ରାଇରଙ୍ଗପୁର/ଗୋରୁମହିଷାଣୀ: କେନ୍ଦ୍ର ସରକାର ଗ୍ରାମ୍ୟ ରାସ୍ତା ଗୁଡ଼ିକର ଉନ୍ନତୀକରଣ କରାଇଛନ୍ତି। ପିଚୁ ଓ ପକ୍କା ରାସ୍ତା ନିର୍ମାଣ କରି ମୁଖ୍ୟ ରାସ୍ତା ସହିତ ଯୋଡ଼ିବା ପାଇଁ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି। ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାର ପରିକଳ୍ପନା କରାଯାଇ ବିଭିନ୍ନ ଗ୍ରାମ ରାସ୍ତାରେ ଏହାର ସଫଳ ରୂପାୟନ କରିଛନ୍ତି। ଉକ୍ତ କାର୍ଯ୍ୟ ଗୁଡ଼ିକ ବିଭିନ୍ନ ଅଧିକାରୀମାନଙ୍କ ଦ୍ୱାରା କାର୍ଯ୍ୟମାନର ଯାଞ୍ଚ ସମୟ ସମୟରେ ହେଉଥିଲା। ମାତ୍ର ପରବର୍ତୀ ସମୟରେ ବିଭାଗୀୟ ଅଧିକାରୀ ଓ ଠିକାଦାରମାନଙ୍କ ମଧୁଚନ୍ଦ୍ରିକା ଫଳରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ସ୍ୱଚ୍ଛତା ଅବଲମ୍ବନ କରାଯାଉ ନ ଥିବାର ଅଭିଯୋଗ ହେଉଛି। ଫଳ ସ୍ୱରୂପ ଅନେକ ରାସ୍ତା ନିର୍ମାଣ ହେବାର କିଛି ଦିନ ମଧ୍ୟରେ କେଉଁଠି ପିଚୁ ଉଠି ଗଲାଣି ତ କେଉଁଠି ପୋଲ ପାଖ ରାସ୍ତା ଦାବିଗଲାଣି। ସେଗୁଡିକର ନିରପେକ୍ଷ ତଦନ୍ତ ସାପେକ୍ଷ। ଏହାର ଏକ ଜଳନ୍ତ ଉଦାହରଣ ଦେଖିବାକୁ ମିଳିଛି ମୟୂରଭଂଜ ଜିଲ୍ଲା ଗୋରୁମହିଷାଣୀଠାରୁ ବହଳଦା ବ୍ଲକ ବାଉଣ୍ଡାରୀ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା କାର୍ଯ୍ୟ ଅନ୍ତର୍ଗତ ଜାମବାଣୀ ଗ୍ରାମ ଦାଣ୍ଡରେ। ପ୍ରାୟତଃ କଳଙ୍କି ଲାଗି ଆସିଥିବା ସୂଚନା ଫଳକ ତଥ୍ୟ ଆଧାରରେ ଉକ୍ତ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା କାର୍ଯ୍ୟ ଗୋରୁମହିଷାଣୀ ଠାରୁ ବହଳଦା ବ୍ଲକ ବାଉଣ୍ଡାରୀ ଭାୟା ଜାମବାଣୀ ଓ ଚାପଲ ଗ୍ରାମ ଦେଇ ଯାଇଛି। ଯାହାର ଅଟକଳ ମୂଲ୍ୟ ୩ କୋଟି ୬୬ ଲକ୍ଷ ୩୯ ହଜାର ୮୭୮ ଟଙ୍କା। କାର୍ଯ୍ୟାରମ୍ଭ ତାରିଖ ୦୯ ସେପ୍ଟେମ୍ବର ୨୦୨୨ ଓ କାର୍ଯ୍ୟ ସମାପ୍ତ ତାରିଖ ୮ ଅଗଷ୍ଟ ୨୦୨୩ ବୋଲି ସୂଚନା ଫୋଳକରେ ଉଲ୍ଲେଖ ଅଛି।ଠିକାଦାରଙ୍କ ନାମ କଳାୱତୀ ବିଲଡର୍ସ।
