ଦୁର୍ଗା ପ୍ରସାଦ ମହାପାତ୍ରଙ୍କ କବିତା ସଂକଳନ ଲୋକାର୍ପିତ

ଭୁବନେଶ୍ବର : କବି, ଗୀତିକାର ଓ ଲେଖକ ଦୁର୍ଗାପ୍ରସାଦ ମହାପାତ୍ରଙ୍କ ଦୁଇଟି କବିତା ସଂକଳନ ‘ଅନନ୍ୟା ସେ କନ୍ୟା’ ଓ ‘ଛ ଖଣ୍ଡ କାଠ’କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ରାଜଭବନଠାରେ ଲୋକର୍ପଣ କରିଛନ୍ତି।

ରାଜଭବନ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କବି ଶ୍ରୀ ମହାପାତ୍ରଙ୍କ ସହ ତାଙ୍କ ସହଧର୍ମିଣୀ ଶ୍ରଦ୍ଧାଞ୍ଜଳୀ ମହାପାତ୍ର, ଝିଅ ହଂସିକା ମହାପାତ୍ରଙ୍କ ସହ ରକ୍ଷକ ନାୟକ ମଧ୍ୟ ଉପସ୍ଥିତ ଥିଲେ। ରାଜ୍ୟପାଳ ଏହି ପୁସ୍ତକଦ୍ବୟକୁ ଉନ୍ମୋଚନ ନେଇ ଖୁସି ପ୍ରକଟ କରିବା ସହିତ ଶ୍ରୀ ମହାପାତ୍ରଙ୍କ ଭବିଷ୍ୟତ ନିର୍ଝର ଲେଖନୀର ଉତ୍ତରୋତ୍ତର କାମନା କରିଥିଲେ।

‘ଅନନ୍ୟା ସେ କନ୍ୟା’ ଶ୍ରୀ ମହାପାତ୍ରଙ୍କ ତୃତୀୟ କବିତା ସ୍ତବକ ଯେଉଁଥିରେ ମୋଟ ୫୫ଟି କବିତା ପାଖୁଡ଼ା ସ୍ଥାନ ପାଇଛି ଓ ଏହା ୧୨୦ ପୃଷ୍ଠାର ପୁସ୍ତକ, ଯାହାକି ଆଧୁନିକ, ଧର୍ମଚେତନତା, ଜୀବନଚର୍ଯ୍ୟା ଉପରେ ପରିବେଷ୍ଟିତ। ନାରୀ ହିଁ ସମାଜ ତଥା ସଂସାରର ସୃଷ୍ଟି, ମୂଳମନ୍ତ୍ର ଓ ଅନ୍ୟାନ୍ୟା ଚରିତ୍ର ବୋଲି ପୁସ୍ତକରେ ନିଖୁଣ ଭାବେ ଚିତ୍ରଣ କରାଯାଇଛି। ‘ଛ ଖଣ୍ଡ କାଠ’ ଶ୍ରୀ ମହାପାତ୍ରଙ୍କ ଚତୁର୍ଥ କବିତା ସଂକଳନ ଯେଉଁଥିରେ ମୋଟ ୫୫ଟି କବିତା ପାଖୁଡ଼ା ସ୍ଥାନ ପାଇଛି ଓ ଏହା ୧୧୨ ପୃଷ୍ଠା ସମ୍ବଳିତ ପୁସ୍ତକ, ଯାହାକି ଧର୍ମଚେତନା, ଜୀବନଚର୍ଯ୍ୟା ଉପରେ ପରିବେଷ୍ଟିତ। ଊଭୟ ପୁସ୍ତକ ‘ଦିବ୍ୟ ମୁଦ୍ରଣ’ ଭୁବନେଶ୍ବର ଦ୍ବାରା ପ୍ରକାଶିତ।

କବି ଶ୍ରୀ ମହାପାତ୍ର ବର୍ତ୍ତମାନ ଆୟକର ବିଭାଗ, ଭୁବନେଶ୍ବରରେ ସହ ଆୟକର ଆୟୁକ୍ତ ଭାବେ କାର୍ଯ୍ୟରତ। ଶ୍ରୀ ମହାପାତ୍ରଙ୍କ ପ୍ରଥମ ଓ ଦ୍ବିତୀୟ କବିତା ସଂକଳନ ‘ସଜ ତୁଳସୀ’ ଏବଂ ‘ଅସଜଡ଼ା ପାଖୁଡ଼ା’କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଥିଲେ।

ସମ୍ବନ୍ଧିତ ଖବର