା ମଞ୍ଜୁର ହୋଇଥିବା ଜଣାପଡ଼ିଛି।

ରାସ୍ତା ନିର୍ମାଣର ଅଳ୍ପ ଦିନ ନ ଯାଉଣୁ ରାସ୍ତା ସାରା ଫାଟ ସୃଷ୍ଟି ହୋଇ ସ‌ିମେଣ୍ଟ୍‌ କଂକ୍ରିଟ୍‌ ଖଣ୍ଡ ଗଡ଼ ଗଡ଼ ହୋଇଯାଇ ଥିବ‌ାବେଳେ କଣିନାଳ ନିକଟରେ ଆଜି ପର୍ଯ୍ୟନ୍ତ ପୋଲ ନିର୍ମାଣ ହୋଇପାରିଲା ନାହିଁ। ଏହି ଘଟଣାକୁ ନେଇ ଅଞ୍ଚଳବାସୀ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଗୁହାରି କରିଥିଲେ ମଧ୍ୟ କିଛି ସୁଫଳ ମିଳୁ ନାହିଁ। ଝଗଡ଼ପଡ଼ା ଗ୍ରାମବାସୀଙ୍କ ପକ୍ଷରୁ ବାଉଁଶରେ ଝୁଲା ପୋଲ ନିର୍ମାଣ କରାଯାଇଥିଲେ ମଧ୍ୟ ତାହା ସୁରକ୍ଷିତ ନୁହେଁ। ଏହି ବାଉଁଶ ପୋଲ ଦେଇ ଶହ ଶହ ଲୋକେ ପ୍ରତିଦିନ ପଞ୍ଚାୟତକୁ ଯିବା ଆସିବା କରୁଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ଏହି ସ୍ଥାନରେ ପୋଲ ନିର୍ମାଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର