କରୋନାକୁ ହରାଇଲେ କବି ଜୟନ୍ତ ମହାପାତ୍ର

କଟକ: କରୋନାକୁ ହରାଇଲେ ଆନ୍ତର୍ଜାତିକ ଖ୍ୟାତିସଂପନ୍ନ କବି ଜୟନ୍ତ ମହାପାତ୍ର। ୯୩ବର୍ଷ ବୟସରେ ସୁସ୍ଥ ହୋଇ ଆଜି ରାତିରେ ଘରକୁ ଫେରିଛନ୍ତି। ବାର୍ଦ୍ଧକ୍ୟଜନିତ, ମଧୁମେହ ଭଳି ଅନ୍ୟ ରୋଗରେ ଆକ୍ରାନ୍ତ ଥିବାରୁ ଶ୍ରୀ ମହାପାତ୍ରଙ୍କ ଚିକିତ୍ସା ଏସ୍‌ସିବି ଡାକ୍ତରୀ ଟିମ୍‌ଙ୍କ ପାଇଁ ଚାଲେଞ୍ଜ୍‌ ଥିଲା। ଦୀର୍ଘ ୧୬ଦିନର ସଫଳ ଚିକିତ୍ସା ପରେ ଏବେ ସେ ସୁସ୍ଥ ବୋଲି କହିଛନ୍ତି ତାଙ୍କ ଚିକିତ୍ସା ପାଇଁ ଗଠନ ହୋଇଥିବା ବିଶେଷଜ୍ଞ କମିଟିର ଆବାହକ ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡା। ତେବେ, ଆସନ୍ତାକାଲି ତାଙ୍କୁ ଏସ୍‌ସିବିରୁ ଘରକୁ ପଠାଯିବ ବୋଲି ସୂଚନା ମିଳିଛି।
ଗତମାସ ୩୧ତାରିଖ ଦିନ ଜ୍ବରରେ ପୀଡ଼ିତ ଥିବାରୁ କବି ଶ୍ରୀ ମହାପାତ୍ରଙ୍କ କୋଭିଡ୍‌ ପରୀକ୍ଷା କରାଯାଇଥିଲା।

ସେ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିବା ପରେ ଏସ୍‌ସିବି କୋଭିଡ୍ ହସ୍ପିଟାଲ୍‌ର ନ୍ୟୁ ମେଡିସିନ୍‌ ବିଭାଗ ଆଇସିୟୁରେ ଭର୍ତ୍ତି କରାଯାଇଥିଲା।  ପ୍ରଥମରୁ ତାଙ୍କୁ ଅଧିକ ଅକ୍ସିଜେନ୍‌ର ଆବଶ୍ୟକତା ରହୁଥିବାବେଳେ ଧୀରେ ଧୀରେ ଅକ୍ସିଜେନ୍‌ ସ୍ତର ନିୟନ୍ତ୍ରଣକୁ ଆସିଥିଲା। ତେବେ ଗଲା ୪୮ଘଣ୍ଟା ହେଲା ତାଙ୍କୁ ଅକ୍ସିଜେନ୍‌ର କୌଣସି ଆବଶ୍ୟକତା ପଡ଼ି ନଥିବା ଏସ୍‌ସିବି ପକ୍ଷରୁ କୁହାଯାଇଛି। ତାଙ୍କର ବାର୍ଦ୍ଧକ୍ୟଜନିତ ରୋଗ ଥିଲା; ମଧୁମେହ, କରୋନା ଆକ୍ରାନ୍ତ ହେବାପରେ ନିମୋନିଆରେ ମଧ୍ୟ ସଂକ୍ରମିତ ହୋଇଥିଲେ। ତାଙ୍କ ଚିକତ୍ସା ପାଇଁ ଏସ୍‌ସିବିରେ ଗଠିତ ହୋଇଥିବା ସ୍ବତନ୍ତ୍ର ବିଶେଷଜ୍ଞ ଟିମ୍‌ର ଚେୟାରମ୍ୟାନ୍‌ ନିଶ୍ଚେତକ ବିଭାଗର ପ୍ରଫେସର ଡାକ୍ତର ଦେବପ୍ରସାଦ ମହାନ୍ତି ଥିବାବେଳେ ତାଙ୍କୁ ଦୀର୍ଘ ୨୫ବର୍ଷ ହେଲା ଚିକିତ୍ସା କରୁଥିବା ମେଡିସିନ୍‌ ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡା ଆବାହକ ଥିଲେ। ଏଥିସହ କମିଟିରେ ପଲଉମ୍ୟୁନାରି ମେଡିସିନ୍‌ ବିଭାଗର ପ୍ରଫେସର ଡାକ୍ତର ଜ୍ୟୋତି ପଟ୍ଟନାୟକ, ଆଇସିୟୁ ଦାୟିତ୍ବରେ ଥିବା ନିଶ୍ଚେତକ ବିଭାଗର ଆସୋସିଏଟ୍‌ ପ୍ରଫେସର ଡାକ୍ତର ଦେବାଶିଷ ସ୍ବାଇଁ ପ୍ରମୁଖ ରହିଥିଲେ। ଆସନ୍ତାକାଲି ସକାଳେ ତାଙ୍କୁ ଘରକୁ ଛଡ଼ାଯିବ‌ ବୋଲି ଏସ୍‌ସିବି ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର