ପରଲୋକରେ କବି ପ୍ରମୋଦ ମହାନ୍ତି: ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରୀଙ୍କ ଶୋକ

ଭୁବନେଶ୍ବର: କେନ୍ଦ୍ର ସାହିତ୍ୟ ଏକା‌ଡେମି ପୁରସ୍କାରପ୍ରାପ୍ତ ବିଶିଷ୍ଟ କବି ପ୍ରଫେସର ପ୍ରମୋଦ କୁମାର ମହାନ୍ତିଙ୍କର ୮୨ ବର୍ଷ ବୟସରେ ପରଲୋକ ହୋଇଯାଇଛି। ବୁଧବାର ଭୋର୍‌ରେ ଭୁବନେଶ୍ବର ଆଚାର୍ଯ୍ୟ ବିହାର ସ୍ଥିତ ବାସଭବନରେ ‌ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। କିଛି ଦିନ ହେଲା ସେ ଶଯ୍ୟାଶାୟୀ ଥିଲେ। ତାଙ୍କର ପରଲୋକରେ ସାହିତ୍ୟ ଜଗତରେ ଶୋକର ଛାୟା ଖେଳିଯାଇଛି। ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି।

ଶ୍ରୀ ମହାନ୍ତିଙ୍କ ବାସଭବନରେ ବହୁ ବିଶିଷ୍ଟ ବ୍ୟକ୍ତି ଶେଷ ଦର୍ଶନ କରିଥିଲେ। ଏହା ପରେ ତାଙ୍କ ମରଶରୀରକୁ ପୈତୃକ ଗ୍ରାମ ଜଗତସିଂହପୁର ଜିଲ୍ଲାର ବିରିଡ଼ି ବ୍ଳକ୍‌ ସ୍ଥିତ କୁଳକଇଜଙ୍ଗାର ନୂଆପାରିକୁ ନିଆଯାଇଥିଲା। ଗାଁ ମଶାଣିରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ପୁଅ ମିତ୍ରଭାନୁ ମହାନ୍ତି ମୁଖାଗ୍ନି ଦେଇଥିଲେ। ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ପତ୍ନୀ କବିତା ମହାନ୍ତି ଉପସ୍ଥିତ ଥିଲେ। ୧୯୪୧ ଜାନୁଆରି ୨୬ ତାରିଖରେ ଶ୍ରୀ ମହାନ୍ତି ଜନ୍ମ ଗ୍ରହଣ କରିଥିଲେ। ଗାଁ ସ୍କୁଲ୍‌ରୁ ବିଦ୍ୟାଳୟ ଶିକ୍ଷା ଶେଷ କଲା ପରେ ରେଭେନ୍ସା କଲେଜରେ ଅଧ୍ୟୟନ କରିଥିଲେ। ପରେ ସେ ଉତ୍କଳ ବିଶ୍ବବିଦ୍ୟାଳୟରୁ ମନୋବିଜ୍ଞାନରେ ସ୍ନାତକୋତ୍ତର ଉପାଧି ହାସଲ କରିଥିଲେ। କିଶୋରନଗର ଚିନ୍ତାମଣି ବିଦ୍ୟାପୀଠରୁ ସହକାରୀ ଶିକ୍ଷକ ଭାବେ ସେ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ। ପରେ ୧୯୭୦ ମସିହାରେ ବାଙ୍କି କଲେଜରେ ମନୋବିଜ୍ଞାନ ଅଧ୍ୟାପକ ଭାବେ ଯୋଗ ଦେଇଥିଲେ। ୨୦୦୦ ମସିହାରେ ଜାତୀୟ କବି ବୀରକିଶୋର କଲେଜରୁ ଶ୍ରୀ ମହାନ୍ତି ଅବସର ଗ୍ରହଣ କରିଥିଲେ। ପ୍ରାୟ ଅର୍ଦ୍ଧ ଶତାବ୍ଦୀ କାଳ କବିତା ରଚନାରେ ମନୋନିବେଶ କରିଥିବା କବି ଶ୍ରୀ ମହାନ୍ତିଙ୍କର ୧୧ଟି କବିତା ସଂକଳନ ପ୍ରକାଶିତ ହୋଇଛି। ସେସବୁ ମଧ୍ୟରେ ରହିଛି କ୍ରମଶଃ, ଦେବୀପାଦ, ଅକାତକାତ, ଚିତ୍ରନଦୀ, ଅସରନ୍ତି ଅଣସର, ଅଲଗା କୁହ, ଚିତ୍ର, ଚିତ୍ରକ ଚିତ୍ରପେଡ଼ି, ଅକ୍ଷର ସେବା, ବାଙ୍‌ମୟ ବର୍ଣ୍ଣମାଳା, ଅଧାଅଧା ଅଲିମ୍ପିକ ଓ ଓଁକାର ଝଙ୍କାର। ‘ଅସରନ୍ତି ଅଣସର’ କବିତା ସଂକଳନ ପାଇଁ ତାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଏହି କବିତା ସଂକଳନଟି ପରବର୍ତ୍ତୀ ସମୟରେ ମେରି ମହାନ୍ତିଙ୍କ ଦ୍ବାରା ‘ଏଣ୍ଡ୍‌ଲେସ୍ ଆଡଣ୍ଣମେଣ୍ଟ’ ନାମରେ ଇଂରାଜୀ ଭାଷାକୁ ଅନୁବାଦିତ ହୋଇଥିଲା। ଏହି ୫୫ ବର୍ଷର କାବ୍ୟଯାତ୍ରାରେ ‘ଦେବୀପାଦ’ ପାଇଁ ସେ ପ୍ରସିଦ୍ଧି ଲାଭ କରିଥିଲେ।

