କବି ନିତ୍ୟାନନ୍ଦ ନାୟକ ପାଇବେ ଶାରଳା ପୁରସ୍କାର

ଭୁବନେଶ୍ୱର : ବିଶିଷ୍ଟ କବି ନିତ୍ୟାନନ୍ଦ ନାୟକ ପାଇବେ ୪୧ ତମ ଶାରଳା ପୁରସ୍କାର। ‘ସେତେବେଳକୁ ନଥିବି’ ଶୀର୍ଷକ କବିତା ସଙ୍କଳନ ପାଇଁ ସେ ଏହି ପୁରସ୍କାର ଲାଭ କରିବେ। ପୁରସ୍କାର ବାବଦରେ କବି ଶ୍ରୀ ନାୟକଙ୍କୁ ୫ଲକ୍ଷ ଟଙ୍କାର ଅର୍ଥରାଶି ଦେଇ ସମ୍ବର୍ଧିତ କରାଯିବ। ପୁସ୍ତକଟି ୨୦୧୭ ମସିହାରେ ଫ୍ରେଣ୍ଡ୍‌ସ ପବ୍ଲିସର୍ସ ପକ୍ଷରୁ ପ୍ରକାଶିତ ହୋଇଥିଲା।

ଇମ୍ପାକ୍ଟ ପକ୍ଷରୁ ପୁରସ୍କାର ଘୋଷଣା ପରେ କବି ଶ୍ରୀ ନାୟକ ପ୍ରତିକ୍ରିୟାରେ କହିଛନ୍ତି, ‘ଝଙ୍କାର’ ପତ୍ରିକାରେ ୧୯୬୭ ମସିହାରେ ମୋ କବିତା ପ୍ରକାଶ ପାଇବା ପରେ ସେବେଠୁ ମୁଁ ନିରବଚ୍ଛିନ୍ନ ଭାବେ ୫୫ ବର୍ଷ ହେଲା ଲେଖିଆସୁଛି। ପୁରସ୍କାର ପାଇଁ ଇଚ୍ଛାଟିଏ ଥାଏ। ତେଣୁ ଏ ପୁରସ୍କାର ମୋତେ ବହୁତ ଆନନ୍ଦ ଦେଇଛି। ତେବେ କବିତା ଲେଖି ଦେବାଠୁ ଆନନ୍ଦ ମୋ ପାଇଁ ଆଉ କିଛି ହୋଇନପାରେ। କବିତା ସମ୍ପୂର୍ଣ୍ଣ ହୋଇ ଛପା ହୋଇଯିବା ପରେ, ଲାଗେ ମୁଁ ସମ୍ରାଟ। ଭଦ୍ରକ ବାସୁଦେବପୁର ଚିରୋଳ ଗ୍ରାମରେ ଜନ୍ମିତ ଶ୍ରୀ ନାୟକ ଜଗତସିଂହପୁର କଲେଜ୍‌ରେ ୩୬ ବର୍ଷ ଇଂରାଜୀ ସାହିତ୍ୟର ଅଧ୍ୟାପନା ପରେ ୨୦୦୦ ମସିହାରେ ଅବସର ନେଇଥିଲେ। ୮୦ ବର୍ଷରେ ପଦାର୍ପଣ କରିଥିଲେ ମଧ୍ୟ ଆଜି ସକାଳେ ସେ ଏକ କବିତା ଲେଖି ଆତ୍ମତୃପ୍ତି ଲାଭ କରିଥିବା କହିଛନ୍ତି। ଏପର୍ଯ୍ୟନ୍ତ ତାଙ୍କର ୯ଟି କବିତା ସଂକଳନ ରହିଛି। ୧୯୯୧ ମସିହାରେ ସେ ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର ପାଇଥିବା ବେଳେ ବିଷୁବ ସମ୍ମାନ ତାଙ୍କ ପାଇଁ ନୋବେଲ୍‌ ସମ୍ମାନ ସଦୃଶ ଥିଲା ବୋଲି କହିଛନ୍ତି।

ଏହା ବ୍ୟତୀତ ସଂଗୀତ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରଞ୍ଜିତ କୁମାର ନାଗଙ୍କୁ ଇଲା ପଣ୍ଡା ସଂଗୀତ ସମ୍ମାନ ଏବଂ ଚିତ୍ରକଳା ପାଇଁ ଶ୍ୟାମସୁନ୍ଦର ପଟ୍ଟନାୟକଙ୍କୁ ଇଲା ପଣ୍ଡା ଚିତ୍ରକଳା ସମ୍ମାନ ପ୍ରଦାନ କରାଯିବ। ଉଭୟଙ୍କୁ ଦେଢ଼ ଲକ୍ଷ ଟଙ୍କାର ଅର୍ଥରାଶି ସହ ସମ୍ବର୍ଧିତ କରାଯିବ। କୋଭିଡ୍‌ କଟକଣା ଦୃଷ୍ଟିରୁ ଚଳିତ ବର୍ଷ ପୁରସ୍କାର ପ୍ରଦାନ ଉତ୍ସବ ଆଡ଼ମ୍ବର ସହକାରେ ଆୟୋଜନ କରାନଯାଇ ପୁରସ୍କାର ବ୍ୟକ୍ତିଗତ ଭାବେ ଯାଇ ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଛି। ଇମ୍ପାକ୍ଟ ପକ୍ଷରୁ ଏ ସମ୍ପର୍କରେ ପ୍ରେସ୍‌ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।

ବିଶିଷ୍ଟ ଶିଳ୍ପପତି ସ୍ବର୍ଗତ ଡ.ବଂଶୀଧର ପଣ୍ଡା ଓ ସ୍ବର୍ଗତ ଇଲା ପଣ୍ଡାଙ୍କୁ ଦ୍ବାରା ପ୍ରତିଷ୍ଠିତ ‘ଶାରଳା ପୁରସ୍କାର’ ଇମ୍ଫା ଦ୍ବାରା ପରିଚାଳିତ ଇଣ୍ଡିଆନ୍‌ ମେଟାଲ୍‌ସ ଆଣ୍ଡ୍‌ ପବ୍ଲିକ୍‌ ଚାରିଟେବଲ୍‌ ଟ୍ରଷ୍ଟ୍‌ (ଇମ୍ପାକ୍ଟ) ପକ୍ଷରୁ ୧୯୮୦ ମସିହାରୁ ପ୍ରଦାନ କରାଯାଇ ଆସୁଛି।

ସମ୍ବନ୍ଧିତ ଖବର