ରମାକାନ୍ତ ରଥଙ୍କୁ ଅତିବଡ଼ୀ ପୁରସ୍କାର

ଭାଗବତ ଟୁଙ୍ଗିକୁ ସହାୟତା ରାଶି ୫୦ ହଜାରକୁ ବୃଦ୍ଧି, ସାତଲହଡ଼ି ମଠ ପର୍ଯ୍ୟଟନ ସ୍ଥଳୀ ପାଇଁ ଖର୍ଚ ହେବ କୋଟିଏ

ଭୁବନେଶ୍ୱର : ଜୀବନ ଯନ୍ତ୍ରଣାର କଥା ହେଉ ଅବା ଆଦର୍ଶ ମୃତ୍ୟୁର କଥା। ଦେହାତୀତର କଥାଠୁ ନେଇ ପ୍ରେମ ପ୍ରଣୟର କଥା। ସପ୍ତମ ଋତୁକୁ ଲେଖନୀ ମୁନରେ ସୃଷ୍ଟି କରିପାରୁଥିବା ଦିଗ୍‌ଗଜ ସାରସ୍ୱତ ସ୍ରଷ୍ଟା ପଦ୍ମଭୂଷଣ ରମାକାନ୍ତ ରଥ ପାଇଛନ୍ତି ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର। ଓଡ଼ିଶା ସାହିତ୍ୟ ଏକାଡେମି ପକ୍ଷରୁ ଆୟୋଜିତ ବିଶେଷ କାର୍ଯ୍ୟକ୍ରମରେ ଶ୍ରୀ ରଥଙ୍କୁ ୧ଲକ୍ଷ ଟଙ୍କାର ଅର୍ଥରାଶି ସହ ପୁରସ୍କାର ପ୍ରଦାନ କରାଯାଇଛି। ଏଥିସହ ୧୫ଜଣ ସାହିତ୍ୟିକଙ୍କୁ ସାରସ୍ୱତ ସମ୍ବର୍ଧନା ପ୍ରଦାନ କରାଯାଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପୁରସ୍କାର ପ୍ରଦାନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ଭାଗବତ ଓଡ଼ିଆ ସ୍ୱାଭିମାନ ଓ ଅସ୍ମିତାକୁ ପ୍ରତିଷ୍ଠା କରିଛି। ଭାଗବତ ଟୁଙ୍ଗି ଏହାର ପ୍ରତୀକ। ଭାଗବତର ପ୍ରଚାର ପ୍ରସାର ଏବଂ ସାଂସ୍କୃତିକ ଜାଗରଣ ପାଇଁ ଭାଗବତ ଟୁଙ୍ଗିର ପୁନରୁଦ୍ଧାର ନିମନ୍ତେ ଅନେକ ନିଷ୍ପତ୍ତି ନିଆଯାଇଛି। ଭାଗବତ ଟୁଙ୍ଗିକୁ ଆଗରୁ ୨୫ ହଜାର ଟଙ୍କା ସହାୟତା ରାଶି ଦିଆଯାଉଥିବା ବେଳେ ଏହାକୁ ୫୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ଏଥିସହ ଅତିବଡ଼ୀ ଜଗନ୍ନାଥ ଦାସଙ୍କ ଜନ୍ମ ଗ୍ରାମ କପିଳେଶ୍ୱରପୁରରେ ଥିବା ସ୍ମୃତିପୀଠର ପୁନରୁଦ୍ଧାର କରାଯିବ। ପ୍ରତିମୂର୍ତି ସ୍ଥାପନ ହେବ। ପୁରୀର ସାତଲହଡ଼ି ମଠ ପର୍ଯ୍ୟଟନ ସ୍ଥଳୀର ପୁନରୁଦ୍ଧାର ପାଇଁ ୧କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି ବୋଲି ସେ କହିଥିଲେ। ସେ ଏକଥା ବି କହିଲେ, ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ‘ଐତିହ୍ୟ କ୍ୟାବିନେଟ୍‌’ର ବୈଠକ ହେବ। ଏହି ବୈଠକରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ସମ୍ପର୍କିତ ବହୁ ଯୁଗାନ୍ତକାରୀ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ।

ଏହି ଅବସରରେ ୨୦୧୮ ବର୍ଷ ପାଇଁ ସାରସ୍ୱତ ସାଧକ/ସାଧିକା ମାନଗୋବିନ୍ଦ ମହାସୂପକାର, ସତ୍ୟନାରାୟଣ ରଥ, କୁମାର ଚକ୍ରବର୍ତୀ, ସୀତାରାମ ବିର୍ତିଆ, ପ୍ରତିମା ମିଶ୍ର, ବଂଶୀଧର ସାହୁ, ବିଜୟ ଚନ୍ଦ୍ର ଜେନା, ଶଙ୍କର୍ଷଣ ମଙ୍ଗରାଜ, ଲକ୍ଷ୍ମୀଧର ନାୟକ ଆଦିସ୍ୟ, ଦୁର୍ଯ୍ୟୋଧନ ଦାସ, କୁଞ୍ଜବିହାରୀ ପାଢ଼ୀ, ପ୍ରଫୁଲ୍ଲ କୁମାର ଦାଶ, ସରୋଜିନୀ ଷଡ଼ଙ୍ଗୀ, ଗିରି ଦଣ୍ଡସେନା ଏବଂ ବ୍ରଜମୋହନ ମିଶ୍ରଙ୍କୁ ସାରସ୍ୱତ ସମ୍ବର୍ଧନା ପ୍ରଦାନ କରାଯାଇଥିଲା। ୨୫ ହଜାର ଟଙ୍କାର ଅର୍ଥରାଶି ସହ ମାନପତ୍ର ଦେଇ ସାରସ୍ୱତ ସମ୍ବର୍ଧନା ପ୍ରଦାନ କରାଯାଇଥିଲା।

