ଗ୍ରାମପଥର କବି ବିନୋଦଙ୍କୁ ଏ କି ସମ୍ମାନ!

ସୁନ୍ଦରଗଡ଼ (ଡମ୍ବରୁଧର ନାୟକ): କବି ବିନୋଦଚନ୍ଦ୍ର ନାଏକଙ୍କ କାଳଜୟୀ କାବ୍ୟ ‘ଗ୍ରାମପଥ’ର ଏ ପ୍ରଥମ ପଙକ୍ତି ଉଚ୍ଚାରଣ ମାତ୍ରେ ଗାଁର ଏକ ସୁବଜ ସୁଶୋଭିତ ଦୃଶ୍ୟପଟ୍ଟଟେ ଆଖି ଆଗକୁ ଆପଣାଛାଏଁ ଭାସି ଆସେ। ଆକାଶ ସହ ଗପ ଜମାଇଥିବା ତାଳବଣ, ବିଲ ହୁଡ଼ାରେ କାଶତଣ୍ଡି ଫୁଲ ଓ ତାରି ମଧ୍ୟ ଦେଇ ମାମୁ ଘର ଗାଆଁକୁ ଲମ୍ବି ଯାଇଥିବା ଗ୍ରାମପଥ କେତେ ପ୍ରାଣବନ୍ତ, ଜୀବନ ଛଳଛଳ ସତରେ। ସୁନ୍ଦରଗଡ଼ ଜିଲ୍ଲା ଟାଙ୍ଗରପାଲି ବ୍ଲକ ମହୁଲପାଲି ପଞ୍ଚାୟତର ଅଙ୍ଗିରାପାଟ ପାହାଡ଼ ତଳର ଏକ ପଲ୍ଲୀ ତେଲିପାଲିକୁ ଲମ୍ବି ଯାଇଛି ସେହି ଅପାଶୋରା ଗ୍ରାମପଥ। ତେଲିପାଲି, କବିଙ୍କ ଗାଁ। ଫି’ ଶରତରେ ଯେଉଁଠି ଦିଗନ୍ତ ବିସ୍ତାରି ଲହୁଡ଼ି ଭାଙ୍ଗନ୍ତି ଧୋବ ଫରଫର କାଶତଣ୍ଡି ଫୁଲ। ତା’ରି ସୌନ୍ଦର୍ଯ୍ୟରେ ସମ୍ମୋହିତ ହୋଇ କବି ଲେଖିଥିଲେ ଛୋଟ ଧାଡ଼ିଟେ, ‘କାଶତଣ୍ଡି ନଈର ଗଜରା’। ଗାଁ ମୁଣ୍ଡରେ ଏବେ ବି ବହି ଯାଉଛି କବିଙ୍କ ପିଲା ଓ କିଶୋର ଦିନର ପ୍ରିୟ ଇଚ୍ଛା ନଈ। ନଈ ତୁଠରେ ସ୍ନାନରତା ଗାଁ ମହିଳା, କୁଳ ଭୁଆସୁଣୀ।

ଯେଉଁଠି ସେଦିନ କବି ଦେଖିଥିଲେ, ଭୁଆସୁଣୀ କେମିତି ପାଦର ପାହୁଡ଼ ମାଜି, ମୁକୁଳା ବେଣୀରେ ମେଥି ପଖାଳୁଥିଲେ ଆଉ ଗାଲରେ ହଳଦୀ ମାଖି ଚତୁରୀ ନଣନ୍ଦ କେମିତି ମୁହଁର ଛାଇକୁ ହଲିଲା ପାଣିରେ ଦେଖୁଥିଲେ । ସେଇଠୁ ନଈ ସେତୁ ପାର ହେଲେ ତେଲିପାଲି ଗାଁ। ପଥ ଧାରେ ବିଶାଳ ବୃକ୍ଷରାଜି, ଆମ୍ବ ତୋଟାମାଳ, କଇଁ ପୋଖରୀ, ଶିଖରବାସିନୀ, ଅଙ୍ଗିରାପାଟ ପାହାଡ଼ ଗାଁ ପରିବେଶକୁ ଅଧିକ ମନୋରମ କରି ତୋଳି ଧରିଛି । କିନ୍ତୁ ଗାଁ ଠାରୁ ଅନତି ଦୂରରେ କବିଙ୍କ ପିଲାଦିନର ତାଳବଣ ଏବେ ଆଉ ନାହିଁ, ସାକ୍ଷୀ ରୂପେ ଗୋଟେ ଯୋଡ଼େ ତାଳଗଛ ଠିଆ ହୋଇଛି ଯାହା। ଆଉ ଗାଁ ଭିତରେ ବିମର୍ଷକର ଭାବେ ମାଟିରେ ମିଶି ଯାଇଛି କବିଙ୍କ ଅନ୍ତୁଡ଼ିଶାଳ। ତାକୁ ସ୍ମାରକୀ ଭାବେ ସରକାର କି ପ୍ରଶାସନ ସାଇତି ରଖିବାକୁ ଆଗ୍ରହ ପ୍ରକାଶ କରି ନଥିବା ବେଳେ ଏବେ ଗାଁର କବି ବିନୋଦଚନ୍ଦ୍ର ନାଏକ ସ୍ମୃତି କମିଟି ନିଜ ଉଦ୍ୟମରେ କବିଙ୍କ ଦୁଇଟି ପ୍ରତିମୂର୍ତ୍ତି ସ୍ଥାପନ କରିଛନ୍ତି। ଗୋଟିଏ ଅନ୍ତୁଡ଼ିଶାଳରେ, ଅନ୍ୟଟି ଗାଁ ମନ୍ଦିର ପାଖରେ। ବିନୋଦଚନ୍ଦ୍ରଙ୍କ ବାପା ନାରାୟଣଚନ୍ଦ୍ର ନାଏକ ଥିଲେ ରାଜୁଡ଼ା ଅମଳର ଗାଁ ଗୌନ୍ତିଆ। କିନ୍ତୁ ବୃତ୍ତି ଥିଲା ଶିକ୍ଷକତା। ସେ ମହିମା ଧର୍ମାବଲମ୍ବୀ ହୋଇଥିବାରୁ ବର୍ଷ ସାରା ତାଙ୍କ ଘରେ ବକ୍କଳଧାରୀ ବାବା ଓ କୁମ୍ପଟିଆମାନଙ୍କ ଭିଡ଼ ଜମୁଥିଲା। ଧୂନି, ଖଞ୍ଜଣି ଓ ସନ୍ଥକବିଙ୍କ ଭଜନର ଆସର ବସୁଥିଲା। ମାଆ କସ୍ତୁରୀ ସାଧାରଣ ଗୃହିଣୀ ଥିଲେ ସତ, କିନ୍ତୁ ତାଙ୍କ ରଚିତ ଫୁଲତୋଡ଼ା କବିତାବଳୀ ବେଶ ଚର୍ଚ୍ଚାକୁ ଆସିଥିଲା। ମାଆଙ୍କ କବିତା ଓ ଭୀମଭୋଇଙ୍କ ଭଜନ କବି ବିନୋଦଙ୍କ ପିଲାଦିନକୁ ଆଚ୍ଛାଦିତ କରିଥିଲା।

୧୯୨୯ରେ ତେଲିପାଲି ଗାଁରେ ପ୍ରାଥମିକ ଶିକ୍ଷା ଶେଷ କରି ସୁନ୍ଦରଗଡ଼ ଭବାନୀଶଙ୍କର ଉଚ୍ଚ ବିଦ୍ୟାଳୟକୁ ପଢ଼ିବାକୁ ଚାଲି ଯାଇଥିଲେ। ତାପରେ ରେଭେନ୍ସା କଲେଜରେ ଆଇଏ ଓ ଇଂରାଜୀ ସମ୍ମାନରେ ସ୍ନାତକ ଲାଭ କରି ପାଟଣା ବିଶ୍ବବିଦ୍ୟାଳୟରୁ ଇଂରାଜିରେ ସ୍ନାତକୋତ୍ତର ଡିଗ୍ରି ହାସଲ କରିଥିଲେ। ଏହି ସମୟରେ ଝାରସୁଗୁଡ଼ା ଜିଲ୍ଲା ସାହସପୁରର ଯାଜ୍ଞସେନୀଙ୍କୁ ସେ ବିବାହ କରିଥିଲେ। ପରେ ପରେ ଓଡ଼ିଆରେ ଏମଏ କରି ଜଣେ ସୁଦକ୍ଷ ଅଧ୍ୟାପକ ଭାବେ ୧୯୫୯ରୁ ୧୯୬୭ ପର୍ଯ୍ୟନ୍ତ ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟ ଓ ପରେ ଗଙ୍ଗାଧର ମେହେର କଲେଜରେ ଅଧ୍ୟାପକ ରୂପେ ଯୋଗ ଦେଇଥିଲେ।

୧୯୬୮ରେ କବି ବିନୋଦଚନ୍ଦ୍ର ଓଡ଼ିଆ ସାହିତ୍ୟ ଏକାଡେମି ସମ୍ପାଦକ ଭାବେ ଯୋଗ ଦେଲେ। ୧୯୮୮ରେ ମହାପାତ୍ର ନୀଳମଣି ସାହୁଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମି ସଭାପତି ଓ କବି ବିନୋଦଙ୍କୁ ଉପସଭାପତି ଭାବେ ଦାୟିତ୍ବ ନେବାକୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ଅନୁରୋଧ କରିଥିଲେ। କିଛି ଦିନର ଦାୟିତ୍ବ ପରେ ମହାପାତ୍ର ନୀଳମଣି ସାହୁ ସଭାପତି ପଦବିରୁ ଇସ୍ତଫା ଦେବାରୁ ବିନୋଦଙ୍କ ଉପରେ ସଭାପତି ଭାର ପଡ଼ିଥିଲା। ୧୯୯୧ ଯାଏ ସେ ନିର୍ବିବାଦୀୟ ସଭାପତି ରୂପେ କାର୍ଯ୍ୟକାଳ ସାରିଥିଲେ। କବି ବିନୋଦ ଗାଁର ନିମ୍ନ ପ୍ରାଥମିକ ବିଦ୍ୟାଳୟରେ ପଢ଼ୁଥିବା ବେଳେ ଲେଖିଥିଲେ ଗଣେଶ ବନ୍ଦନା, ତାହା ହିଁ ତାଙ୍କ ପ୍ରଥମ ରଚନା ଥିଲା । ୧୯୩୨ରେ ପଣ୍ଡିତ ଜବାହରଲାଲ ନେହେରୁଙ୍କ ସମ୍ପାଦନାରେ ଦିଲ୍ଲୀରେ ପ୍ରକାଶିତ ଇଂରାଜି ପତ୍ରିକାରେ ସଚ୍ଚି ରାଉତରାୟଙ୍କ ‘ମଦରଲାଣ୍ଡ’ ଓ କବି ବିନୋଦଙ୍କ ‘ଦ ଗାର୍ଲ୍ସ ଆଣ୍ଡ ଦ କୁକୋ’ କବିତା ଏକାସଂଗରେ ପ୍ରକାଶ ପାଇ ଚର୍ଚ୍ଚାକୁ ଆସିଥିଲା। ନନ୍ଦାଦେବୀ କବିତା ଗ୍ରନ୍ଥର ‘ଗ୍ରାମପଥ’ କବିଙ୍କୁ କାଳଜୟୀ କରିଥିଲା।

‘ଦୂର ତାଳବଣ ଆକାଶେ ଶୁଣାଏ ମାଟିର କବିତା କି ସେ
ଏ ଗ୍ରାମର ପଥ ତହିଁ ଦିଗନ୍ତେ ମିଶେ
କ୍ଷେତ ପରେ କ୍ଷେତ କାଶଫୁଲ ଆଉ ବେଣାରେ ଜଟିଳା ପାଟ
