କେନ୍ଦ୍ରାପଡ଼ା ନିପାଣିଆ ଡଙ୍ଗାବୁଡ଼ି ଘଟଣା: ପିଏମଓରୁ ମୃତକଙ୍କ ପରିବାରକୁ ମିଳିବ ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ନିପାଣିଆ ଠାରେ ଚଳିତ ମାସ ୨ ତାରିଖରେ ଡଙ୍ଗାବୁଡ଼ି ଘଟଣାରେ ମୃତକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଯୋଗାଇ ଦିଆଯିବ ବୋଲି ଘୋଷଣା ହୋଇଛି। କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନକୁ ଏ ନେଇ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମ୍‌ଓ) ପକ୍ଷରୁ ନୋଟିସ ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।

ସେହିଭଳି ଆହତ ପରିବାରଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ଦିଆଯିବ ବୋଲି ପିଏମ୍‌ଓ କାର୍ଯ୍ୟାଳୟ ଘୋଷଣା କରିଛି। ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡଙ୍ଗାବୁଡ଼ି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହିତ ୧୦ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଦେବାକୁ ଘୋଷଣା କରିଛନ୍ତି।

ସୂଚନା ଅନୁସାରରେ, କେନ୍ଦ୍ରାପଡ଼ା ଜିଲ୍ଲାର  ହୁକିଟୋଲା ବତୀଘରକୁ କୁଜଙ୍ଗ ଅଞ୍ଚଳର ମହିଳା ଓ ଶିଶୁଙ୍କ ସମେତ  ପ୍ରାୟ  ୪୫ଜଣ ପିକ୍‌ନିକ୍‌ କରିବାକୁ ଯାଇଥିଲେ।  ପିକନିକ ସାରି ସଂଧ୍ୟାରେ ସେମାନେ ଫେରୁଥିବା ସମୟରେ ନଈରେ ବଡ଼ ବଡ଼ ଢ଼େଉ ଆସିବାରୁ ମହାନଦୀ ମୁହାଣ ନିକଟରେ ଡଙ୍ଗାଚାଳକ  ଡଙ୍ଗାର ଭାରସାମ୍ୟ ରକ୍ଷା କରିପାରି ନ ଥିଲେ, ଫଳରେ ଡଙ୍ଗାଟି ବୁଡ଼ି ଯାଇଥିଲା। ଏଥିରେ ବସିଥିବା ସମସ୍ତ ଯାତ୍ରୀ ପାଣିରେ ପଡ଼ି ଯାଇଥିଲେ।

ସମ୍ବନ୍ଧିତ ଖବର