ଅସ୍ତରଙ୍ଗ : ଅସ୍ତରଙ୍ଗ ସମୁଦ୍ର କୂଳରେ ବିଷାକ୍ତ ବ୍ଲୁ-ଡ୍ରାଗନ୍ ଜୀବ ଶହ ଶହ ସଂଖ୍ୟାରେ ଦେଖିବାକୁ ମିଳିଛନ୍ତି। ଗୁରୁବାର ଅପରାହ୍ଣରେ ଜଣେ ମତ୍ସଜୀବୀ ଜଗବନ୍ଧୁ ବେହେରା ଓ ବନ୍ୟପ୍ରାଣୀ ସୁରକ୍ଷା କର୍ମୀ ବିଚିତ୍ରାନନ୍ଦ ବିଶ୍ବାଳ ପୀର ଜାହାନିଆଁ ବେଳାଭୂମି ନିକଟକୁ ଲାଗିଥିବା ଗୁଣ୍ଡଳବା ବେଳାଭୂମିରେ ବୁଲୁଥିବା ବେଳେ ବହୁ ସଂଖ୍ୟକ ବ୍ଲୁ ଡ୍ରାଗନ୍ ଦେଖିବା ପରେ ଏହା ପ୍ରକୃତରେ କଣ ସେ ସମ୍ପର୍କରେ ସାମୁଦ୍ରିକ ଗବେଷକଙ୍କୁ ସୂଚନା ଦେଇଥିଲେ।
କୁହାଯାଉଛି ଯେ ଜଳବାୟୁ ପରିବର୍ତ୍ତନ ଯୋଗୁ ତାପମାତ୍ରା ଦିନକୁ ଦିନ ବୃଦ୍ଧିପାଇ ସାମୁଦ୍ରିକ ପରିସଂସ୍ଥା ଉପରେ ପ୍ରଭାବ ପଡୁଛି। ଏହି କାରଣରୁ ଅନେକ ସମୟରେ ବ୍ଲୁ ବଟନ, ଡଲଫିନ, ତିମି ମାଛ ପ୍ରଭୃତି ମୃତ ଓ ଅସହାୟ ଅବସ୍ଥାରେ ଭାସିଆସି ସମୁଦ୍ର କୂଳରେ ଲାଗିବା ନଜୀର ରହିଛି ବୋଲି ସ୍ଥାନୀୟ ପରିବେଶ କର୍ମୀ ସୌମ୍ୟରଞ୍ଜନ ବିଶ୍ୱାଳ କହନ୍ତି। ଅସ୍ତରଙ୍ଗ ଉପକୂଳରେ ପ୍ରଥମ ଥର ପାଇଁ ଦେଖାଯାଇଥିବା ଏହି ଜୀବ ଦେଖିବାକୁ ସୁନ୍ଦର ହେଲେ ମଧ୍ୟ ବହୁତ ବିଷାକ୍ତ। ଏହାକୁ ଛୁଇଁବା ବିପଦର କାରଣ ବୋଲି ପରିବେଶ କର୍ମୀ ଶ୍ରୀ ବିଶ୍ୱାଳ ସ୍ଥାନୀୟ ମତ୍ସଜୀବୀ ଓ ସମୁଦ୍ର କୂଳକୁ ଯାଉଥିବା ପର୍ଯ୍ୟଟକମାନଙ୍କୁ ସଚେତନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/astaranga.jpg)