ପାଟ ପରେ ବଣ ପାରି ହେଲେ ମାମୁ ଘର ଗାଆଁ ଦିଶେ’।

ଯାଜ୍ଞସେନୀଙ୍କୁ ବିବାହ କରିବା ପରେ ବିନୋଦଚନ୍ଦ୍ର ଶ୍ବଶୁର ଘର ସାହସପୁରରେ ସପରିବାର ରହୁଥିଲେ। ସେଠାରେ ହିଁ ତାଙ୍କ ପୁଅ ଦିଲୀପ ଓ ଝିଅ ପୁଷ୍ପଲତାଙ୍କ ଜନ୍ମ। ୨୦୦୩ ନଭେମ୍ବର ୧୫ରେ କବିଙ୍କ ଦେହାନ୍ତ ହୁଏ। ଏହା ମଧ୍ୟରେ ପୁଅ, ଝିଅ ବି ଚାଲିଗଲେଣି। ଏବେ ସାହସପୁରରେ ତାଙ୍କ ପୁତ୍ରବଧୂ ସହ ରକ୍ତ ସନ୍ତକ ନାତିନାତୁଣୀ ରାଜେଶ, ରାଜିମ, ରାନୀ ଓ ସୀମା ରହୁଛନ୍ତି। ଶ୍ବଶୁର ଘରେ ରହୁଥିଲେ ମଧ୍ୟ ନିଜ ଜନ୍ମମାଟିକୁ ସେ କେବେ ଭୁଲି ପାରି ନଥିଲେ। କର୍ମବ୍ୟସ୍ତ ଜୀବନରୁ ସମୟ ବାହାର କରି ବହୁ ସମୟରେ ସେ ଛୁଟି ଆସୁଥିଲେ ନିଜ ପ୍ରିୟ ଗାଁକୁ। ଗାଁକୁ ଯେବେ ଆସୁଥିଲେ, ଗାଁରେ ଥିବା ପୁତୁରା ଶଶାଙ୍କ ନାଏକଙ୍କ ଘରେ ଅବସ୍ଥାନ କରୁଥିଲେ। ଏବେ ଗାଁରେ ତାଙ୍କ ପରଲୋକଗତ ତିନି ଭାଇ ମନ୍ତ୍ରମଣି, ଅମୀୟକାନ୍ତ ଓ କୁଞ୍ଜବିହାରୀଙ୍କ ପୁଅମାନେ ରହୁଛନ୍ତି। ଶଶାଙ୍କ କହୁଥିଲେ, ‘ବଡ଼ବାପା (କବି) ଆସିଲେ ତାଙ୍କୁ ଭେଟିବାକୁ ଘରେ ଲୋକଙ୍କ ମେଳା ଲାଗି ଯାଉଥିଲା। ତା’ରି ମଧ୍ୟରେ ସେ ଚୁପକିନା ଘରୁ ବାହାରି ଯାଉଥିଲେ ଗାଁ ଭିତରକୁ। ଆମ୍ବ ତୋଟାମାଳ, ଇଚ୍ଛା ନଈ କୂଳକୁ ଯାଇ ଘଡ଼ିଏ ବସୁଥିଲେ ଏକା ଏକା। ବୋଧହୁଏ ତାଙ୍କ ଅଫେରା ପିଲାଦିନକୁ ମନେ ପକାଉଥିଲେ। ତାଙ୍କ ସମୟରେ ଗାଁରୁ ନଈକୁ ଆଣ୍ଠୁବୁଡ଼ା କାଦୁଅ ରାସ୍ତାଟେ ଲମ୍ବିଥିଲା। ନଈକୁ ସ୍ନାନଶୌଚ ପାଇଁ ଯାଉଥିବା ମହିଳାମାନଙ୍କ ଯନ୍ତ୍ରଣାରେ ସେ ବିଚଳିତ ହୋଇ ପଡ଼ିଥିଲେ। ନଈରୁ ଗାଁ ଯାଏ ସେ ନିଜେ ଗୋଟିକିଆ ପଥର ପକାଇ ପକାଇ ପାଦ ପକା ବାଟଟେ ତିଆରି କରିଥିଲେ।

