କାଳିଆପାଣି (ରବି ନାରାୟଣ କର): ଖେଳ ପଡ଼ିଆରେ ଘାସ ତୁଳନାରେ ଶିଉଳି ଅଧିକ ମାଡ଼ିଚାଲିଛି। ଏମିତି କିଛି ଜାଗାରେ ଏହା ଘାସ ଉପରେ ଚଢ଼ିଯାଇଛି। କିନ୍ତୁ ଶିଉଳି ଉପରେ ଘାସ ମାଡ଼ିବାର ଦୃଷ୍ଟାନ୍ତ ଦିଶୁନି। ଯାଜୁପର ଜିଲ୍ଲା ସୁକିନ୍ଦା କ୍ରୋମ୍ ଉପତ୍ୟକା କାଳିଆପାଣି ଥାନା ସଂଲଗ୍ନ କାଳିଆପାଣି ଗୋପବନ୍ଧୁ କ୍ଲବ ଖେଳପଡ଼ିଆର ବାସ୍ତବ ସ୍ଥିତିକୁ ନେଇ ଭୂତତ୍ତ୍ବବିତ୍ ଓ ପରିବେଶବିତ୍ ଚିନ୍ତା ପ୍ରକଟ କରିଛନ୍ତି।
ବିଗତ ୨୦ ଏବର୍ଷ ତୁଳନାରେ ଏସନ ସର୍ବାଧିକ ବର୍ଷା ହୋଇଥିବା କହନ୍ତି ଗାଁର ପୁରୁଖା ମହିଳା ରୁକ୍ମଣୀ ମହାନ୍ତ। ବର୍ଷା ଅନୁପାତରେ ଏବର୍ଷ ପଡ଼ିଆରେ ଅଧିକ ଘାସ ମାଡ଼ିବା ସ୍ବାଭାବିକ। କିନ୍ତୁ ପଡ଼ିଆରେ ଘାସ ଗାଲିଚା ମାତ୍ରା କମ୍। ପାଖାପାଖି ୫ ହଜାର ବର୍ଗମିଟର କ୍ଷେତ୍ରଫଳ ବିଶିଷ୍ଟ ଏହି ପଡ଼ିଆର ଅର୍ଦ୍ଧାଧିକ ଜମିରେ ଶିଉଳିର ମାତ୍ରା ଅଧିକ। ମାତ୍ରାଧିକ ମୂଷଳଧାରାରେ ବର୍ଷାହେଲେ ପଡ଼ିଆର ଉପରମୁଣ୍ଡରେ ଥିବା ଏକାଧିକ କ୍ରୋମାଇଟ୍ ଖଣିର ଡମ୍ପ୍(କୃତ୍ରିମ ମାଟି ପାହାଡ଼)ରୁ ଉଛୁଳା କାଦୁଅପାଣି ପଡ଼ିଆ ଉପରେ ମାଡ଼ିଯାଇଥାଏ। ଏହି ନିକେଲଯୁକ୍ତ ମାଟିର କୁପ୍ରଭାବ ପାଇଁ ପଡ଼ିଆରେ ଏମିତି ସ୍ଥିତି ହୋଇଥାଇପାରେ ବୋଲି ସାଧାରଣରେ ଅଭିଯୋଗ ହୋଇଆସିଛି। ପଡ଼ିଆରେ ଥିବା ପାରମ୍ପରିକ ଅନାବନା ଘାସ ଗାଲିଚା ମଝିରେ ମଝିରେ ଶିଉଳିର ପ୍ରକୋପ ବେଶୀ। ଏପରିକି ପଡ଼ିଆର ୯୦ ଭାଗ ଜମି ଖସଡ଼ା। ୧୫ ବର୍ଷ ପୂର୍ବେ ଏକାଧିକ ଖଣି କର୍ତ୍ତୃପକ୍ଷଙ୍କ ପକ୍ଷରୁ ପଡ଼ିଆର ଚାରିପଟେ ଦେବଦାରୁ ଗଛ ଲଗାଯାଇ ତାରବାଡ଼ ଦିଆଯାଇଥିଲା। ଡ୍ରେନ୍ ଖୋଳା ଯାଇଥିଲା। ରକ୍ଷଣାବେକ୍ଷଣ ଅଭାବରୁ ପଡ଼ିଆରେ ଦେବଦାରୁ ଗଛର ଚିହ୍ନବର୍ଣ୍ଣ ନାହିଁ। ତାରବାଡ଼ ସବୁ ଚୋରି ହୋଇଯାଇଛି। ଡ୍ରେନ୍ ପୋତିହୋଇ ନିଶ୍ଚିହ୍ନହୋଇ ପଡ଼ିଆ ସମାନ ହୋଇଯାଇଛି।
ସେମାନେ ଯାହା କହନ୍ତି
ଖଣିଅଞ୍ଚଳରେ ଫୁଟବଲ୍ ଖେଳକୁ ନେଇ ସାଧାରଣରେ ପ୍ରବଳ ଆଗ୍ରହ ଓ ଗାଁଗାଁରେ ଟୁର୍ନାମେଣ୍ଟ୍ ଓ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ହେଉଥିଲେ ହେଁ ଏହି ପଡ଼ିଆର ଭୂମିରୂପକୁ ନେଇ ଆୟୋଜକ ପଛଘୁଞ୍ଚା ଦେବା ସ୍ବାଭାବିକ। ଦୌଡ଼ିବା ସମୟରେ ଗୋଡ଼ ଖସିବାର ଯଥେଷ୍ଟ ଆଶଂକା ରହୁଛି। ୪ ମାସ ଧରି ଏଠାରେ କୌଣସି ଟୁର୍ନାମେଣ୍ଟ୍ ଆୟୋଜନ ହୋଇନାହିଁ। ଖେଳାଳି ନିୟମିତ ଅଭ୍ୟାସରୁ ବିରତ ରହିଛନ୍ତି।
-ହଳଧର ମହାନ୍ତ, ଗୋପବନ୍ଧୁ କ୍ଲବର ସଭାପତି
ବର୍ଷାଦିନିଆ ଖେଳ ଭାବେ ସାଧାରଣରେ ଆଦୃତ ଫୁଟବଲ୍ ଖେଳ ପାଇଁ ଏବେ ଏହି ପଡ଼ିଆ ଅନୁପଯୁକ୍ତ ତଥା ଖେଳାଳିମାନଙ୍କ ପାଇଁ ବିପଜ୍ଜନକ ହୋଇପାରେ।
-ସେକ୍ ନିହାଲୁଦ୍ଦିନ, ବରିଷ୍ଠ ଫୁଟବଲ୍ ଖେଳାଳି ତଥା ସୌରିକ ଆଥଲେଟିକ୍ ଆସୋସିଏସନ୍ ଯୁଗ୍ମ ସାଧାରଣ ସମ୍ପାଦକ
ଏହା ଏକ ସ୍ବତନ୍ତ୍ର ଶିଉଳି ପ୍ରଜାତିର ଉଦ୍ଭିଦ। ଓଦାଳିଆ ସ୍ଥାନରେ ବଂଶବିସ୍ତାର କରୁଥିବା ଏହି ଶିଉଳି ବିଷାକ୍ତ। ପଡ଼ିଆରେ ଚରୁଥିବା ଗୋରୁଗାଈ ଓ ଛେଳିମେଣ୍ଢା ପାଇଁ ବିପଦ। ପଡ଼ିଆର ପରିବର୍ତ୍ତିତ ଭୂମିରୂପକୁ ନେଇ ବୈଜ୍ଞାନିକ ବିଶ୍ଳେଷଣ ନିହାତି ଆବଶ୍ୟକ।
-ସୂରଯ ରଞ୍ଜନ ପ୍ରସନଜିତ, ବରିଷ୍ଠ ଭୂତତ୍ତ୍ବବିତ୍(ଓଏମ୍ସି)
କାଳିଆପାଣି ଗୋପବନ୍ଧୁ କ୍ଲବ ଖେଳପଡ଼ିଆରେ ମାଡ଼ୁଥିବା ଶିଉଳି ଏକ ଜଳଜାତ ନିଷ୍ଫଳା ଉଦ୍ଭିଦ। ମାତ୍ରାଧିକ ଶିଉଳି ମାଡ଼ିବା ଜଳବାୟୁ ପରିବର୍ତ୍ତନର ଏକ ପ୍ରମୁଖ କାରଣ ହୋଇପାରେ। ଏହାକୁ ନେଇ ପରୀକ୍ଷାନିରୀକ୍ଷାର ଆବଶ୍ୟକ।
-ଜିତେନ୍ଦ୍ର କୁମାର ସାହୁ, ଜଙ୍ଗଲ ଓ ପରିବେଶ ବିଭାଗ ଉପମହାପ୍ରବନ୍ଧକ(ଓଏମ୍ସି)
Jajpur