ଭଦ୍ରକରେ ମଦ ପିଇ ୮ ମୃତ, ୮୩ ଅସୁସ୍ଥ

‘ରାଜନେତା ମଦ ଦେଇ ମାରିଦେଲେ’, କେଉଁଠୁ ମଦ ଆଣି ପିଇଲେ ତାହାକୁ ନେଇ ପ୍ରଶ୍ନ

ଭଦ୍ରକ/ତିହିଡ଼ି/ଚାନ୍ଦବାଲି: ଭଦ୍ରକ ଜିଲ୍ଲାର ତିହିଡ଼ି ଓ ଚାନ୍ଦବାଲି ବ୍ଲକରେ ବିଷାକ୍ତ ମଦ ନେଇଛି ୮ ଜୀବନ। ନିର୍ବାଚନ ଆଚରଣବିଧି ସତ୍ତ୍ବେ ଗତକାଲି ଭୋଟ୍‌ ବେଳେ ମଦ ପିଇ ତିହିଡ଼ି ଓ ଚାନ୍ଦବାଲି ବ୍ଲକରେ ୮ ଜଣ ପ୍ରାଣ ହରାଇଥିବା ବେଳେ ୮୩ ଜଣ ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କ ମଧ୍ୟରୁ ୨୦ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଗୁରୁତର ଅସୁସ୍ଥ ହୋଇଥିବା ଲୋକେ ତିହିଡ଼ି, ଭଦ୍ରକ ଓ କଟକ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। କ୍ଷତିଗ୍ରସ୍ତ ପରିବାରକୁ କ୍ଷତିପୂରଣ ଓ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିବା ସହିତ ପୀରହାଟ ଫାଣ୍ଡି ଘେରାଉ କରିଛନ୍ତି। ଗତକାଲି ନିର୍ବାଚନ ବେଳେ ତିହିଡ଼ି ଓ ଚାନ୍ଦବାଲି ବ୍ଲକରେ କେତେକ ଲୋକ ମଦ ପିଇଥିଲେ। ଆଜି ତିହିଡ଼ି ବ୍ଲକର ଦୌଲତପୁର ପଞ୍ଚାୟତର ରାମଚନ୍ଦ୍ର ପଢିହାରୀ (୫୨)ଙ୍କର ନିଜ ଗ୍ରାମରେ ମୃତ୍ୟୁ ଘଟିଥିବା ବେଳେ ନିମେଇସାହିର ସାଧୁଚରଣ ନାୟକ (୫୫), ଦୌଲତପୁରର ସର୍ବେଶ୍ବର ଦାସ (୫୧)ଙ୍କର ଆଜି ସକାଳେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ଘଟିଛି। ଅପରାହ୍‌ଣରେ ଶଙ୍କର୍ଷଣ ପରିଡ଼ା (୩୪)ଙ୍କ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ଘଟିଛି। ସେହିପରି ଚାନ୍ଦବାଲି ବ୍ଲକର ଯଶିପୁର ପଞ୍ଚାୟତର ବାଇଧର ନାୟକ ଗୁରୁତର ହେବାରୁ କଟକ ମେଡିକାଲ ନିଆଯାଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ସେହିଭଳି କୁନ‌ା ଜେନା, ଦେବେ‌ନ୍ଦ୍ର ପଣ୍ଡା ଏବଂ ବୁଦ୍ଧିରାମ ଜେନାଙ୍କର ମଧ୍ୟ ମଦ ପିଇ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଗୁରୁତର ଅସୁସ୍ଥ ହୋଇଥିବା ତିହିଡିର କୁନ ଜେନା, ଶଙ୍କର୍ଷଣ ଦାସ, ପଞ୍ଚାନନ ବଳ, ବିଜୟ ମହାପାତ୍ର, ଚାନ୍ଦବାଲିର ବାରାକୁଲା ଗାଁର ବ˚ଶୀଧର ଖଟୁଆଙ୍କ ପୁଅ ମହେନ୍ଦ୍ର ଖଟୁଆ (୫୫) ତାଙ୍କ ପୁତୁରା ମକର ଖଟୁଆ (୧୮) ବଳସାହି ଗାଁର ଦୀନବ˚ଧୁ ସାହୁଙ୍କ ପୁଅ ବିନୋଦ ସାହୁ(୪୭), ଯଶିପୁର ଗାଁର ପରମେଶ୍ବର ବେହେରା(୪୫)ଙ୍କ ସମେତ ୨୦ରୁ ଊର୍ଦ୍ଧ୍ବ ଲୋକଙ୍କୁ ଭଦ୍ରକ ଓ କଟକ ମେଡିକାଲରେ ଭର୍ତି କରାଯାଇଛି।

