ସେପ୍ଟେମ୍ବର ୨୨ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଝାରସୁଗୁଡା ଏୟାରପୋର୍ଟର ଉଦଘାଟନ କରିବେ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ସେପ୍ଟେମ୍ବର ୨୨ରେ ଓଡ଼ିଶା ଗ୍ରସ୍ତରେ ଆସିବାର ସମ୍ଭାବନା ରହିଛି । ଏ ସଂପର୍କରେ ସରକାରୀଭାବେ ଘୋଷଣା ହୋଇନଥିଲେ ମଧ୍ୟ ବିଶ୍ୱସ୍ତ ସୁତ୍ରରୁ ଜଣାପଡିଛି ଯେ ସେ ଝାରସୁଗୁଡାରେ ନବନିର୍ମିତ ଏୟାରପୋର୍ଟର ଉଦଘାଟନ ଓ ତାଳଚେରଠାରେ ଥିବା ସାରକାରଖାନା ପୁନରୁଦ୍ଧାର ପ୍ରକଳ୍ପର ଶିଳାନ୍ୟାସ କରିବେ । ସେ ୨୨ ତାରିଖରେ ନୂଆଦିଲ୍ଲୀରୁ ବାହାରି ସିଧାସଳଖ ଝାରସୁଗୁଡାରେ ପହଞ୍ଚି ସେଠାରେ ଏୟାରପୋର୍ଟକୁ ଉଦଘାଟନ କରିବେ । ଝାରସୁଗୁଡାରେ ସେ ନବନିର୍ମିତ ଏୟାରପୋର୍ଟକୁ ଉଦଘାଟନ କରିବା ସହ ଝାରସୁଗୁଡା-ରାଞ୍ଚି ଫ୍ଲାଇଟର ଶୁଭାରମ୍ଭ କରିବେ । ଏହା ପରେ ସେ ବାୟୁସେନାର ଏକ ହେଲକାପ୍ଟର ଯୋଗେ ତାଳଚେର ଆସି ସେଠାରେ ଥିବା ସାରକାରଖାନର ପୁନରୁଦ୍ଧାର ପ୍ରକଳ୍ପର ଶିଳାନ୍ୟାସ କରିବେ । ଏହି ଶିଳାନ୍ୟାସ ପରେ ସେ ଏକ ଜନସଭାକୁ ସମ୍ବୋଧିତ କରିବେ । ତାଳଚେରରୁ ସେ ସିଧାସଳଖ ଝାରସୁଗୁଡା ଫେରି ସେଠାରୁ ସଂଧ୍ୟା ୫ଟାରେ ନୂଆଦିଲ୍ଲୀ ଫେରିଯିବେ । ଝାରସୁଗୁଡା ଏୟାରପୋର୍ଟ ପାଇଁ କେନ୍ଦ୍ର ସରକାର ୧୭୫ କୋଟି ଟଙ୍କା ଦେଇଥିବା ବେଳେ ଓଡ଼ିଶା ସରକାର ୫୦ କୋଟି ଦେଇଛନ୍ତି ।

ସମ୍ବନ୍ଧିତ ଖବର