ତେବେ ଅଗଷ୍ଟ ୨୦୨୩ ରେ ସମାପ୍ତ ହେବାର ଥିଲା କିନ୍ତୁ ବିଭାଗୀୟ ଅଧିକାରୀ ମାନଙ୍କ ଉଦାସୀନ ମନଭାବ ଯୋଗୁଁ ସମାପ୍ତରେ ଅହେତୁକ ବିଳମ୍ବ ପରିଲକ୍ଷିତ ହୁଏ। ତେବେ ବିଡମ୍ବନାର ବିଷୟ ଯେ ଜାମବାଣୀ ଗ୍ରାମର କଂକ୍ରିଟ ରାସ୍ତା ନିର୍ମାଣ ସମୟରେ ଶିଶୁ ଟାଇଗର କ୍ଳବ୍ ଛକ ନିକଟରେ ଅନ୍ୟୁନ ୬୦ଫୁଟ କାର୍ଯ୍ୟକୁ ଅସମାପ୍ତ ରଖି ଥିବାରୁ ଉକ୍ତ ସ୍ଥାନରେ ବର୍ଷା ଜଳ ଦୀର୍ଘ ଦେଢମାସରୁ ଅଧିକା ରହିବା ଫଳରେ ସେଥିରୁ ଦୁର୍ଗନ୍ଧ ହେବାରେ ଲାଗିଲାଣି ବୋଲି ଗ୍ରାମବାସୀ ଅଭିଯୋଗ କରନ୍ତି। ଉକ୍ତ ଦୂଷିତ ପାଣିରେ ବିଭିନ୍ନ ପକଜୋକ ବସବାସ କରିବାରୁ ବତକ ମାନେ ଗଡିଆ ଭାବି ପହଁରୁ ଥିବା ପରିଲକ୍ଷିତ ହେଉଛି। ଉକ୍ତ ଦୂଷିତ ଜଳ ମଧ୍ୟ ଦେଇ କୁନିକୁନି ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ଯାଉଥିବାରୁ ଭବିଷ୍ୟତରେ ଚର୍ମ ରୋଗ ପରି ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯିବାର ଆଶଙ୍କା ପ୍ରକାଶ ରହିଛି। ଏଥି ସହିତ ଗ୍ରାମର ମହିଳାମାନେ ଉକ୍ତ ଦୂଷିତ ଜଳ ମଧ୍ୟରେ ପଶି ନିକଟସ୍ଥ ନଳକୂପକୁ ପାଣି ଆଣିବାପାଇଁ ଯାଉଥିବାର ପ୍ରକାଶ କରିଛନ୍ତି। ଗ୍ରାମ ମଧ୍ୟରେ ଦରଖଣ୍ଡିଆ କଂକ୍ରିଟ ରାସ୍ତା କାର୍ଯ୍ୟ ଦୀର୍ଘ ଦିନ ଅସମ୍ପୂର୍ଣ୍ଣ ରହିଥିବାରୁ ଗ୍ରାମ ରେ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଥିବାର ଗ୍ରାମବାସୀମାନେ ଅଭିଯୋଗ କରନ୍ତି।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମ୍ୟାଲେରିଆ ନିରାକରଣ ପାଇଁ ଘର, ଅଗଣା ପ୍ରଭୃତିରେ ଦୀର୍ଘ ଦିନ ପାଣି ଜମା ନ ରଖିବାପାଇଁ ପ୍ରଚାର ପ୍ରସାର ସରକାରଙ୍କ ପକ୍ଷରୁ କରାଯାଉଥିବା ବେଳେ ଜାମବାଣୀ ଗ୍ରାମର ମଧ୍ୟ ଭାଗରେ ଦେଢ଼ ମାସରୁ ଅଧିକ ହେଲା ପାଣି ଜମା ରହିବା ଯୋଗୁଁ ଡେଙ୍ଗୁ ମ୍ୟାଲେରିଆ ରୋଗ ପାଇଁ ଆତଙ୍କିତ ହେଉଛନ୍ତି। ଏ ସମ୍ୱନ୍ଧରେ ରାଇରଙ୍ଗପୁରସ୍ଥ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଅଧିକାରୀ ଦୁର୍ଯୋଧନ ବେହେରାଙ୍କ ସହିତ ଯୋଗାଯୋଗ କରିବାରୁ ଅସମ୍ପୂର୍ଣ୍ଣ ରାସ୍ତାକୁ ଯଥାଶୀଘ୍ର ସମ୍ପୂର୍ଣ୍ଣ କରାଯିବ ବୋଲି ମତ ରଖିଛନ୍ତି।