ପୀରହାଟ ଛକରେ ରାସ୍ତାରୋକ, ଫାଣ୍ଡି ଘେରାଉ
ଅବକାରୀ ଉପନିର୍ଦ୍ଦେଶକଙ୍କ ତଦନ୍ତ

କେଉଁ କାରଣରୁ ଲୋକଙ୍କର ମୃତ୍ୟୁ ଘଟିଛି ତାହାର ନିରପେକ୍ଷ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଭଦ୍ରକ ଜିଲ୍ଲାପାଳ ଜ୍ଞାନରଞ୍ଜନ ଦାସ। ଅସୁସ୍ଥ ଲେ‌ାକମାନଙ୍କର ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ ବୋଲି ସିଡିଏମଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଘଟଣାର ତଦନ୍ତ ପାଇଁ ଆଜି ରାଜ୍ୟ ଅବକାରୀ ଉପ ନିର୍ଦ୍ଦେଶକ ରାମଚନ୍ଦ୍ର ପାଲଟା ଘଟଣାସ୍ଥଳକୁ ଯାଇ ବିଭିନ୍ନ ଲୋକଙ୍କ ଠାରୁ ତଥ୍ୟ ସଂଗ୍ରହ କରିଛନ୍ତି। କିଛି ରାଜନେତାଙ୍କର ଏଥିରେ ସିଧାସଳଖ ସଂପୃକ୍ତି ରହିଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଏହି ରାଜନେତାମାନେ ଆତ୍ମଗୋପନ କରିଥିବା ଅଭିଯୋଗ ହୋଇଛି।
ନିର୍ବାଚନ ପାଇଁ ମଦ ପିଇ ମୃତ୍ୟୁ ଘଟିବା ପ୍ରଘଟ ହେବା ପରେ ଆଜି ଦିନ ତମାମ୍‌ ତିହିଡ଼ି, ଚାନ୍ଦବାଲି ଓ ଭଦ୍ରକ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ମୃତକଙ୍କ ପରିବାରକୁ କ୍ଷତିପୂରଣ, ମଦ ଦେଇ ଲୋକଙ୍କୁ ମୃତ୍ୟୁମୁଖକୁ ଠେଲି ଦେଇଥିବା ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବା ଦାବି ନେଇ ସ୍ଥାନୀୟ ଲୋକାମାନେ ଚାନ୍ଦବାଲି–ଭଦ୍ରକ ରାସ୍ତାର ପୀରହାଟ ଛକରେ ସକାଳ ୯ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ରାସ୍ତା ଅବରୋଧ ଯୋଗୁଁ ଗାଡ଼ି ଚଳାଚଳ ଠପ୍ ହୋଇଯାଇଥିଲା। ଆଜି ସଂଧ୍ୟାରେ ସ୍ଥାନୀୟ ଲୋକମାନେ ପୀରହାଟ ଫାଣ୍ଡି ଘେରଉ କରି ଘଟଣାରେ ସଂପୃକ୍ତ ଥିବା ରାଜନେତାଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଥିଲେ। ନିର୍ବାଚନ ବେଳେ ମଦ ଦୋକାନ ବନ୍ଦ ଥିବା ବେଳେ ମଦ କେଉଁଠୁ ଆସିଲା ଓ କିଏ ଏଇ ମଦ ଲୋକଙ୍କୁ ଦେଲା ତାହାର ନିରପେକ୍ଷ ତଦନ୍ତ ଦାବି କରିଥିଲେ। ମଦ ପିଇ ମୃତ୍ୟୁ ଘଟିଥିବା ନେଇ ମୃତ ରାମଚନ୍ଦ୍ର ପଢିହାରୀଙ୍କ ପତ୍ନୀ କହୁଥିବା ବେଳେ ମଦ ପିଆଇ ମୋ’ ସ୍ବାମୀଙ୍କୁ ମାରି ଦିଆଗଲା ବୋଲି ଅଭିଯୋଗ କରିଛନ୍ତି। ଆଉ କିଛି ମୃତଙ୍କ ପରିବାର ରାଜନେତାମାନେ ମଦ ଦେଇ ମାରିଦେଲେ ବୋଲି କହୁଥିବା ବେଳେ କେଉଁ ରାଜନେତା ମଦ ଦେଇଥିଲେ ବୋଲି ପଚାରିବାରୁ ଭୟରେ ମୃତକଙ୍କ ପରିବାର ଲୋକ କିଛି କହିବାକୁ ଅମଙ୍ଗ ହୋଇଛନ୍ତି। ନିର୍ବାଚନର ୪୮ଘଣ୍ଟା ପୂର୍ବରୁ ସବୁ ମଦ ଦୋକାନଗୁଡିକ ସିଲ୍‌ ହୋଇଥିବା ବେଳେ କେଉଁଠୁ ମଦ ଆସିଲା ବୋଲି ପଚାରିଲେ ପରିବାର ଲୋକ ଓ ଗୁରୁତର ଭାବେ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିବା ଲୋକମାନେ କହିବାକୁ ଭୟ କରୁଛନ୍ତି। କାହା ଚାପରେ ସେମାନେ ମୁହଁ ଖୋଲୁ ନାହାନ୍ତି ତାହାକୁ ନେଇ ଏବେ ଉଠିଛି ପ୍ରଶ୍ନ। ଭଦ୍ରକ ମଦମୃତ୍ୟୁ ଘଟଣାକୁ ସବୁସ୍ତରରୁ ଚାପି ଦେବାକୁ ଉଦ୍ୟମ କରାଯାଉଥିବା ବେଳେ ଏହି ଘଟଣାର ନିରପେକ୍ଷ ତଦନ୍ତ କରାଯାଇ ଅସଲ ଦୋଷୀଙ୍କୁ ଗିରଫ କରାଯିବା ସହ ମୃତକଙ୍କ ପରିବାର ଲୋକଙ୍କୁ ଉପଯୁକ୍ତ କ୍ଷତିପୂରଣ ନ ମିଳିଲେ ଆଗାମୀ ଦିନରେ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ସ୍ଥାନୀୟ ଲୋକେ ଧମକ ଦେଇଛନ୍ତି।

ସମ୍ବନ୍ଧିତ ଖବର