ଫୁଲନଖରା: ‘ସାମାଜିକ ବ୍ୟବସ୍ଥା ମଧ୍ୟରେ ସାହିତ୍ୟ ଓ ରାଜନୀତି ପରସ୍ପର ପରିପୂରକ ହୋଇ ରହିଆସିଛି। ଯେପରି ରାଜନୀତି ବ୍ୟତିରେକ ଏକ ସମୃଦ୍ଧ ତଥା ସୁସଂଗଠିତ ସମାଜ ସୃଷ୍ଟି ସମ୍ଭବ ହୋଇପାରି ନଥାଏ ଠିକ୍‌ ସେହିପରି ସାହିତ୍ୟ ବିନା ମଧ୍ୟ ଏକ ସାବଲୀଳ ତଥା ସୁନ୍ଦର ସମାଜ ସର୍ଜନାର ପରିକଳ୍ପନା ପ୍ରାୟତଃ ଅସମ୍ଭବ ମନେ ହୁଏ। ଏଣୁ ଉଭୟ ସାହିତ୍ୟ ଓ ରାଜନୀତି ମଧ୍ୟରେ ସୁସମନ୍ବୟ ବଜାୟ ରହିଲେ ତାହା ସମଗ୍ର ମାନବ ସମାଜ ପାଇଁ ସର୍ବଦା କଲ୍ୟାଣକାରକ ସାବ୍ୟସ୍ତ ହେବ।’ କବି ସ୍ବାଧୀନ ମହାନ୍ତିଙ୍କ ରଚିତ ଗୀତିକବିତା ପୁସ୍ତକ ‘ଗୀତିଝର’କୁ ଉନ୍ମୋଚନ କରିବା ଅବସରରେ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ ଏହି ମତ ରଖିଛନ୍ତି। ଆଜି ଫୁଲନଖରାସ୍ଥିତ ନୀଳଚକ୍ର ହାଇଟ୍ସ ସଭାଗୃହରେ ଆୟୋଜିତ ପୁସ୍ତକ ଉନ୍ମୋଚନ ଉତ୍ସବରେ ସ୍ବାଧୀନଚେତା ମହାନ୍ତି ଅଧ୍ୟକ୍ଷତା କରି ଏ ଧରଣର ପୁସ୍ତକ ସମାଜରେ ସୁଧାର ଆଣିବାରେ ସହାୟକ ହେବ ବୋଲି କହିଥିଲେ। 

Advertisment

ଅନ୍ୟମାନଙ୍କ ମଧ୍ୟରେ ସଜ୍ଜନ ଶର୍ମା ଓ ଦିଲ୍ଲୀପ ମଲିକ ଯଥାକ୍ରମେ ମୁଖ୍ୟବକ୍ତା ଓ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ରହି ସଫଳ ସାହିତ୍ୟ ସର୍ଜନା ଏକ ସଶକ୍ତ ତଥା ଉତ୍ତମ ସମାଜ ଗଠନରେ ସହାୟକ ହୋଇଥାଏ ବୋଲି କହିଥିଲେ। ଏହି ଅବସରରେ ସାରସ୍ବତ ସାଧକ, ଲେଖକ, କବି, ଗାଳ୍ପିକ, ସମାଜସେବୀ, ମୁରବି ଓ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ବିଶିଷ୍ଟ ବ୍ୟକ୍ତିଙ୍କ ସମେତ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମ ଆରମ୍ଭରେ ସ୍ବାଧୀନ ମହାନ୍ତିଙ୍କ ଦ୍ବାରା ରଚିତ ଭଜନ ଓ ଆଧୁନିକ ଗୀତକୁ ଗାୟକ ବିଜୟ ଦାସ ପରିବେଷଣ କରିଥିଲେ। କିଶୋର ପଟ୍ଟନାୟକ, ଚିତ୍ତରଂଜନ ଦାସ, ପ୍ରଶାନ୍ତ ପଟ୍ଟନାୟକ, ପ୍ରଶାନ୍ତ ଦଳାଇ, କର୍ପୋରେଟର ମମତା ମହାନ୍ତି, ଜାଜବିଷ୍ଣୁ ମହାନ୍ତି, ସୁବାସଚନ୍ଦ୍ର ମହାନ୍ତି, ରମେଶଚନ୍ଦ୍ର ସାହୁ, ରଂଜିତ ମହାନ୍ତି, ସୁଶ୍ରୀ ରୁଦ୍ରାଣୀ, ସୁକାନ୍ତ ଭୋଇ, ଠାକୁରପ୍ରସାଦ ଦାସ, ଧ୍ରୁବଚରଣ ବେହେରା ଓ ଲକ୍ଷ୍ମୀଧର ନାୟକଙ୍କ ସମେତ ଆଞ୍ଚଳିକ ଶାନ୍ତି କମିଟି କର୍ମକର୍ତ୍ତା ଉପସ୍ଥିତ ଥିଲେ। ଅର୍ପିତା ପ୍ରକାଶନ ଭୁବନେଶ୍ବରର କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନା କରିଥିଲା ବେଳେ ସ୍ତମ୍ଭକାର ଶ୍ରୀ ସନ୍ନ୍ୟାସୀଜୀ ଧନ୍ୟବାଦ ଅର୍ପଣ କରିଥିଲେ।