ପ୍ରସାରିତ ହୋଇପାରୁନି ବିଷାକ୍ତ କୀଟନାଶକର ବିକଳ୍ପ ‘ଟ୍ରାଇକୋକାର୍ଡ’

ପରିବେଶ, ସ୍ବାସ୍ଥ୍ୟ ଉପରେ ବିପଦ ନାହିଁ କି ଚାଷୀ ଖର୍ଚାନ୍ତ ହେବେନି
୮ ଜିଲ୍ଲାରେ କାର୍ଯ୍ୟକାରୀ

ଭୁବନେଶ୍ବର : ସବୁଜ ବିପ୍ଲବ ପରେ କୃଷି ଉତ୍ପାଦନ ବଢ଼ିଛି। କିନ୍ତୁ ତା’ ସହିତ ରସାୟନିକ ସାର, କୀଟନାଶକର ମାତ୍ରାଧିକ ପ୍ରୟୋଗ ସ୍ବାସ୍ଥ୍ୟ ଉପରେ ପଡ଼ିବା ଆରମ୍ଭ ହେଲାଣି। ବଢୁଥିବା କିଡ୍‌ନି ଓ କ୍ୟାନସର ରୋଗ, ଏପରିକି ବିଭିନ୍ନ ପ୍ରକାର ଶିଶୁରୋଗ ଏହାର କାରଣ ବୋଲି କହୁଛନ୍ତି ଡାକ୍ତର। ଏପରିକି ରସାୟନିକ କୀଟନାଶକ ସିଞ୍ଚନ ବେଳେ ସାମାନ୍ୟ ଅସାବଧାନତାରେ ଦେହରେ ପଡ଼ିବା ଯୋଗୁଁ ଅନେକ ଚାଷୀଙ୍କ ମୃତ୍ୟୁ ମଧ୍ୟ ହୋଇଯାଏ। ଅବସାଦଗ୍ରସ୍ତ ଚାଷୀ ହାତପାହାନ୍ତରେ ଥିବା ଏହି କୀଟନାଶକ ପିଇ ଆତ୍ମହତ୍ୟା କରନ୍ତି। ତେଣୁ ଏହାର ବିକଳ୍ପ ସ୍ବରୂପ ରୋଗ-ପୋକରୁ ରକ୍ଷା କରୁଛି ଜୈବିକ ପଦ୍ଧତିରେ ନିର୍ମିତ ଟ୍ରାଇକୋକାର୍ଡ। ୨୦୦୩ ମସିହାରୁ ରାଜ୍ୟରେ ଏହାର ପ୍ରୟୋଗଶାଳା ଖୋଲିଥିଲେ ମଧ୍ୟ କେବଳ ଜଗତସିଂହପୁର, ବାଲେଶ୍ବର, ନୟାଗଡ଼, ଖୋର୍ଧା ଜିଲ୍ଲାର ଚାନ୍ଦପୁର, ବ୍ରହ୍ମପୁର, ସୁନ୍ଦରଗଡ଼, ବାରିପଦା ଏବଂ ଭୁବନେଶ୍ବର ଚାଷୀଙ୍କ ପାଖରେ ଏହା ପହଞ୍ଚିଛି। ଖୁବ ଶୀଘ୍ର ସମ୍ବଲପୁର, ରାୟଗଡ଼ା ଏବଂ ଭବାନୀପାଟଣାରେ ଏହା କାର୍ଯ୍ୟକାରୀ ହେବ ବୋଲି କୃଷି ବିଭାଗ କହିଛି। ରସାୟନିକ ସାର ଏବଂ କୀଟନାଶକର ସର୍ବାଧିକ ପ୍ରୟୋଗ ହେଉଥିବା ବରଗଡ଼ ଜିଲ୍ଲାରେ ଏହାର ପ୍ରସାରକୁ ଆଜି ପର୍ଯ୍ୟନ୍ତ ଗୁରୁତ୍ବ ନଦେବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୁଏ। କୀଟନାଶକ କମ୍ପାନିର ଲବି ଟ୍ରାଇକୋକାର୍ଡକୁ କୋଣଠେସା କରି ଦେଇଥିବା ଅଭିଯୋଗ ହୁଏ। ଅଧିକାଂଶ ଏଥିସମ୍ପର୍କରେ ଜାଣନ୍ତିନାହିଁ।

