ସମ୍ବଲପୁର : ସମ୍ବଲପୁରର ଜଣାଶୁଣା କବି ଦାମୋଦର ପଣ୍ଡା (୬୭ ବର୍ଷ)ଙ୍କ ପରଲୋକ ହୋଇଯାଇଛି। ସମ୍ବଲପୁର ଜିଲ୍ଲା ଯୁଯୁମରା ବ୍ଲକ ଡଙ୍ଗରପଡ଼ାର ମୂଳ ନିବାସୀ ସ୍ବର୍ଗତ ପଣ୍ଡା କିଛି ଦିନ ହେଲା ସ୍ଥାନୀୟ ଫାଟକ ସିଦ୍ଧେଶ୍ବର ବେର୍ଣ୍ଣାରେ ରହୁଥିଲେ। ଗତକାଲି ଠାରୁ ଅସୁସ୍ଥ ଥିଲେ। ବୁଧବାର ଅପରାହ୍ନରେ ଘରେ ଅଚେତ ହୋଇ ପଡ଼ି ରହିଥିବା ସ୍ଥାନୀୟ ଯୁବକମାନେ ଦେଖି ସଦର ଡାକ୍ତରଖାନାକୁ ନେଇ ଆସିଥିଲେ। ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Advertisment

ତାଙ୍କୁ ଭର୍ତ୍ତି କରାଇଥିବା ଯୁବକମାନେ ତାଙ୍କୁ ଚିହ୍ନି ନଥିବାରୁ ତାଙ୍କ ପରିଚୟ ପାଇଁ ସାମ୍ବାଦିକ ଦୀପକ ପଣ୍ଡାଙ୍କ ସହିତ ଯୋଗାଯୋଗ କରିଥିଲେ। ଏହାପରେ ପରିବାର ସଦସ୍ୟ ଅବଗତ ହୋଇଥିଲେ। ତାଙ୍କର ପତ୍ନୀ ୩ ଝିଅ ଏବଂ ଜଣେ ପୁଅ ଅଛନ୍ତି। ଦାମ‌ୋଦରଙ୍କ ଭାଇ ଶ୍ୟାମସୁନ୍ଦର ପଣ୍ଡା, ଜ୍ଞାନ ପଣ୍ଡା, ଭଉଣୀ କଲ୍ୟାଣୀ, ପ୍ରମିଳା, ଉର୍ମିଳା, ନିର୍ମଳା, ସଧ୍ବବୀ, ମିନୁ ଏବଂ ଆତ୍ମୀୟ ପରିଜନ ଅଛନ୍ତି। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି। ଡଙ୍ଗରପଡ଼ାର ସମ୍ଭ୍ରାନ୍ତ ପରିବାରର ବାପା କୃଷ୍ଣଚନ୍ଦ୍ର ପଣ୍ଡା ଓ ମା’ ଶିବାନୀଙ୍କ ଔରସରୁ ୧୯୫୩ ମସିହା ଅଗଷ୍ଟ ୧୯ ତାରିଖରେ ଦାମୋଦର ଜନ୍ମଗ୍ରହଣ କରିଥିଲେ। ୮ ଭାଇ ଭଉଣୀ ମଧ୍ୟରେ ସେ ଥିଲେ ଚତୁର୍ଥ ସନ୍ତାନ। ଛାତ୍ର ଜୀବନରୁ ସେ ଲେଖାଲେଖି ଆରମ୍ଭ କରିଥିଲେ। ଝଙ୍କାର, ଆସନ୍ତାକାଲି, କଥା ସମେତ ବିଭିନ୍ନ ପତ୍ରିକା ଏବଂ ସମ୍ବାଦ ପତ୍ରର ସାହିତ୍ୟ ପୃଷ୍ଠାରେ ତାଙ୍କର ବହୁ କବିତା, ଗଳ୍ପ ପ୍ରକାଶ ପାଇଛି। ଏହା ବ୍ୟତୀତ ସେ ଏକାଧିକ ବେତାର ନାଟକ, ଭଜନ ଓ ଆଧୁନିକ ଓଡ଼ିଆ ତଥା ସମ୍ବଲପୁରୀ ଗୀତ ରଚନା ‌କରିଥିଲେ। ତାଙ୍କ ଦ୍ବାରା ପ୍ରସ୍ତୁତ କଳା, ସଂସ୍କୃତି, ପର୍ବ ପର୍ବାଣି ଉପରେ ଆଧାରିତ କାର୍ଯ୍ୟକ୍ରମ ଦୂରଦର୍ଶନରେ ପ୍ରସାରିତ ହୋଇଥିଲା। ଉଭୟ ରୋମାଣ୍ଟିକ ଓ ଜୀବନବାଦୀ ଚେତନା ଉପରେ ସେ ବେଶ୍‌ ଉଚ୍ଚକୋଟୀର କବିତା ରଚନା କରିଛନ୍ତି।

