ଆନନ୍ଦପୁର : ବିଷକ୍ରିୟା ଯୋଗୁଁ କୁଶେଇ ନଦୀରେ କୁଇଣ୍ଟାଲ କୁଇଣ୍ଟାଲ ମାଛ ମରି ଭାସୁଥିବା ଦେଖିବାକୁ ମିଳିଛି। କେହି ଦୁର୍ବୃତ୍ତ ନଦୀ ଜଳରେ ବିଷ ଫିଙ୍ଗିଥିବା ସନ୍ଦେହ କରାଯାଉଛି।

Advertisment

ସକାଳୁ ସକାଳୁ କୁଶେଇ ନଦୀରେ ଚାରିଆଡେ ଭାସୁଥିଲେ ମଲା ମାଛ ସହିତ ଅନ୍ୟ ଜଳଜୀବ। ଗତକାଲି ରାତିରେ ନଦୀରେ କେହି ଦୁର୍ବୁତ୍ତ ବିଷ ପ୍ରୟୋଗ କରିବାରୁ ଏଭଳି ପରିସ୍ଥିତି ହୋଇଛି। ଆନନ୍ଦପୁର ବ୍ଳକର ଜଳସୁଆଁ, ହରିଡ଼ାପାଳ, ପାଇକଚାଟ୍ରା, ଟୋଲଙ୍କପଡ଼ା, ମଙ୍ଗଳପୁର, ସିଆପଡ଼ା ଗ୍ରାମ ନିକଟରେ କୁଶେଇ ନଦୀରେ ବହୁ ସଂଖ୍ୟାରେ ମଲା ମାଛ ଭାସୁଥିବା ଦେଖିବାକୁ ମିଳିଥିଲା। ମାଛ ସହିତ ଶହଶହ ସଂଖ୍ୟାରେ କଇଁଚ, ଗେଣ୍ଡା, ଶାମୁକା, କୋଚିଆ, ବେଙ୍ଗ, ସାପ ମଧ୍ୟ ଭାସୁଥିଲେ। ଏହାକୁ ଦେଖି ଲୋକମାନଙ୍କ ମଧ୍ୟରେ ମାଛ ଧରିବାପାଇଁ ପ୍ରତିଯୋଗିତା ଲାଗିଯାଇଥିଲା। କେତେକ ଲୋକ ମାଛ ଧରି ଘରକୁ ନେଇ ଯାଇଥିଲେ। ସେପଟେ ମାଛ ଦେଖିବାକୁ ନଦୀ କୂଳରେ ବେଶ୍ ଭିଡ଼ ମଧ୍ୟ ଲାଗିଥିଲା। ଅନେକ ସଂଖ୍ୟାରେ ମାଛ ଓ ଜଳଜୀବ ଏବେ ବି ପାଣିରେ ଭାସୁଥିବାରୁ କୁଶେଇ ନଦୀର ଜଳ ମଧ୍ୟ ପ୍ରଦୂଷିତ ହୋଇଥିବା ଅଭିଯୋଗ ହୋଇଛି।

ଏନେଇ ତଦନ୍ତ କରାଯାଇ ବିଷ ପକାଇଥିବା ଲୋକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆନନ୍ଦପୁର ଉପଜିଲ୍ଲାପାଳ ଅନୀଲ କୁମାର ସେଠୀ କହିଛନ୍ତି। ଏହି ମାଛକୁ ନଖାଇବାକୁ ମଧ୍ୟ ଲୋକମାନଙ୍କୁ ପରାମର୍ଶ ଦିଆଯାଇଥିବାନେଇ ଉପଜିଲ୍ଲାପାଳ କହିଛନ୍ତି।