କଟକ: ଫିଜିକାଲ୍ ମେଡିସିନ୍ ରିହାବିଲିଟେସନ୍(ପିଏମ୍ଆର୍) ଏବଂ ମେରୁଦଣ୍ଡ ଆଘାତ ବିଭାଗ ନାଁରେ ଏକ ସ୍ବତନ୍ତ୍ର ବିଭାଗ ଏସ୍ସିବି ମେଡିକାଲରେ ଯୋଡ଼ିହେବାକୁ ନିଷ୍ପତ୍ତି ହୋଇଥିଲା। ଏବେ ଥିବା ଆଞ୍ଚଳିକ ମେରୁଦଣ୍ଡ ଆଘାତ ଚିକିତ୍ସା କେନ୍ଦ୍ର (ଆର୍ଏସ୍ଆଇସି) ବଦଳରେ ଏହି ନୂଆ ବିଭାଗ ଖୋଲିଥାନ୍ତା। କିନ୍ତୁ ଏହି ନିଷ୍ପତ୍ତି କେଉଁ ଅଦୃଶ୍ୟ କାରଣରୁ କାର୍ଯ୍ୟକାରୀ ହେଉନି। କେନ୍ଦ୍ରର ନିର୍ଦ୍ଦେଶକ ଦାୟିତ୍ବରେ ଥିବା ଅସ୍ଥିଶଲ୍ୟ ବିଭାଗର ବିଭାଗୀୟ ମୁଖ୍ୟ ଏହାକୁ ବିଭାଗ ଭାବେ ଘୋଷଣା ଓ କାର୍ଯ୍ୟରତ କର୍ମଚାରୀମାନଙ୍କୁ ସପ୍ତମ ବେତନ କମିସନ୍ ଆଧାରରେ ଦରମା ଦେବାକୁ ବାରମ୍ବାର ଚିଠି ଲେଖି ସାରିଲେଣି। କିନ୍ତୁ ସରକାରଙ୍କ ପକ୍ଷରୁ କୌଣସି ପ୍ରକାର ଜବାବ ମିଳୁନାହିଁ।
୨୦୦୧ରେ କେନ୍ଦ୍ର ସରକାରଙ୍କ ଆର୍ଥିକ ସହାୟତାରେ ମେରୁଦଣ୍ଡ ଆଘାତ ଚିକିତ୍ସା କେନ୍ଦ୍ର (ଆର୍ଏସ୍ଆଇସି) ଖୋଲିଥିଲା। ପ୍ରଥମେ ଏହା ଏକ ସୋସାଇଟି ଭାବେ କାର୍ଯ୍ୟ କରୁଥିଲା। ୯୦ ପ୍ରତିଶତ ଆର୍ଥିକ ସହାୟତା କେନ୍ଦ୍ର ସରକାର ଓ ୧୦ ପ୍ରତିଶତ ରାଜ୍ୟ ସରକାର ଦେଲେ। ୨୦୦୬ ଯାଏଁ ଏଭଳି ଚାଲିଲା। ପରେ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ଅଧୀନରେ ଏକ ସ୍ବୟଂଶାସିତ ସ୍ବାସ୍ଥ୍ୟ ଅନୁଷ୍ଠାନ ଭାବେ ଏହା କାର୍ଯ୍ୟ କଲା। ବାର୍ଷିକ ୫୦ ଲକ୍ଷ ଟଙ୍କା ଏହି ସୋସାଇଟି ପରିଚାଳନା ପାଇଁ ପ୍ରଦାନ କରାଯାଇଥିଲା। ପରବର୍ତ୍ତୀ ସମୟରେ ଏହି ପରିମାଣ ୨ କୋଟି ଟଙ୍କାରେ ପହଞ୍ଚିଲା। ୨୦୦୯ରେ ତତ୍କାଳୀନ ସ୍ବାସ୍ଥ୍ୟ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟଙ୍କ ସମୟରେ ସମସ୍ତ କର୍ମଚାରୀଙ୍କୁ ସ୍ଥାୟୀ କରିବାକୁ ଯୋଜନା ହେଲା। ୨୦୧୨ରେ ୫୦ଟି ନୂଆ ପଦବି ସୃଷ୍ଟି ହେଲା। ପୂର୍ବରୁ ଯେଉଁ ୨୫ ଜଣ କର୍ମଚାରୀ ଠିକା ଭିତ୍ତିରେ କାମ କରୁଥିଲେ ସେମାନେ ଏହି ପଦବିରେ ଥଇଥାନ ହେଲେ। ପ୍ରଫେସର ଡାକ୍ତର ସି.ବି.