ସେ ଭବାନୀପାଟଣାରେ ବ୍ୟାଙ୍କ ଚାକିରିରେ ଥିବା ସମୟରେ ନାଟ୍ୟରଶ୍ମି ପ୍ରଫୁଲ୍ଲ ରଥଙ୍କ ଉଦ୍ୟମରେ ତାରାତାରିଣୀ ବୁକ୍ ଷ୍ଟୋର ଦ୍ବାରା ତାଙ୍କ କବିତା ସଂକଳନ ‘ ଅନ୍ୟ ଏକ ଋତୁ ’ ପ୍ରକାଶ ପାଇଥିଲା। ସେ ସପ୍ତମ ଶ୍ରେଣୀ ପଢ଼ୁଥିବା ସମୟରୁ କବିତା ଲେଖୁଥିବା ଏବଂ ଶବ୍ଦ ସଂଯୋଜନାରେ ତାଙ୍କର ଅଖଣ୍ଡ ଦକ୍ଷତା ଥିଲା ବୋଲି ତାଙ୍କର ଗାଁ ଡଙ୍ଗରପଡ଼ାର ବାଲ୍ୟବନ୍ଧୁ ଦିଲ୍ଲୀପ ପଣ୍ଡା କହିଛନ୍ତି। ଦାମ‌ୋଦର ଯୁବାବସ୍ଥାରୁ ବିଭିନ୍ନ ସମ୍ବାଦପତ୍ରରେ ସୌଖିନ ସାମ୍ବାଦିକ ଭାବରେ କାର୍ଯ୍ୟ କରୁଥିଲେ। କଲେଜ ପଢୁଥିବା ସମୟରେ ବାମପନ୍ଥୀ ବିଚାରରେ ଦୀକ୍ଷିତ ହୋଇ ଅଖିଳ ଭାରତୀୟ ଛାତ୍ର ସଂଘ(ଏଆଇଏସଏଫ)ରେ ସାମିଲ ହୋଇ ରାଜ୍ୟ ତଥା ଦେଶରେ ଆୟୋଜିତ ବିଭିନ୍ନ ସମ୍ମିଳନୀରେ ଭାଗ ନେଇଥିଲେ। ଡଙ୍ଗରପଡ଼ାରେ ଡିଙ୍ଗର ଭୋଇ ଯୁବକ ସଂଘ ଗଠନ କରି ଯୁବକମାନଙ୍କୁ ଏକତ୍ରିତ କରୁଥିଲେ। ସେ ଗାଁ ସ୍କୁଲରେ କିଛିଦିନ ଶିକ୍ଷକତା କରିଥିବାବେଳେ ପରେ ବ୍ୟାଙ୍କ ଅଫ ଇଣ୍ଡିଆରେ କିରାଣି ଭାବରେ କାର୍ଯ୍ୟ କରି ଚାକିରି ଜୀବନ ଆରମ୍ଭ କରିଥିଲେ। ବ୍ୟାଙ୍କ ଚାକିରି ପରେ ମଧ୍ୟ ବିଭିନ୍ନ ସମ୍ବାଦ ପତ୍ର ଓ ଡିଜିଟାଲ ନ୍ୟୁଜ୍ ଏଜେନ୍ସି ପାଇଁ ସାମ୍ବାଦିକତା କରୁଥିଲେ। ଦାମ‌ୋଦରଙ୍କ ତାଙ୍କ ଭଉଣୀ ନିର୍ମଳା ପଣ୍ଡାଙ୍କ ଦ୍ବାରା ପ୍ରତିଷ୍ଠିତ ନୃତ୍ୟ ଗୀତ ସ୍କୁଲରେ ମଧ୍ୟ ସଂପୃକ୍ତ ଥିଲେ। ନିର୍ମଳା ଜଣେ ସୁନାମଧନ୍ୟା ଗୀତିକାର ଏବଂ ଅଭିନେତ୍ରୀ। କବି ଦାମୋଦର ପଣ୍ଡାଙ୍କ ବି‌ୟୋଗରେ କବି ରାମକୃଷ୍ଣ ସାହୁ, ପ୍ରଦୀପ ପଣ୍ଡା, ପ୍ରଦୀପ ରାୟ, ବିରଜା ମହାପାତ୍ର, ଗଣେଶରାମ ନାହାକ, ସୌଭାଗ୍ୟବନ୍ତ ମହାରଣା, ଡ. ମନୋଜ କୁମାର ପଣ୍ଡା, ଆନନ୍ଦ ଚନ୍ଦ୍ର ସାହୁ, ସୁକାନ୍ତ ସାହୁ, ଡ.ସୁଶୀଳ କୁମାର ବାଗ, ମନୋରଂଜନ ପଟ୍ଟନାୟକ ଦୀପକ କୁମାର ପଣ୍ଡା, ଗଜାନନ ମିଶ୍ର, କାର୍ତ୍ତିକ ବହିଦାର, ପୁରୁଷୋତ୍ତମ ମିଶ୍ର, ମୃଗେଶ ବୈଷ୍ଣବ ପାଣିଗ୍ରାହୀ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି।