ବରଗଡ଼ : ସହରରେ ଥିବା ଜଳାଶୟଗୁଡ଼ିକ ବିଷାକ୍ତ ହେବାକୁ ଲାଗିଛି। ବିକଳ୍ପ ବ୍ୟବସ୍ଥା ନଥିବାରୁ ଲୋକେ ଏହି ପ୍ରଦୂଷିତ ପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛି। କେନାଲର ଅବସ୍ଥା ନକହିବା ମୁସ୍କିଲ। ଏବେ କେନାଲ ସହରବାସୀଙ୍କ ପାଇଁ ଆବର୍ଜନାକୁଣ୍ଡ ପାଲଟିଛି। କେନାଲରେ ଜଳଯୋଗାଣ ବନ୍ଦ ପରେ ଭିତରେ କୁଢ଼କୁଢ଼ ବିଷାକ୍ତ ପଦାର୍ଥ ଦେଖିବାକୁ ମିଳୁଛି। ଏହାବାଦ୍ କେନାଲ ଖୋଲା ପାଇଖାନା ପାଲଟି ଯାଇଛି।
ପୌର କର୍ମଚାରୀମାନେ ସଫେଇ କରୁଥିଲେ ହେଁ ଦୋକାନୀମାନେ ମନଇଚ୍ଛା ଅଳିଆ ଆବର୍ଜନା ଫୋପାଡ଼ି ଦେଉଛନ୍ତି। ବେଳେବେଳେ ଆବର୍ଜନାରେ ନିଆଁ ଲଗାଇ ଦେଉଥିବାରୁ ଧୂଆଁ ଲୋକଙ୍କୁ ଅଣନିଶ୍ବାସୀ କରି ଦେଉଛି। ପ୍ରତିଦିନ ଏଭଳି ଦୃଶ୍ୟ ଦେଖିବାକୁ ମିଳୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି। କେନାଲ ରାସ୍ତା କଡ଼ରେ ବାସ କରୁଥିବା ଲୋକଙ୍କୁ ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ରହିବାକୁ ପଡ଼ୁଛି । ଦିନରାତି ଦୁର୍ଗନ୍ଧ ଲୋକଙ୍କୁ ଅସ୍ତବ୍ୟସ୍ତ କରିଦେଉଛି।
ଅନ୍ୟପକ୍ଷରେ ଲୋକେ କେନାଲ ଭିତରେ ମଧ୍ୟ ଆବର୍ଜନା ପକାଇ ଦେଉଛନ୍ତି। କେନାଲର ଘାଟଗୁଡ଼ିକର ଅବସ୍ଥା ନକହିବା ଭଲ। ଘାଟରେ ଲୋକଙ୍କ ସୁବିଧା ପାଇଁ କଂକ୍ରିଟ୍ ପାହାଚ ନିର୍ମାଣ ହୋଇଥିଲା। କିନ୍ତୁ ପାହାଚ ଲୋକଙ୍କ ପାଇଁ ପାଇଖାନା ପାଲଟି ଯାଇଛି। ପରିସ୍ଥିତି ଏଭଳି ଯେ ଘାଟକୁ ଓହ୍ଲାଇବାକୁ ସାମାନ୍ୟ ଜାଗା ନାହିଁ। କେନାଲ ଜଳସ୍ତର ବଢ଼ିଲେ ସବୁକିଛି ପାଣିଗର୍ଭକୁ ଚାଲିଯାଉଛି। ଫଳରେ କେନାଲ ପାଣି ବିଷାକ୍ତ ପାଲଟି ଯାଇଛି। ସେହିପରି ସହର ଭିତରେ ଥିବା ଜଳାଶୟ ଗୁଡ଼ିକର ଅବସ୍ଥା ଏକାଭଳି। ଯିଏ ଯାହା ପାରିଲା ପୋଖରୀ ଭିତରକୁ ଫୋପାଡ଼ି ଦେଉଛି। ଭଂଗା ଦଦରା ସ୍କ୍ରାପ୍ ସାଂଗକୁ ଭଂଗା କଂକ୍ରିଟ୍ ଜଳାଶୟ ଭିତରେ ପକା ଯାଉଛି। ଫଳରେ ଜଳାଶୟ ଗୁଡ଼ିକ ନିଜ ସ୍ଥିତି ହରାଇବାକୁ ବସିଛନ୍ତି।
ସହରରେ ବର୍ତମାନ ୨୦ରୁ ଅଧିକ ପୋଖରୀ ରହିଛି। ଏକଦା ଏଗୁଡ଼ିକ ଲୋକଙ୍କ ଗାଧୁଆପାଧୁଆ ସହ ନିତ୍ୟ ବ୍ୟବହାର୍ଯ୍ୟ କାମରେ ଲାଗୁଥିଲା। ପୂର୍ବରୁ ପୋଖରୀଗୁଡ଼ିକୁ ଜଳଭର୍ତି କରିବା ସକାଶେ କେନାଲ୍ରୁ ଛୋଟ ନାଳାରେ ପାଣି ଆସୁଥିଲା। କାଳକ୍ରମେ ଏସବୁ ନାଳା ଏବେ ନର୍ଦ୍ଦମାରେ ପରିଣତ ହେଲାଣି। କିଛି ଲୋକ ନାଳା ଉପରେ ଅବରୋଧ କରି ଘର ତୋଳିଲେଣି। ବିଷାକ୍ତ ପଦାର୍ଥ ପଡ଼ୁଥିବାରୁ ପୋଖରୀ ଗୁଡ଼ିକ ମଧ୍ୟ ବ୍ୟବହାର ଅନୁପଯୋଗୀ ହୋଇ ପଡ଼ିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/baragarh-2.jpg)