କରୋନା ମୁକାବିଲା: ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଭିଡିଓ କନଫରେନସିଂ କାଳରେ ରାଜ୍ୟର ଆବଶ୍ୟକତା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର: ସଂପ୍ରତି ମହାମାରୀ କରୋନା ଭାଇରସ୍‌କୁ କେନ୍ଦ୍ରକରି ସମଗ୍ର ଦେଶରେ ଏକ ଅସାଧାରଣ ପରିସ୍ଥିତି ସୃଷ୍ଟି ହୋଇଛି। ଏପରିସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅପରାହ୍ନରେ ଭିଡିଓ କନଫରେନସିଂ ଜରିଆରେ ଦେଶର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବା ସହ କରୋନାର ମୁକାବିଲା ପାଇଁ ରାଜ୍ୟମାନେ ଗ୍ରହଣ କରୁଥିବା ସମସ୍ତ ପଦକ୍ଷେପ ବିଷୟରେ ପଚାରି ବୁଝିଛନ୍ତି।

ଏହି ଭିଡିଓ କନଫରେନସିଂ କାଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର କିଛି ଆବଶ୍ୟକତା ସଂପର୍କରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ କରୋନାକୁ ଦୃଷ୍ଟିରେ ରଖି କେତେକ ଜନ କଲ୍ୟାଣକାରୀ ପଦକ୍ଷେପ ଗ୍ରହଣ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏହିକ୍ରମରେ କରୋନା ଭାଇରସ୍‌ କୋଭିଡ୍‌-୧୯ର ପରୀକ୍ଷା ପାଇଁ ପର୍ଯ୍ୟାପ୍ତ ପରିମାଣର କିଟ୍‌ ମାଗଣାରେ ଘରୋଇ କ୍ଷେତ୍ରରେ ଉପଲବ୍ଧ କରାଇବା ପାଇଁ ପରାମର୍ଶ ଦେଇଛନ୍ତି। ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ କାର୍ଯ୍ୟରତ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ସୁରକ୍ଷିତ ରଖିବା ପାଇଁ ମାସ୍କ ଠାରୁ ଆରମ୍ଭ କରି ଅନ୍ୟ ସମସ୍ତ ଆବଶ୍ୟକୀୟ ଉପକରଣ ଯୋଗାଇ ଦେବାକୁ ପ୍ରସ୍ତାବ ଦେଇଛନ୍ତି।

ANI

ଏତଦ୍‌ବ୍ୟତୀତ କରୋନା ପ୍ରଭାବରେ ରାଜ୍ୟର ଗରିବ ଶ୍ରମିକ ଗୋଷ୍ଠୀ ଗଭୀର ଭାବେ ପ୍ରଭାବିତ ହୋଇଥିବାରୁ ଏହାକୁ ଦୃଷ୍ଟିରେ ରଖି ମନରେଗାରେ ପଞ୍ଜିକୃତ ଶ୍ରମିକମାନଙ୍କୁ ଅତି କମ୍‌ରେ ୫୦ ଦିନର ମଜୁରି ପ୍ରଦାନ, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ପଞ୍ଜିକୃତ ପରିବାରଗୁଡ଼ିକୁ ଆଗୁଆ ଖାଦ୍ୟଶସ୍ୟ ପ୍ରଦାନ, ପ୍ରଧାନମନ୍ତ୍ରୀ କିଶାନ ଯୋଜନା ଅଧୀନରେ ଚାଷୀମାନଙ୍କୁ ଆଗୁଆ କିସ୍ତି ଓ ନିର୍ମାଣ ଶ୍ରମିକମାନଙ୍କ ପାଇଁ ନୂତନ ଅର୍ଥନୈତିକ ପ୍ୟାକେଜ୍‌ ଘୋଷଣା କରିବାକୁ ପ୍ରସ୍ତାବ ଦେଇଛନ୍ତି। ସେହିପରି କେନ୍ଦ୍ରଠାରୁ ରାଜ୍ୟମାନଙ୍କୁ ମିଲିବାକୁ ଥିବା ପ୍ରାପ୍ୟକୁ ମଧ୍ୟ ଆଗୁଆ ପ୍ରଦାନ କରିଦେବାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ।

ଏହି ଅବସରରେ କରୋନା ଭାଇରସ୍‌କୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ଯେପରି ସମସ୍ତ ଅନ୍ତର୍ଜାତିକ ଯାତ୍ରା ଉପରେ କଟାକଣା ଲଗାଇବା ସହ କରୋନା ଉପଦ୍ରୁତ ଦେଶଗୁଡ଼ିକରେ ଫସି ରହିଥିବା ଭାରତୀୟମାନଙ୍କୁ ଉଦ୍ଧାର କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟକଲେ ସେଥିପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ।

ସମ୍ବନ୍ଧିତ ଖବର