ଗଦ୍ୟ ସାହିତ୍ୟରେ ମଧ୍ୟ ଶ୍ରୀ ମହାନ୍ତିଙ୍କ ଉଲ୍ଲେଖନୀୟ ଅବଦାନ ରହିଛି। ‘ପିଲାଙ୍କୁ କିପରି ମଣିଷ କରିବ’, ‘ସିଗମଣ୍ଡ୍ ଫ୍ରଏଡ୍: ଜୀବନୀ ଓ ମନସମୀକ୍ଷା ତତ୍ତ୍ବ’ ଏବଂ କୋଣାର୍କ ମନ୍ଦିର ଉପରେ ତାଙ୍କର ପୁସ୍ତକ ରହିଛି। ରାଜ୍ୟ ପାଠ୍ୟପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା ପକ୍ଷରୁ ତାଙ୍କର କିଛି ପୁସ୍ତକ ପ୍ରକାଶ କରାଯାଇଛି। ଓଡ଼ିଶା ସାହିତ୍ୟ ଏକାଡେମି ପାଇଁ କବି କମଳାକାନ୍ତ ପଣ୍ଡାଙ୍କ ସହ ମିଶି ସେ ‘କବିତା କୋଣାର୍କ’ ଶୀର୍ଷକରେ ଓଡ଼ିଆ କୋଣାର୍କ କବିତା ଗୁଡ଼ିକର ଏକ ସୁଦୃଶ୍ୟ ସଂକଳନ ମଧ୍ୟ କରିଛନ୍ତି। ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବହୁ ଅନୁଷ୍ଠାନ ପକ୍ଷରୁ ସେ ସମ୍ମାନିତ ହୋଇଥିଲେ। ପ୍ରଜାତନ୍ତ୍ର ପ୍ରଚାର ସମିତି ପକ୍ଷରୁ ବିଷୁବ ମିଳନ କବିତା ପୁରସ୍କାର, ଉତ୍କଳ ବିଶ୍ବବିଦ୍ୟାଳୟର ପଦ୍ମଚରଣ ପଟ୍ଟନାୟକ କବିତା ପୁରସ୍କାର, ଧରିତ୍ରୀ ସମ୍ମାନ, ଝଙ୍କାର ପୁରସ୍କାର, ଗଙ୍ଗାଧର ରଥ ଫାଉଣ୍ଡେସନ ପକ୍ଷରୁ ‘ଭାନୁଜୀ ରାଓ କବିତା ସମ୍ମାନ’, ଜଗତସିଂହପୁର ପୁସ୍ତକମେଳା ପୁରସ୍କାର ଓ ବ୍ରହ୍ମୋତ୍ରୀ ମହାନ୍ତି ସ୍ମୃତି ସମ୍ମାନରେ ସେ ସମ୍ମାନିତ ହୋଇଥିଲେ। ଶ୍ରୀ ମହାନ୍ତିଙ୍କ ବିୟୋଗରେ ‘ସମ୍ବାଦ’ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ, ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର, ଗୌରହରି ଦାସ ଓ ଅସିତ ମହାନ୍ତି ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି।

ପ୍ରମୋଦ କୁମାର ମହାନ୍ତିଙ୍କ ପରଲୋକରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଗଭୀର ଶୋକ ପ୍ରକଟ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସାନ୍ତ୍ବନା ଜଣାଇଛନ୍ତି। ସ୍ବର୍ଗତ ମହାନ୍ତି ସାହିତ୍ୟକୁ ତାଙ୍କର ଅବଦାନ ପାଇଁ ଚିର ସ୍ମରଣୀୟ ରହିବେ ବୋଲି ସେ ପ୍ରକାଶ କରିଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ କରି ଶୋକ ପ୍ରକାଶ କରିଛନ୍ତି। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ସମବେଦନା ଜଣାଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ କରି କହିଛନ୍ତି, ସ୍ବର୍ଗତ ପ୍ରମୋଦ ମହାନ୍ତିଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ। କବିତା ରଚନା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସେ ସବୁଦିନ ସ୍ମରଣୀୟ ହୋଇ ରହିବେ।

ସମ୍ବନ୍ଧିତ ଖବର