ସ୍ୱାସ୍ଥ୍ୟ କର୍ମୀ କରୋନା ପଜିଟିଭ ଚିହ୍ନଟ ପରେ ଦଶମନ୍ତପୁରର ପୋଡ଼ାଗଡ଼ ଅଞ୍ଚଳ କଣ୍ଟେନମେଣ୍ଟ ଜୋନ୍‌ ଘୋଷିତ

କୋରାପୁଟ: କୋରାପୁଟ ଜିଲ୍ଲାକୁ ବ୍ୟାପିଲା ମହାମାରୀ କରୋନା। କୋଲକାତା ଫେରନ୍ତା ଜଣେ ସ୍ବାସ୍ଥ୍ୟକର୍ମୀ ସଂକ୍ରମିତ ହୋଇଥିବା ଆଜି ଅପରାହ୍ନରେ ସରକାର ସ୍ପଷ୍ଟ କରିଛନ୍ତି। ଆକ୍ରାନ୍ତ ଜଣକ ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପୋଡ଼ାଗଡ଼ ଅଞ୍ଚଳର ଜଣେ ୨୨ବର୍ଷୀୟ ଯୁବକ ବୋଲି ଜଣାପଡ଼ିଛି। ଗତ ୧୪ତାରିଖ ଦିନ ସେ କଲିକତାରୁ ଆସି କୋରାପୁଟ ଜିଲ୍ଲାରେ ପହଞ୍ଚିଥିଲେ। ହଟସ୍ପଟ ଅଞ୍ଚଳରୁ ଆସିଥିବାରୁ ତାଙ୍କୁ ସଙ୍ଗରୋଧରେ ରଖି ସ୍ବାବ୍ ପରୀକ୍ଷା ପାଇଁ ଭୁବନେଶ୍ବର ପଠାଯାଇଥିଲା। ଆଜି ରିପୋର୍ଟ ଆସିଥିବା ବେଳେ ସେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଏହାପରେ ରାଜ୍ୟର ୧୧ତମ ଜିଲ୍ଲା ଭାବେ କୋରାପୁଟରେ ପ୍ରଥମ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ପୋଡ଼ାଗଡ଼ ଅଞ୍ଚଳର ସଂପୃକ୍ତ ଯୁବକ ଜଣକ କୋଲକତାର ଏକ ଘରୋଇ ଡାକ୍ତରଖାନାରେ କାର୍ୟ୍ୟରତ ଥିଲେ।

ଚଳିତ ମାସ ସେ କୋରାପୁଟରେ ସ୍ବାସ୍ଥ୍ୟକର୍ମୀ ଭାବେ ନିଯୁକ୍ତି ପାଇଥିଲେ। ଏହା ପରେ ଗାଁରୁ ଯାଇଥିବା ଗୋଟିଏ ଘରୋଇ ଗାଡ଼ିରେ ସେ କୋଲକତାରୁ ଘରକୁ ଫେରିଥିଲେ। ଏହାପରେ ପ୍ରଶାସନ ପକ୍ଷରୁ ତାଙ୍କୁ ସଙ୍ଗରୋଧ ଗୃହରେ ରଖିବା ସହ ସ୍ବାବ୍ ସଂଗ୍ରହ କରାଯାଇଥିଲା। ଯାହାର ରିପୋର୍ଟ ଆଜି ପ୍ରଶାସନକୁ ମିଳିଛି ଏବଂ ପଜିଟିଭ୍ ବୋଲି ସ୍ପଷ୍ଟ କରାଯାଇଛି। ସେହିପରି ଏଠାରୁ ଗାଡ଼ି ନେଇ ଯାଇଥିବା ଡ୍ରାଇଭର ଏବଂ ଅନ୍ୟ କିଛି ଜଣ ସଂସ୍ପର୍ଶରେ ଆସିଥିବା ସନ୍ଦେହ କରି ‌ସମସ୍ତଙ୍କୁ ସଙ୍ଗରୋଧରେ ରଖାଯାଇଥିବା ଜଣାପଡ଼ିଛି। ତେବେ ସାଙ୍ଗରେ ଆସିଥିବା ଦୁଇଜଣଙ୍କ କରୋନା ପରୀକ୍ଷା ରିପୋର୍ଟ ନେଗେଟିଭ ରହିଛି। ସଂକ୍ରମିତଙ୍କ କଣ୍ଟାକ୍ଟ ଟ୍ରେସିଂ ଚାଲିଥିବା ବେଳେ ଉପରିସ୍ଥ ଅଧିକାରୀଙ୍କ ନିର୍ଦେଶ ପରେ ତାଙ୍କୁ ଏକ କୋଭିଡ୍ ହସ୍ପିଟାଲକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯିବ ବୋଲି ପ୍ରଶାସନ ସୂଚନା ଦେଇଛି।