ଶ୍ରୀ ରଥ ନିଜ ଅଭିଭାଷଣରେ କହିଲେ, ଅତିବଡ଼ୀ କେବଳ ଭକ୍ତି ସାହିତ୍ୟର ପ୍ରମୁଖ ସ୍ରଷ୍ଟା ନୁହନ୍ତି। ଅକୃତ୍ରିମ ଆବେଗକ୍ଷମ କବିତାର କବି ଓ ମାର୍ଗଦର୍ଶକ ମଧ୍ୟ। କୌଣସି ତତ୍ତ୍ୱର ଉପସ୍ଥାପନା କଲାବେଳେ ତାଙ୍କର କବିପଣ ତଥ୍ୟର ଚୌହଦିରୁ ମୁକୁଳି ପାଠକ ପାଖରେ ପହଞ୍ଚେ ଓ ଆଲୋଡ଼ିତ କରେ ବୋଲି ସେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ପ୍ରମୁଖ ସଚିବ ମନୋରଂଜନ ପାଣିଗ୍ରାହୀ ଏବଂ ନିର୍ଦେଶକ ବିଜୟ ନାୟକ ବକ୍ତବ୍ୟ ରଖିଥିଲେ। ଓଡ଼ିଶା ସାହିତ୍ୟ ଏକାଡେମିର ସଭାପତି ହରିହର ମିଶ୍ର କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ସଚିବ ଡ.ଜୟନ୍ତୀ ରଥ ସ୍ୱାଗତ ଭାଷଣ ଦେଇଥିଲେ। ଏକାଡେମି ପ୍ରକାଶିତ ଡ.ଅଜୟ କୁମାର ମିଶ୍ରଙ୍କ ସମ୍ପାଦିତ ‘ପୂର୍ବାଞ୍ଚଳ ଓଡ଼ିଆ ଲୋକଗୀତ ଓ ଲୋକ କାହାଣୀ’, ଚକ୍ରଧର ମହାପାତ୍ରଙ୍କ ରଚିତ ଓ ମଞ୍ଜୁ ମୋଦିଙ୍କ ଅନୁଦିତ ‘କୁନ୍ତଳା କୁମାରିକା ଜୀବନ ରଚିତ୍‌’, ଲିଙ୍ଗରାଜ ନାହାକଙ୍କ ‘ରାମ ନାଟକ’ ଏବଂ ଡେଭିଡ୍‌ ବି ସ୍ମିଥ୍‌ଙ୍କ ଲିଖିତ ତଥା ବଟକୃଷ୍ଣ ତ୍ରିପାଠୀଙ୍କ ଅନୁଦିତ ‘ଜଗନ୍ନାଥ ଧାମକୁ ତୀର୍ଥଯାତ୍ରା’ ପୁସ୍ତକ ଲୋକାର୍ପିତ ହୋଇଥିଲା। ଡ.ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ସାହିତ୍ୟ ଏକାଡେମିର କର୍ମକର୍ତାବୃନ୍ଦ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଭାଗବତ ରେକର୍ଡର ସ୍ମୃତି ବଖାଣିଲେ ରମାକାନ୍ତ
ଅତିବଡ଼ୀ ପୁରସ୍କାର ପ୍ରାପ୍ତ ଶ୍ରୀ ରଥ ଅତିବଡ଼ୀଙ୍କ ସହ ଜଡ଼ିତ ଏକ ଘଟଣାର ସ୍ମୃତିଚାରଣ କରିଥିଲେ। ୧୯୭୪ କିମ୍ବା ୧୯୭୫ ମସିହା, ମୁଁ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ସଚିବ ଥିବା ସମୟରେ ଭାଗବତର ରେକର୍ଡ ଓ କ୍ୟାସେଟ୍‌ କରିବାକୁ ଚାହିଁଥିଲି। ଏଚ୍‌ଏମ୍‌ଭିର ନିର୍ଦେଶକଙ୍କୁ ଏନେଇ ଡକାଇଥିଲି। ସେ ନିଦେର୍ଶକ ମୁଖ୍ୟମନ୍ତ୍ରୀଙ୍କୁ ଯାଇ କହିଲେ, ଆପଣଙ୍କ ସଚିବ ମତେ ଭାଗବତର ରେକର୍ଡ କରିବାକୁ କହୁଛନ୍ତି। କିନ୍ତୁ ଜଣେ ଲୋକ କହୁଛି ଯେ, ଲୋକେ ମଲାବେଳେ ଭାଗବତ ପଢ଼ାଯାଏ। ଏକଥା ଶୁଣିବା ପରେ ମୁଁ କହିଲି, ଯଦି ପ୍ରେମ ଓ ଶୃଙ୍ଗାର ରସ ବିଷୟରେ ଜାଣିବାର ଅଛି ତେବେ ଭାଗବତର ଦଶମ ସ୍କନ୍ଦ ଦେଖ। ଏହା କହିବା ପରେ ଭାଗବତର ରେକର୍ଡ ତିଆରି ହୋଇଥିଲା।

ସମ୍ବନ୍ଧିତ ଖବର