entomologytoday.org

ଆଖିକୁ ଦେଖାଯାଉନଥିବା କିମ୍ବା ଅତି ଛୋଟ ଆକାରର ପୋକ ଚାଷୀଙ୍କୁ କିଭଳି ସର୍ବସ୍ବାନ୍ତ କରି ଦିଏ, ଭୁକ୍ତଭୋଗୀ ହିଁ କହିପାରେ। ବକରା ବିନ୍ଧା ଭଳି ପୋକ ଯୋଗୁଁ ୫୦ରୁ୬୦ ପ୍ରତିଶତ ଫସଲ ନଷ୍ଟ ହୋଇଯାଏ। ଗୋଟିଏ-ଗୋଟିଏ ବର୍ଷରେ ଲେଡା ପୋକ, ଚକଡ଼ା ପୋକ ଯୋଗୁଁ ଏତେ ଫସଲ ନଷ୍ଟ ହୋଇଥିଲା ଯେ ରାଜ୍ୟର ବିଭିନ୍ନ ସ୍ଥାନରେ ଅନେକ ସଂଖ୍ୟାରେ ଚାଷୀ ଆତ୍ମହତ୍ୟା କରିଥିଲେ। ଏଥିପାଇଁ ପ୍ରତିବର୍ଷ ବଢୁଥିବା ପୋକରୁ ରକ୍ଷା ପାଇଁ କୀଟନାଶକ ପ୍ରୟୋଗ ପାଇଁ ଚାଷୀ ବାଧ୍ୟ ହୁଅନ୍ତି। ମାତ୍ର ଏଥିଯୋଗୁଁ ମୃତ୍ତିକା, ଜଳ ପ୍ରଦୂଷଣ, ଚାଷ ଖର୍ଚ ବୃଦ୍ଧି, ପୋକର ବିଷ ପ୍ରତିରୋଧକ ଶକ୍ତି ବୃଦ୍ଧି, ପୋକ ସଂଖ୍ୟା ବୃଦ୍ଧି, ଉପକାରୀ ପୋକ ଏବଂ ଜୀବଜନ୍ତୁ ନଷ୍ଟ ହୋଇଯା’ନ୍ତି। ରାଜ୍ୟ ସରକାରଙ୍କ ସହକାରୀ କୃଷି ଅଧିକାରୀ ଡ. ରୂପକ ମହାଲିଙ୍ଗଙ୍କ କହିବା ଅନୁସାରେ ଧାନ, ଆଖୁ, ମକା ଆଦିର କାଣ୍ଡବିନ୍ଧା ପୋକ, ମକାର ଫଳବିନ୍ଧା, କପାର ବକରା ବିନ୍ଧା ପୋକ, ବାଇଗଣର କାଣ୍ଡ ଫଳ ବିନ୍ଧା, ଭେଣ୍ଡିର ଫଳ ବିନ୍ଧା, କୋବିର ଠିକିରିପିକିଆ, ଚିନାବାଦାମର ଲାଲ ସଂବାଳୁଆ, ଟମାଟୋର ଫଳ ବିନ୍ଧା, ବୁଟ, ହରଡ଼ର ଛୁଇଁ ବିନ୍ଧା ସମେତ ବିଭିନ୍ନ ପ୍ରକାର ପୋକ ଲାଗିଲେ ଜୈବିକ ଉପାୟରେ ପ୍ରସ୍ତୁତ ଟ୍ରାଇକୋକାର୍ଡ ବ୍ୟବହାର କରାଯିବା ଉଚିତ। ଭୁବନେଶ୍ବର ବରମୁଣ୍ଡାସ୍ଥିତ ପ୍ରୟୋଗଶାଳାରେ ମକାଗୁଣ୍ଡରୁ ତିଆରି ଏହି ଟ୍ରାଇକୋକାର୍ଡର ପ୍ରସ୍ତୁତିରେ ଲାଗିଛନ୍ତି ବିଶେଷଜ୍ଞ ଟିମ।

ପ୍ରାଥମିକ ପର୍ଯ୍ୟାୟରେ କେବଳ ୨ ହଜାର ହେକ୍ଟର ଜମିରେ ଏହାର ବ୍ୟବହାର ନେଇ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ୨୦୨୧ ମସିହାରେ ୪୨୦୦ ହେକ୍ଟର ଜମିରେ ପ୍ରୟୋଗର ଲକ୍ଷ୍ୟ ଥିଲେ ମଧ୍ୟ ୪୭୫୩ ହେକ୍ଟର ଜମିରେ ଏହାର ପ୍ରୟୋଗ ହୋଇ ପାରିଥିବା ଡ. ମହାଲିଙ୍ଗ କହିଛନ୍ତି। ଚଳିତ ବର୍ଷ ୭୮୦୦ ହେକ୍ଟରରେ ଟ୍ରାଇକୋକାର୍ଡର ପ୍ରୟୋଗ ନେଇ ଲକ୍ଷ୍ୟ ରଖାଯାଇଛି। ଏଥିରେ ପୁରୁଣା ୮ ଜିଲ୍ଲାରେ ୬ ହଜାର ଏବଂ ନୂତନ ଜିଲ୍ଲାରେ ୫୪୦୦ ହେକ୍ଟରରେ ପ୍ରୟୋଗ ପାଇଁ ଲକ୍ଷ୍ୟ ରଖାଯାଇଛି। ବରମୁଣ୍ଡାର ଏହି କାର୍ଯ୍ୟାଳୟ କିମ୍ବା ୮ ଜିଲ୍ଲାର କୃଷି କାର୍ଯ୍ୟାଳୟରେ ଟ୍ରାଇକୋକାର୍ଡ ଉପଲବ୍ଧ। ବିଷାକ୍ତ କୀଟନାଶକର ବିକଳ୍ପ କିଭଳି ଏହା ସଫଳ ଭାବରେ ହୋଇପାରିବ ତାକୁ ହିଁ ଅପେକ୍ଷା।

ସମ୍ବନ୍ଧିତ ଖବର