ନିର୍ବାଚନୀ ଶତ୍ରୁତାରୁ ପୋଖରୀରେ ବିଷ ପକାଇଲେ

କୋରେଇ: କୋରେଇ ଥାନା ଅନ୍ତର୍ଗତ ରଣପୁର ଗ୍ରାମରେ ନିର୍ବାଚନ ତିକ୍ତତାକୁ ନେଇ କେହି ଦୁର୍ବୃତ୍ତ ଏହି ଗ୍ରାମର ରାହାଣିଆ ପୋଖରୀରେ ବିଷ ପକାଇ ଦେଇଥିବା ଅଭିଯୋଗ ହୋଇଛି। ପଞ୍ଚାୟତ ନିର୍ବାଚନ ସରିବାର ଏକମାସ ବିତି ଯାଇଥିଲେ ମଧ୍ୟ ରଣୁପର ପଞ୍ଚାୟତରେ ଏଯାଏ ଉତ୍ତେଜନା ଲାଗିରହିଛି। ପ୍ରକାଶ ଯେ, ନିର୍ବାଚନୀ ଶତ୍ରୁତାକୁ ନେଇ କିଛିଦିନ ତଳେ ଏହି ଗ୍ରାମର ଡହଣା ପୋଖରୀରେ ବିଷ ପକାଯାଇଥିବା ଅଭିଯୋଗ ହୋଇଥିଲା। ଗତକାଲି ରାତିରେ ପୁଣି କେହି ଦୁର୍ବୃତ୍ତ ରାହାଣିଆ ପୋଖରୀରେ ବିଷ ପକାଇ ଦେଇଛି। ଫଳରେ ପୋଖରୀରେ ଥିବା ୫ କୁଇଣ୍ଟାଲରୁ ଅଧିକ ମାଛ ମରି ଭାସୁଛନ୍ତି। ଏହାକୁ ନେଇ ପଞ୍ଚାୟତର ସରପଞ୍ଚ କୋରେଇ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ମୁତାବକ, ରଣପୁର ଗ୍ରାମର ଡହଣା ପୋଖରୀକୁ ଗତବର୍ଷ ପଞ୍ଚାୟତ ପକ୍ଷରୁ ନିଲାମ କରାଯାଇନଥିଲା।

କିଛିଦିନ ତଳେ ଏହି ଗ୍ରାମର ବସନ୍ତ କୁମାର ସାହା, ବିପିନ ବିହାରୀ ସାହା, ନାଗେଶ୍ବର ସାହା, ଶଶିକାନ୍ତ ସ୍ବାଇଁ, ମଦନମୋହନ ସାହୁ, ପ୍ରଦୀପ ସାହା, ନୀଳମଣି ଜେନା, ଟୁକୁନା ଜେନା ପ୍ରମୁଖ ପୋଖରୀରେ ଜାଲ ପକାଉଥିଲେ। ହେଲେ ପଞ୍ଚାୟତର ନବନିର୍ବାଚିତ ସରପଞ୍ଚ ସୁକାନ୍ତୀ ସାହୁ ଏମାନଙ୍କୁ ପୋଖରୀରେ ଜାଲ ପକାଇବାକୁ ବାରଣ କରିଥିଲେ। ଏନେଇ ଉଭୟ ପକ୍ଷଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ପରଦିନ ସକାଳୁ ପୋଖରୀରେ କେହି ବିଷ ପକାଇଥିବା ଦେଖିବାକୁ ମିଳିଥିଲା। ଫଳରେ ଶହଶହ ମାଛ ମରି ଭାସିଥିଲେ। ଏହାକୁ ନେଇ ସରପଞ୍ଚଙ୍କ ସ୍ବାମୀ ପ୍ରତାପ ସାହୁ କୋରେଇ ଥାନାରେ ଅଭିଯୋଗ କରିଥିଲେ।

ଗତକାଲି ରାତିରେ ପୁଣି ରାହାଣିଆ ପୋଖରୀରେ କେହି ବିଷ ପକାଇଦେଇଛି। ନିର୍ବାଚନ ଆକ୍ରୋଶରୁ ବିରୋଧୀ ଗୋଷ୍ଠୀ ବାରମ୍ବାର ଏପରି କରୁଥିବା ସରପଞ୍ଚ ଶ୍ରୀମତୀ ସାହୁ ଅଭିଯୋଗ କରିଛନ୍ତି। ମାଛ ମରିବା ସହିତ ପୋଖରୀ ପାଣି ବ୍ୟବହାର କରୁଥିବା ଗ୍ରାମବାସୀ ଓ ଗାଈଗୋରୁଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥିବା ଶ୍ରୀମତୀ ସାହୁ କହିଛନ୍ତି। ଅଭିଯୋଗ ପରେ ଏକ ମାମଲା ରୁଜୁ କରି କୋରେଇ ପୁଲିସ ତଦନ୍ତ ଚଳାଇଛି। ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି କୋରେଇ ଥାନାଧିକାରୀ ରଂଜିତ ମହାନ୍ତି କହିଛନ୍ତି।

ସମ୍ବନ୍ଧିତ ଖବର