ଚିକିଟି/ଜଗନ୍ନାଥପ୍ରସାଦ: କିଛିବର୍ଷ ପରେ ଗଞ୍ଜାମ ଜିଲ୍ଲାରେ ପୁଣି ବିଷାକ୍ତ ମଦ କାୟା ବିସ୍ତାର କରିଛି। ଗତକାଲି ଚିକିଟିରେ ବିଷାକ୍ତ ମଦ ପିଇ ୨୩ ଜଣ ଅସୁସ୍ଥ ହେବା ପରେ ଅପମିଶ୍ରିତ ଦେଶୀ ମହୁଲି ମଦ ପିଇ ମୃତ୍ୟୁବରଣ କରିଥିବା ଜଗନ୍ନାଥପ୍ରସାଦ ଥାନା ପଞ୍ଚଭୂତି ଗ୍ରାମର ବସନ୍ତ ଗୌଡ଼ (୩୮)ଙ୍କ ଶବ ଆଜି ମିଳିଛି। ଏହି ଘଟଣା ପରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଓ ଅବକାରୀ କମିସନର ନରସିଂହ ଭୋଳ ସ୍ଥିତି ଅନୁଧ୍ୟାନ କରିଛନ୍ତି। ମୁଖ୍ୟ ମଦମାଫିଆ ସମେତ ୭ ଜଣଙ୍କୁ ପୁଲିସ ଗିରଫ କରିଛି। ଜଗନ୍ନାଥପ୍ରସାଦ ଖଳାସାହିରେ ଥିବା ଲାଇସେନ୍ସପ୍ରାପ୍ତ ଦେଶୀ ମହୁଲି ମଦଦୋକାନ ଆଗରୁ ବସନ୍ତ ମଦ ପିଇଥିବା ଅଭିଯୋଗ ହୋଇଛି। ବସନ୍ତଙ୍କ ପତ୍ନୀ ସୀତା ଗୌଡ଼ କହିଛନ୍ତି, ଗତକାଲି ରାତି ପ୍ରାୟ ୮ଟାରେ ବସନ୍ତଙ୍କୁ ବେଗୁନିଆ ଗ୍ରାମର ଦିଲୀପ ନାୟକ ଡାକି ବାହାରକୁ ନେଇଥିଲେ। ତେବେ ବିଳମ୍ବିତ ରାତି ପର୍ଯ୍ୟନ୍ତ ବସନ୍ତ ଫେରି ନଥିଲେ। ଆଜି ସକାଳେ ବସନ୍ତଙ୍କ ଶବ ମିଳିଥିଲା। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ତାଙ୍କ ମୃତ୍ୟୁର କାରଣ ‌ସ୍ପଷ୍ଟ ହେବ ବୋଲି ଜଗନ୍ନାଥପ୍ରସାଦ ଥାନାଧିକାରୀ ଅରୁଣ କୁମାର ସିଂ ପ୍ରକାଶ କରିଛନ୍ତି। କେସ୍ ନମ୍ବର ୧୨/୨୪ରେ ଏକ ଅପମୃତ୍ୟୁ ମାମଲା ରୁଜୁ ସହ ଶବକୁ ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାକୁ ପଠାଯାଇଛି।

Advertisment

ସେପଟେ ଗତକାଲି ଚିକିଟି ଉପକଣ୍ଠ କେ. ନୂଆଗାଁ ଥାନା ମାଉନ୍ଦପୁର ଗ୍ରାମ, ଚିକିଟି ଏନ୍‌ଏସିର କରବାଲୁଆ ଓ ଜେନାପୁର ଗ୍ରାମରେ ବିଷାକ୍ତ ଦେଶୀମଦ ପିଇ ଅସୁସ୍ଥଙ୍କ ସଂଖ୍ୟା ୨୩ ଛୁଇଁଛି। ବ୍ରହ୍ମପୁର ବଡ଼ଡାକ୍ତରଖାନାର ସାଧାରଣ ୱାର୍ଡରେ ୧୨ ଜଣ ଅସୁସ୍ଥଙ୍କ ଚିକିତ୍ସା ଜାରି ରହିଛି। ପ୍ରଦୀପ ବେହେରା ଓ ଜୁର ବେହେରାଙ୍କ ଅବସ୍ଥା ସଂକଟାପନ୍ନ ରହିଛି ଏବଂ ସେମାନେ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି। ଉଭୟ ନିଃଶ୍ବାସପ୍ରଶ୍ବାସରେ କଷ୍ଟ ଅନୁଭବ କରୁଛନ୍ତି। ଅନ୍ୟ ଦୁଇଜଣ ଅସୁସ୍ଥ ଲୋକନାଥ ସେଠୀ ଓ ବାଇରି ସେଠୀଙ୍କ ଝାଡ଼ାବାନ୍ତି କମୁନି। ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ଡାକ୍ତରୀ ଟିମ୍ ନଜର ରଖିଛନ୍ତି। ଆଜି ସକାଳେ ଜେନାପୁରରୁ ୫ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚିକିଟି ଡାକ୍ତରଖାନାକୁ ଆସିଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ମାଫିଆ ସହ ୭ ଗିରଫ
ଏମ୍‌କେସିଜିରେ ୧୪, ଆଇସିୟୁରେ ଦୁଇ
୫୫ ଲିଟର ଅପମିଶ୍ରିତ ମଦ ଜବତ, ପରୀକ୍ଷା ପାଇଁ ଗଲା
ଅନୁଧ୍ୟାନ କଲେ ଅବକାରୀ କମିସନର, ଜିଲ୍ଲାପାଳ

