ଭବାନୀପାଟଣା : ସମକାଳୀନ ଓଡ଼ିଆ କବିତାର ଏକ ଶକ୍ତିଶାଳୀ ସ୍ବର ଅଖିଳ ନାୟକ ଆଉ ନାହାନ୍ତି। କିଡ୍ନି ରୋଗରେ ଆକ୍ରାନ୍ତ ହୋଇ କଟକର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ରବିବାର ସକାଳେ ତାଙ୍କର ମୃତ୍ୟୁ ହୋଇଛି। ତାଙ୍କ ବିୟୋଗରେ ସାହିତ୍ୟ ଜଗତରେ ଶୋକର ଛାୟା ଖେଳିଯାଇଛି। ସେ ମଧ୍ୟ କଳାହାଣ୍ଡି ବିଶ୍ବବିଦ୍ୟାଳୟ ଓଡ଼ିଆ ବିଭାଗର ମୁଖ୍ୟ ତଥା ପରୀକ୍ଷା ନିୟନ୍ତ୍ରକ ଦାୟିତ୍ବ ତୁଲାଉଥିଲେ।
ସ୍ବର୍ଗତ ନାୟକ ୧୯୭୦ ମସିହା ମାର୍ଚ୍ଚ ୧୩ ତାରିଖରେ ଧର୍ମଗଡ଼ ବ୍ଲକ୍ ରଇନଗୁଡ଼ାଠାରେ ଜନ୍ମଗ୍ରହଣ କରିଥିଲେ। ବାପା ସ୍ବର୍ଗତ ଦଇତାରୀ ନାୟକ ଓ ମା’ ବସୁମତୀ ନାୟକଙ୍କ ସେ ବଡ଼ପୁଅ। ସେ ଭବାନୀପାଟଣା ସରକାରୀ ମହାବିଦ୍ୟାଳୟରେ ଯୁକ୍ତ ୨, ଜୟପୁର ବିକ୍ରମଦେବ କଲେଜ୍ରେ ଯୁକ୍ତ ୩ ଓ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଓଡ଼ିଆ ବିଭାଗରେ ସ୍ନାତକୋତ୍ତର ଅଧ୍ୟୟନ କରିଥିଲେ। ଭବାନୀପାଟଣା କଲେଜ୍ରେ ଯୁକ୍ତ ୨ ପଢ଼ୁଥିବାବେଳେ ‘ମାଙ୍ଗଳିକ’ ନାମରେ ଏକ ପତ୍ରିକା ପ୍ରକାଶ କରିଥିଲେ। ସେହିଭଳି ଜନବାଦୀ ସାହିତ୍ୟ ପତ୍ରିକା ‘ଡେର୍ନା’ ପ୍ରକାଶରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା। କବିତାରେ କଥିତ ଶୈଳୀର ପ୍ରୟୋଗ କରି ଓଡ଼ିଶାରେ ଏକ ନୂଆ ଧାରା ସୃଷ୍ଟି କରିଥିଲେ। କମ୍ ଶବ୍ଦ, ମାଧୁର୍ଯ୍ୟ, ଲାଳିତ୍ୟ ଓ ସୁନ୍ଦର ଢଙ୍ଗର ଉପସ୍ଥାପନ ପାଠକଙ୍କୁ ଆଦୃତ କରିଥିଲା। ପ୍ରଥମ କବିତା ସଂକଳନ ‘ଗାଧୁଆବେଳ’ ମାଧ୍ୟମରେ ସାହିତ୍ୟ ଜଗତରେ ନିଜର ସ୍ଥିତି ଜାହିର କରିଥିଲେ। ସେହିଭଳି ‘ଗୁଲିଖଟି’, ‘ଧୋବ ଫରଫର’,‘ ଧିକ ଓ ‘କ୍ଷେତ ପୁରାଣ’ ଭଳି ୫ଟି କବିତା ସଂକଳନର ସେ ସ୍ରଷ୍ଟା । ଜନବାଦୀ ଲେଖା ଉପରେ ପର୍ଯ୍ୟବସିତ ‘ଭେଦ’ ଉପନ୍ୟାସ ସାହିତ୍ୟ ଜଗତରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ଏହି ଉପନ୍ୟାସର ଇଂରାଜୀ ଅନୁବାଦ ରାଜକୁମାର କରିଥିବାବେଳେ ଅକ୍ସଫୋର୍ଡ ସଂସ୍ଥା ଏହାର ପ୍ରକାଶନ କରିଥିଲା। ଏହି ଉପନ୍ୟାସ ପାଇଁ ସେ ବେଷ୍ଟ୍ ସେଲର୍ ଆୱାର୍ଡ ପାଇଥିଲେ। ସେହିଭଳି ‘ଅବିଜା’ ଉପନ୍ୟାସ ମଧ୍ୟ ସେ ଲେଖିଥିଲେ। ଅନୁବାଦ ଗଳ୍ପ ସାତ ରାତି ପ୍ରକାଶ କରିଥିଲେ। ସାହିତ୍ୟ କୃତି ପାଇଁ ସେ ବସନ୍ତ ମୁଦୁଲି ପୁରସ୍କାର, ମହାବୀର ସାଂସ୍କୃତିକ ଅନୁଷ୍ଠାନର ସାହିତ୍ୟ ପାଇଁ ଡ. ଭୁବନେଶ୍ବର ବେହେରା ପୁରସ୍କାର, ଯୁବ ପୁରସ୍କାର ସମେତ ବିଭିନ୍ନ ଅନୁଷ୍ଠାନ ଦ୍ବାରା ସମ୍ମାନିତ ହୋଇଛନ୍ତି।
ତାଙ୍କ ବିୟୋଗରେ ସାହିତ୍ୟ ଜଗତରେ ଶୋକର ଛାୟା ଖେଳିଯାଇଛି। ଅଖିଳଙ୍କ ଅକାଳ ବିୟୋଗ ଓଡ଼ିଆ ଭାଷା ସାହିତ୍ୟ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କେନ୍ଦ୍ର ସାହିତ୍ୟ ଅକାଦେମି ପକ୍ଷରୁ ଓଡ଼ିଆ ଉପଦେଷ୍ଟାମଣ୍ଡଳୀ ଆବାହକ ଡ. ବିଜୟାନନ୍ଦ ସିଂହ ଶୋକପ୍ରକାଶ କରି କହିଛନ୍ତି। ତାଙ୍କ ବିୟୋଗରେ କଳାହାଣ୍ଡି ତଥା ଓଡ଼ିଶାର ସାହିତ୍ୟିକ ମହଲରେ ଗଭୀର ଶୋକପ୍ରକାଶ ପାଇଛି।
ପରିବାରର ସୂଚନା ଅନୁଯାୟୀ, ରବିବାର ଅପରାହ୍ନ ୧ଟାରେ ତାଙ୍କ ମରଶରୀରକୁ କଟକରୁ ଭବାନୀପାଟଣା ଅଣାଯାଉଛି। ସୋମବାର ସକାଳେ ଭବାନୀପାଟଣାର ନକଟିଗୁଡ଼ା ବାସଭବନରେ ଶେଷ ଦର୍ଶନପାଇଁ ତାଙ୍କ ମରଶରୀର ରଖାଯିବ। ପରେ ନିଜଗ୍ରାମ ଧର୍ମଗଡ଼ ବ୍ଲକ୍ ରଇନଗୁଡ଼ାରେ ଶେଷକୃତ୍ୟ ସମ୍ପନ୍ନ ହେବ। ତାଙ୍କ ମରଶରୀର ନିକଟରେ ପତ୍ନୀ ଏଲିଜାବେଥ, ପୁଅ ବିଭୋର, ଭାଇ ‘ସମ୍ବାଦ ସୁନ୍ଦରଗଡ଼ ଜିଲ୍ଲା ପ୍ରତିନିଧି ଡମ୍ବରୁଧର ନାୟକ, କନକ ଟିଭିର ସିନିୟର ବୁଲେଟିନ୍ ପ୍ରଡ୍ୟୁସର ଚୁଲେନ୍ଦୁ ନାୟକ ସମେତ ପରିବାରବର୍ଗ ଉପସ୍ଥିତ ଥିଲେ। ପୁଅ ବିଭୋର ଭବାନୀପାଟଣା କେନ୍ଦ୍ରବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ପଢ଼ୁଛନ୍ତି।
ଉଲ୍ଲେଖଯୋଗ୍ୟ, ୧୯୯୯ ମସିହାରେ ଭବାନୀପାଟଣା ସରକାରୀ ମହାବିଦ୍ୟାଳୟରେ ଓଡ଼ିଆ ବିଭାଗର ଅଧ୍ୟାପକ ଭାବେ ନିଜର ଚାକିରି ଜୀବନ ଆରମ୍ଭ କରିଥିଲେ। ପରେ ଭବାନୀପାଟଣା ସରକାରୀ ମହିଳା ମହାବିଦ୍ୟାଳୟରେ କିଛି ଦିନ ଚାକିରି କରିବା ପରେ ପୁନର୍ବାର ସରକାରୀ ମହାବିଦ୍ୟାଳୟକୁ ଫେରିଥିଲେ। ସେ ମଧ୍ୟ ଓଡ଼ିଆ ଭାଷା ସାହିତ୍ୟରେ ପିଏଚ୍ଡି ଡିଗ୍ରି ହାସଲ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/akhila-nayak.jpg)