ପିଏନ୍‌ବିରୁ ୩୨କୋଟି ଠକେଇର ଖୋଳତାଡ଼ କରୁଛି ସିବିଆଇ, ପୂର୍ବତନ ନିର୍ଦ୍ଦେଶକଙ୍କ ଲକର୍‌ରୁ ୩୭ ଲକ୍ଷ ଜବତ

ଭୁବନେଶ୍ବର: ପଞ୍ଜାବ ନ୍ୟାସନାଲ୍‌ ବ୍ୟାଙ୍କ (ପିଏନ୍‌ବି)ର ଷ୍ଟେସନ ସ୍କୋୟାର୍ ଶାଖାରୁ ଗ୍ଲୋବାଲ୍ ଟ୍ରେଡିଂ ସଲ୍ୟୁସନ୍ସ ଲିମିଟେଡ୍‌ କରିଥିବା ୩୨ କୋଟି ଟଙ୍କା ଠକେଇର ଖୋଳତାଡ଼ କରୁଛି ସିବିଆଇ। ଆଜି ସିବିଆଇକୁ ବଡ଼ ସଫଳତା ମିଳିଛି। ଭୁବନେଶ୍ବରର କିଟ୍‌ ଛକରେ ଥିବା ୟୁନିଅନ ବ୍ୟାଙ୍କ୍‌ରୁ ୩୭ ଲକ୍ଷ ଟଙ୍କା ଜବତ ହୋଇଛି। କେଉଁ ଅଭିଯୁକ୍ତର ଆକାଉଣ୍ଟରୁ ନୁହେଁ, ବରଂ ସଂସ୍ଥାର ପୂର୍ବତନ ନିର୍ଦ୍ଦେଶକ କୌଶିକ ମହାନ୍ତିଙ୍କ ଲକର୍‌ରୁ ଏହି ମୋଟା ଅଙ୍କର ଅର୍ଥ ଜବତ ହୋଇଥିବା ସିବିଆଇ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟ ଆକାଉଣ୍ଟ ଓ ଲକର୍‌ ସବୁ ଖୋଜା ଚାଲିଛି। ଖୁବ୍‌ଶୀଘ୍ର ଏହି ଠକେଇର ମୂଳ ପର୍ଯ୍ୟନ୍ତ ସିବିଆଇ ପହଞ୍ଚିବ ବୋଲି କୁହାଯାଇଛି।

ପଞ୍ଜାବ ନ୍ୟାସନାଲ୍‌ ବ୍ୟାଙ୍କ (ପିଏନ୍‌ବି)ର ଷ୍ଟେସନ ସ୍କୋୟାର୍ ଶାଖାରେ ଏଭଳି ଠକେଇ ହୋଇଥିବା ନେଇ ବ୍ୟାଙ୍କର ସର୍କଲ୍ ମୁଖ୍ୟ ଗଣପତ୍‌ ଲାଲ୍‌ ସିବିଆଇରେ ଅଭିଯୋଗ କରିଥିଲେ। ଲୁଇସ୍‌ ରୋଡ୍‌ସ୍ଥିତ ଗ୍ଲୋବାଲ୍ ଟ୍ରେଡିଂ ସଲ୍ୟୁସନ୍ସ ଲିମିଟେଡ୍‌ ସଂସ୍ଥା ଏହି ଠକେଇ କରିଥିଲା। ଅଭିଯୋଗ ପରେ ଗ୍ଲୋବାଲ୍‌ ଟ୍ରେଡିଂ ସଲ୍ୟୁସନ୍ସର ଏମ୍‌ଡି ଅବିନାଶ ମହାନ୍ତି, ପୂର୍ବତନ ନିର୍ଦେଶକ କୌଶିକ ମହାନ୍ତି ଓ ଅଂଶୁମାନ ସାମନ୍ତରାୟ ଏବଂ ନିର୍ଦେଶକ ବିଧୁଭୂଷଣ ନାୟକଙ୍କ ସମେତ ଠକେଇ ସମୟର ପିଏନ୍‌ବି ମହାପ୍ରବନ୍ଧକ ନାଗମଣି ସତ୍ୟନାରାୟଣ ପ୍ରକାଶ, ଏଜିଏମ୍‌ ସି ଏସ୍‌ ଶର୍ମା, ମୁଖ୍ୟ ପ୍ରବନ୍ଧକ ମନୋରଞ୍ଜନ ଦାସ ଓ ବରିଷ୍ଠ ଅଧିକାରୀ ପ୍ରିୟତୋଶ ଦାସଙ୍କ ବିରୋଧରେ ସିବିଆଇ ମାମଲା ରୁଜୁ କରିଥିଲା। ୨୦୧୦-୨୦୧୫ ମଧ୍ୟରେ କ୍ୟାସ୍‌ କ୍ରେଡିଟ୍‌, ବିଲ୍‌ ଡିସ୍‌କାଉଣ୍ଟିଂ, ଲେଟର ଅଫ୍ କ୍ରେଡିଟ୍ ଜାରି କରିବା ଉପାୟରେ ଠକେଇ ହୋଇଥିଲା ଯେଉଁଥିପାଇଁ ପିଏନ୍‌ବିର ୩୧ କୋଟି ୯୨ ଲକ୍ଷ ୬୮ ହଜାର ୯୦୬ ଟଙ୍କାର କ୍ଷତି ହୋଇଥିଲା। ମାମଲା ରୁଜୁ ହେବା ପରେ କଟକ, ଭୁବନେଶ୍ବର, କୋଲକତାରେ ଥିବା ଅଭିଯୁକ୍ତମାନଙ୍କର ଘରେ ସିବିଆଇ ଚଢ଼ଉ କରିଥିଲା। ଚଢ଼ଉ ବେଳେ ଲକର ଚାବି ସହ ଅନେକ ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ୍‌ ଜବତ ହୋଇଥିଲା। ଗୋଟିଏ ଲକର ଚାବି ବଳରେ ଏହି ମୋଟା ଅଙ୍କର ଟଙ୍କା ଜବତ ହୋଇଛି। ଅନ୍ୟ ଲକର୍‌ଗୁଡ଼ିକୁ କ୍ରମାନ୍ବୟରେ ଯାଞ୍ଚ କରାଯିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର