ଶିମିଳିପାଳରେ ଶିକାରୀଙ୍କ କାର୍ଯ୍ୟକଳାପ: ଜନବସତିକୁ ପଶିଆସିଲା କଲରାପତରିଆ ବାଘ, ସନ୍ଧ୍ୟା ପୂର୍ବରୁ ତାଟି କବାଟ ବନ୍ଦ

ବନବିଭାଗ କହିଲା ବଣଭୁଆଁ ହୋଇଥାଇପାରେ

ବାରିପଦା: ଜନବସତିକୁ ପଶିଆସିଲା କଲରାପତରିଆ ବାଘ। ତେବେ ରାତିରେ ଆସି ରାତିରେ ବାଘଟି ଫେରିଯାଇଥିବାରୁ କେଣସି କ୍ଷୟକ୍ଷତିର ସୂଚନା ନାହିଁ। ମୟୂରଭଂଜ ଜିଲ୍ଲାର ବଡ଼ସାହି ବ୍ଲକ ଅଧୀନ ଗୋବିନ୍ଦପୁର ଗ୍ରାମସହିତ ଆଖପାଖ ଗ୍ରାମଗୁଡ଼ିକରେ ବାଘକୁ ନେଇ କୋକୁଆ ଭୟ ଖେଳିଯାଇଛି। ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଶିକାରୀଙ୍କ କାର୍ଯ୍ୟକଳାପ ବଢୁଥିବାରୁ କଲରାପତରିଆ ବାଘ ଭଳି ଏକ ପ୍ରାଣୀ ଭୟରେ ଜନବସତି ମୁହାଁ ହୋଇଥିବା ବନ୍ୟପ୍ରାଣୀ ବିଶେଷଜ୍ଞମାନେ ମତ ରଖିଛନ୍ତି। ତେବେ ଏହା କଲରାପତରିଆ ବାଘ ନା ବଣଭୂଆଁ ତାହା ଏଯାଏଁ ସ୍ପଷ୍ଟ ହୋଇପାରିନଥିବା ଡିଏଫ୍‌ଓ ସ୍ୱଂୟମ୍‌ ମଲ୍ଲିକ ସୂଚନା ଦେଇଛନ୍ତି। ସଂପୃକ୍ତ ଅଞ୍ଚଳରେ କ୍ୟାମେରା ଟ୍ରାପିଂ କରାଯିବ। ଦୁଇ ତିନି ଦିନ ମଧ୍ୟରେ ପ୍ରକୃତ ସତ ଜଣାପଡ଼ିବ।

ତେବେ ଉକ୍ତ ପ୍ରାଣୀଟି ବର୍ତ୍ତମାନ ସମୟରେ ଆଉ ଜନବସତି ମଧ୍ୟରେ ନଥିବାରୁ ଭୟର କୌଣସି କାରଣ ନାହିଁ ବୋଲି ଶ୍ରୀ ମଲ୍ଲିକ କହିଛନ୍ତି। ଗତକାଲି ସନ୍ଧ୍ୟା ସମୟରେ ଗୋବିନ୍ଦପୁର ଗ୍ରାମର ବାହାଦୂର ସିଂ ଗ୍ରାମ ମୁଣ୍ଡ ଜଙ୍ଗଲ ରାସ୍ତାରେ ଯାଉଥିବା ବେଳେ ଏକ କଲରାପତରିଆ ବାଘ ବୁଲୁଥିବାର ଦେଖିବାକୁ ପାଇଥିଲେ। ଭୟଭୀତ ହୋଇ ଗାଁ ଭିତରକୁ ଦୌଡ଼ି ଗ୍ରାମବାସୀଙ୍କୁ ଏସମ୍ପର୍କରେ ଖବର ଦେଇଥିଲେ। ବାହାଦୂରଙ୍କ ନିକଟରୁ ବାଘ ଆସିଥିବାର ଖବର ଶୁଣି କେତେକ ଗ୍ରାମବାସୀ ନିଜ ନିଜ ଘରର ତାଟି କବାଟ ବନ୍ଦ କରିଦେଇଥିବା ବେଳେ କେତେକ ଯୁବକ ଲାଇଟ ଆଦି ଧରି ବାଘକୁ ଖୋଜିବାରେ ଲାଗିଥିଲେ। ଏହି ସମୟରେ ମାଟିରେ ବାଘର ପାଦ ଚିହ୍ନ ପଡ଼ିଥିବାର ଦେଖି ଜଙ୍ଗଲ ବିଭାଗକୁ ଖବର ଦେଇଥିଲେ। ବନ କର୍ମଚାରୀମାନେ ପହଁଞ୍ଚି ଚାରି ଆଡ଼େ ଖୋଜାଖୋଜି କରିଥିଲେ ମଧ୍ୟ ବାଘର କୌଣସି ସନ୍ଧାନ ପାଇନଥିଲେ।

ଏବିଷୟରେ ଅବୈତନିକ ବନ୍ୟ ପ୍ରାଣୀ ତତ୍ୱାବଧାରକ ଭାନୁମିତ୍ର ଆଚାର୍ଯ୍ୟ ଏହା ନୁଆ ଘଟଣା ନୁହେଁ ବୋଲି କହିଛନ୍ତି। ବିଭିନ୍ନ ସମୟରେ ଜଙ୍ଗଲ ଭିତରୁ ବାଘ ବାହାରକୁ ପଳାଇ ଆସିଥିବାର ଅନେକ ନଜିର ରହିଛି। ଖାଦ୍ୟ ଅନେ୍ଵଷଣରେ ଶିମିଳିପାଳ ପାଦ ଦେଶରେ ରହିଥିବା ଜଙ୍ଗଲ ଭିତର ଦେଇ ପଳାଇ ଆସିଥାନ୍ତି। ଗୋବିନ୍ଦପୁରରେ ଯେଉଁ ପାଦ ଚିହ୍ନ ଦେଖିବାକୁ ମିଳିଥିଲା, ତାହା କଲରାପତରିଆ ବାଘର ପାଦ ଚିହ୍ନ ଥିଲା। ବାଘଟି ଶିମିଳିପାଳ ଅଭୟାରଣ୍ୟ ଭିତରକୁ ଫେରିଯାଇଛି ବୋଲି ଶ୍ରୀଆଚାର୍ଯ୍ୟ ପ୍ରକାଶ କରିଛନ୍ତି। ତେବେ ବାଘକୁ ନେଇ ଗୋବିନ୍ଦପୁର ଓ ପାଖଆଖ ଗ୍ରାମରେ ଜନସାଧାରଣ ଭୟଭିତ ଅବସ୍ଥାରେ ରହିଥିବା ବେଳେ ସନ୍ଧ୍ୟା ନଇଁ ଆସିଲେ ଘରୁ ପଦାକୁ ବାହାରିବା ନିମନ୍ତେ ସାହସ ଜୁଟାଇ ପାରୁ ନାହାନ୍ତି।

ସମ୍ବନ୍ଧିତ ଖବର