ପ୍ରଥମ ସଂକ୍ରମିତ ଚିହ୍ନଟ ହେବାପରେ ପ୍ରଶାସନର ତତ୍ପରତା ବଢ଼ି ଯାଇଛି। ଆଜି ସଂଧ୍ୟାରେ ପ୍ରଶାସନର ଜରୁରୀ ବୈଠକ ହୋଇ ପରବର୍ତ୍ତୀ ପଦକ୍ଷେପ ପାଇଁ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରାଯାଇଥିଲା। କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଏସପି ମୁକେଶ କୁମାର ଭାମୋ, ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ, ଡିଆରଡିଏ ପ୍ରକଳ୍ପ ନିର୍ଦେଶକ ପ୍ରବୀର କୁମାର ନାୟକ, ଏପିଡି ମହେଶ୍ବର ନାୟକଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହା ପରେ ସତର୍କତା ମୂଳକ ପଦକ୍ଷେପ ସ୍ବରୂପ ପୋଡାଗଡ଼ ଅଂଚଳକୁ ୪୮ଘଣ୍ଟା ପାଇଁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି। ପୋଡାଗଡ଼ରୁ ୩କିମି ପରିଧି ପର୍ୟ୍ୟନ୍ତ ଅଞ୍ଚଳକୁ ସିଲ୍ କରାଯାଇଛି। ଏହି ଅଂଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇ ବାହାର ଲୋକଙ୍କ ପ୍ରବେଶ ଉପରେ ରୋକ ଲଗାଯାଇଛି। ୪୮ ଘଣ୍ଟା ପାଇଁ ଏହି ଅଂଚଳକୁ କଣ୍ଟେନମେଣ୍ଟରେ ରଖାଯିବାକୁ ଥିବା ବେଳେ ବାହାର ଲୋକ ଏହି ଅଂଚଳକୁ ଆସି ପାରି‌ବେ ନାହିଁ। ସେହିପରି ଏହି ଅଂଚଳରୁ କୌଣସି ଲୋକ ବାହାରକୁ ଯାଇ ପାରିବେ ନାହିଁ। ଦୋକାନବଜାର ସବୁ ବନ୍ଦ ରହିବ। ଏ ଭିତରେ ପ୍ରଶାସନ ପକ୍ଷରୁ ଅଂଚଳ ଉପରେ କଡା ନଜର ରଖାଯିବା ସହ ସଂକ୍ରମିତଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯିବ ବୋଲି ଜଣାପଡିଛି।

ସେହିପରି ୭ କିମି ପରିଧି ପର୍ୟ୍ୟନ୍ତ ବଫର ଜୋନ ଭାବେ ଘୋଷଣା କରିଛି ପ୍ରଶାସନ। ଏହା ୪୮ ଘଣ୍ଟା ପର୍ୟ୍ୟନ୍ତ ଲାଗୁ ରହିବ। ଏଥିନେଇ କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ର କହିଛନ୍ତି ଯେ, ଆଜି ପୋଡାଗଡର ଜଣେ ସ୍ବାସ୍ଥ୍ୟକର୍ମୀ କରୋନା ସଂକ୍ରମିତ ବୋଲି ଚିହ୍ନଟ ହେବା ପରେ ଅଂଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି। ସଂକ୍ରମିତ ଜଣଙ୍କ ପଶ୍ଚିମବଙ୍ଗରୁ ଫେରିଥିବାରୁ ତାଙ୍କ ସ୍ବାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା। ଏହି ରିପୋର୍ଟ ପଜିଟିଭ ଆସିଛି। କିନ୍ତୁ ତାଙ୍କ ସହ ଆସିଥିବା ଲୋକଙ୍କ ରିପୋର୍ଟ ନେଗେଟିଭ ଆସିଛି। ଏବେ ସଂକ୍ରମିତଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି। ତାଙ୍କ ସହ ସଂସ୍ପର୍ଶରେ ଆସିଥିବା ସବୁ ଲୋକଙ୍କୁ ଚିହ୍ନଟ କରାଯାଇ ସଙ୍ଗରୋଧରେ ରଖାଯିବ। ସେମାନଙ୍କ ସ୍ବାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯିବ। ଏଥିସହ ବିଭିନ୍ନ ଲୋକଙ୍କର ନମୁନା ସଂଗ୍ରହ କରାଯିବ। ଉପରିସ୍ଥ ଅଧିକାରୀଙ୍କ ନିର୍ଦେଶ ମିଳିବା ପରେ ତାଙ୍କୁ କେଉଁ ଡାକ୍ତରଖାନାକୁ ପଠାଯିବ ତାହା ନିଷ୍ପତ୍ତି ହେବ ବୋଲି ଜିଲ୍ଲାପାଳ କହିଛନ୍ତି।

ସମ୍ବନ୍ଧିତ ଖବର