ମହିଳାମାନେ ସେ ପଥରରେ ଥିରି ଥିରି ପାଦ ପକାଇ ନଈରୁ ଘରକୁ ଫେରୁଥିଲେ। ଏବେ ବି ନଈକୁ ସେ ମାଟି ରାସ୍ତା ହିଁ ରହିଛି, ବର୍ଷାରେ କାଦୁଅ ଓ ଖରାରେ ଧୂଳିଧୂସରିତ। ବିଡ଼ମ୍ବନାର ବିଷୟ, କେବଳ କବିଙ୍କ ଗାଁର ପାଦ ଚଲା ବାଟ କର୍ଦ୍ଦମାକ୍ତ, ଧୂଳିଧୂସରିତ ହୋଇଛି ତାହା ନୁହେଁ, ଗାଁ ମାଟିରୁ ବିଶ୍ବ ଯାଏ ଖ୍ୟାତ ବିନୋଦଚନ୍ଦ୍ର ନାଏକଙ୍କ ସ୍ମୃତିଚିହ୍ନ ସବୁ ଏମିତି ମାଟିରେ ମିଶିଯିବାକୁ ବସିଛି। ଏଯାଏ ସୁନ୍ଦରଗଡ଼ ଜିଲ୍ଲାର କୌଣସି ଶିକ୍ଷାନୁଷ୍ଠାନ କି ରାସ୍ତା ବା ପାଠାଗାରକୁ କବିଙ୍କ ନାମରେ ଉତ୍ସର୍ଗ କରାଯାଇପାରି ନାହିଁ। ଗାଁକୁ ଛାଡ଼ି ଦେଲେ ଏବେ କେଉଁଠି ବି ବିଶ୍ବଖ୍ୟାତ କବିଙ୍କ ପ୍ରତିମୂର୍ତ୍ତି କି କୌଣସି ସ୍ମୃତିସୌଧଟେ ନାହିଁ। ସମ୍ବଲପୁରରେ କବି ଗଙ୍ଗାଧର ମେହେରଙ୍କ ନାମରେ ଏକ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟର ନାମକରଣ ହୋଇପାରଛି, ଅଥଚ ସ୍କୁଲ ଜୀବନ କାଟିଥିବା ଭବାନୀଶଙ୍କର ଉଚ୍ଚ ବିଦ୍ୟାଳୟ କି ଅଧ୍ୟାପନା ଜୀବନର ୭ ବର୍ଷ କଟିଥିବା ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟ ଏଯାଏ ତାଙ୍କୁ ସାମାନ୍ୟ ସମ୍ମାନ ଟିକେ ଦେବାକୁ ଉଚିତ ମଣିନାହିଁ। ଏହା ମଧ୍ୟରେ ସୁନ୍ଦରଗଡ଼ର କିଛି ସାହିତ୍ୟାନୁରାଗୀ କବିଙ୍କ ପ୍ରତିମୂର୍ତ୍ତିଟେ ତିଆରି କରି ଆଣିଛନ୍ତି, କିନ୍ତୁ ୬ ମାସ ହେଲା ପ୍ରତିଷ୍ଠା ହୋଇପାରୁ ନାହିଁ। କେଉଁଠି ବି ଓଡ଼ିଆ ସାହିତ୍ୟର ଏ ବରପୁତ୍ରଙ୍କ ପାଇଁ ସ୍ଥାନ ମିଳୁ ନାହିଁ। ସୁନ୍ଦରଗଡ଼ ପାଇଁ ଏହାଠୁ ବଳି ବଡ଼ ବିଡ଼ମ୍ବନା ଆଉ କ’ଣ ହୋଇପାରେ !

ସମ୍ବନ୍ଧିତ ଖବର