ଏହି ସ‌ମ୍ବେଦନଶୀଳ ଘଟଣା ପରେ ଗଞ୍ଜାମ ଜିଲ୍ଲା ପ୍ରଶାସନ, ଅବକାରୀ ବିଭାଗ ଓ କେ. ନୂଆଗାଁ ପୁଲିସ ତତ୍ପର ହୋଇଛନ୍ତି। ମୋଟ ୭ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ଆଜି ସକାଳେ କେ. ନୂଆଗାଁ ଥାନାଧିକାରୀ କିଶୋର କୁମାର ସାମଲଙ୍କ ନେତୃତ୍ୱରେ ଏକ ଟିମ୍ ମାଉନ୍ଦପୁର ଗ୍ରାମରେ ଚଢ଼ଉ କରି ବେଆଇନ ମଦ କାରବାରରେ ସଂପୃକ୍ତ ରବି ସାହୁ, ବାୟା ସାହୁ, ବାପିନି ସାହୁ ଓ ବଳରାମ ବିଷୋୟୀକୁ ଗିରଫ କରିଛି। ସେହିପରି ବେଆଇନ ମଦ ଚାଲାଣର ମୁଖ୍ୟ କାର୍ପଟ୍‌ଦାର ତଥା ମାଫିଆ ସୁରେନ୍ଦ୍ର ମଲ୍ଲିକ ସହ ତା’ର ସହଯୋଗୀ ରାମ ମଲ୍ଲିକକୁ ଦିଗପହଣ୍ଡି ଥାନା ଅଧୀନ ଦୁର୍ଗମ ଇଲାକା ଖେମୁଣ୍ଡା ଗ୍ରାମରୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଅବକାରୀ ବିଭାଗ କେ. ନୂଆଗାଁ ଥାନା ଢେପାଗାଁରେ ଚଢ଼ଉ କରି ନିର୍ମଳା ସାହୁ ନାମକ ଜଣେ ମହିଳାଙ୍କୁ ଗିରଫ କରିବା ସହ ତାଙ୍କଠୁ ୫୫ ଲିଟର ଦେଶୀ ମଦ ଜବତ କରିଛି। ଏନେଇ କେ. ନୂଆଗାଁ ଥାନାରେ କେସ୍ ନମ୍ବର ୨୫୨ରେ ମାମଲା ରୁଜୁ ହୋଇଛି।
ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ପରିଡ଼ା ଓ ଅବକାରୀ କମିସନର ଶ୍ରୀ ଭୋଳ ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ଆସି ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ଶ୍ରୀ ଭୋଳ କହିଛନ୍ତି, ମାଉନ୍ଦପୁର ଗ୍ରାମରେ ୩ରୁ ୪ ଜଣ ଦେଶୀମଦ ବିକୁଛନ୍ତି। ସେମାନଙ୍କଠୁ ଅସୁସ୍ଥମାନେ ଗତକାଲି ମଦ କିଣି ପିଇଥିଲେ। ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପୁଲିସ, ଅବକାରୀ, ବନବିଭାଗକୁ ନେଇ ଯୁଗ୍ମ ଆକ୍ସନ୍ ଫୋର୍ସ ଗଠନ ହେବ। ସେହିପରି ମଦରେ ପ୍ରକୃତରେ କ’ଣ ମିଶିଥିଲା, ଏହା ଜାଣିବାକୁ ନମୁନା ପରୀକ୍ଷା ପାଇଁ ପଠାଯାଇଛି। ମଦରନ୍ଧା ପାଇଁ କଞ୍ଚାମାଲ୍‌ କେଉଁଠୁ ଆସୁଥିଲା ଓ ଏଥିରେ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି, ଏ ଦିଗରେ ଅଧିକ ଛାନଭିନ୍ ହେବ। ଅବକାରୀ ଓ ପୁଲିସ ବିଭାଗ ପକ୍ଷରୁ ଧରପଗଡ଼ ଜାରି ରହିଛି ବୋଲି ଶ୍ରୀ ଭୋଳ କହିଛନ୍ତି। ସେହିପରି ଜିଲ୍ଲାପାଳ ଶ୍ରୀ ପରିଡ଼ା ବି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେବା ସହ ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଇଥିବା କହିଛନ୍ତି।