କେ ମହାନ୍ତି ଡିଏମ୍ଇଟି ହେବା ପରେ ୨୦୨୧ ଜୁଲାଇ ୨୩ରେ ଫିଜିକାଲ୍ ମେଡିସିନ୍ ରିହାବିଲିଟେସନ୍ ଏବଂ ମେରୁଦଣ୍ଡ ଆଘାତ ବିଭାଗ କରିବାକୁ ନିଷ୍ପତ୍ତି ହେଲା। ଏନେଇ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଲା। ୨୦୨୧ ଅକ୍ଟୋବର ୨୭ରେ ପୂର୍ବରୁ ଥିବା ୫୦ଟି ପଦବି ବାଦ୍ ଆହୁରି ଅତିରିକ୍ତ ୧୨ଟି ନୂଆ ପଦବିକୁ ଅର୍ଥ ବିଭାଗର ଅନୁମୋଦନ ମିଳିଥିଲା। ୨୦୨୨ ଏପ୍ରିଲ ୨୭ରେ ସ୍ବତନ୍ତ୍ର ପରିଚାଳନା କମିଟି ବୈଠକ ଡକାଯାଇ ସୋସାଇଟିକୁ ହଟାଇବା ସହିତ ଏହାକୁ ବିଭାଗ ଭାବେ ଘୋଷଣା କରିବାକୁ ଚିଠି ହୋଇଥିଲା। ତତ୍କାଳୀନ ସ୍ବାସ୍ଥ୍ୟ ବିଭାଗ ସଚିବ ନିକୁଞ୍ଜ ବିହାରୀ ଧଳଙ୍କ ଅଧ୍ୟକ୍ଷତାରେ ପରିଚାଳନା କମିଟି ବୈଠକ ବସିଥିଲା। ପରିଚାଳନା କମିଟିର ଅଧ୍ୟକ୍ଷ ଥିଲେ ଶ୍ରୀ ଧଳ। ଏହାପରେ ରାଜ୍ୟ ସରକାରଙ୍କ କୌଣସି ବିଧିବଦ୍ଧ ନିର୍ଦ୍ଦେଶନାମା ବିଭାଗ ଘୋଷଣା ସମ୍ପର୍କରେ ପ୍ରକାଶ ପାଇଲା ନାହିଁ। ଯେଉଁ ନୂଆ ପଦବି ସୃଷ୍ଟି କରାଯାଇଥିଲା ଏହା ବଦଳରେ କୌଣସି ନୂଆ ନିଯୁକ୍ତି ବି ହେଲାନାହିଁ।
ଅନ୍ୟପଟେ ୨୫ ବର୍ଷ ହେବ ଏଠାରେ କାର୍ଯ୍ୟରତ ୪୦ ଜଣ କର୍ମଚାରୀଙ୍କ ଦରମା ବାଦ୍ ଅନ୍ୟ କୌଣସି ସରକାରୀ ସୁବିଧା ମିଳିଲା ନାହିଁ। ସପ୍ତମ ବେତନ କମିସନ ପାଇବାରୁ ବଞ୍ଚିତ ହୋଇଛନ୍ତି। ଗ୍ରାଚ୍ୟୁଇଟି ଓ ପେନ୍ସନ୍ ବ୍ୟବସ୍ଥା ନାହିଁ। କେବଳ ଇପିଏଫ୍ ପେନ୍ସନ୍ ସୁବିଧା ରହିଛି। ଅବସର ନେଉଥିବା କର୍ମଚାରୀଙ୍କୁ ବି କୌଣସି ସରକାରୀ ସହାୟତା ମିଳୁନାହିଁ। ଜଣେ ଅବସରପ୍ରାପ୍ତ କର୍ମଚାରୀ ଏହାକୁ ନେଇ କୋର୍ଟର ଦ୍ବାରସ୍ଥ ହେବା ପରେ କୋର୍ଟ ତାଙ୍କ ସପକ୍ଷରେ ରାୟ ଦେଲେ। କିନ୍ତୁ ତାହା ବି କାର୍ଯ୍ୟକାରୀ ହେଉନାହିଁ। ଏବେ କେହି ସ୍ଥାୟୀ ମେଡିକାଲ୍ ଅଫିସର କି ଡାକ୍ତର ନାହାନ୍ତି। ଏସ୍ସିବି ଅସ୍ଥିଶଲ୍ୟ ବିଭାଗର ମୁଖ୍ୟ ଏହି କେନ୍ଦ୍ରର ନିର୍ଦ୍ଦେଶକ ଦାୟିତ୍ବରେ ଅଛନ୍ତି। ବର୍ଷକୁ ଏହି କେନ୍ଦ୍ରକୁ ହାରାହାରି ୨୫ ହଜାର ରୋଗୀ ମେରୁଦଣ୍ଡ ଆଘାତ ଜନିତ ସମସ୍ୟାର ଚିକିତ୍ସା ପାଇଁ ଆସୁଥିଲେ ବି ଏଭଳି ପରିଚାଳନାଗତ ନିଷ୍କ୍ରିୟତା ପ୍ରତିଷ୍ଠାନର ବିକାଶରେ ବାଧକ ହୋଇଛି।