ପୁରୀ ବେଳାଭୂମିରେ ବିଷାକ୍ତ ଜେଲି ଫିସ୍‌ : ଅଲିଭ୍‌ ରିଡ୍‌ଲେଙ୍କ ସଂଖ୍ୟା ହ୍ରାସର କାରଣ, ପରିବେଶ ଅସନ୍ତୁଳନର ପୂର୍ବାଭାସ

ପୁରୀ : ପୁରୀ ବେଳାଭୂମିରେ ଏବେ ଶତାଧିକ ସଂଖ୍ୟାରେ ବ୍ଲୁ ବଟନ୍‌ ଜେଲି ଫିସ୍‌ (ଏକପ୍ରକାର ସାମୁଦ୍ରିକ ବିଷାକ୍ତ ମାଛ) ମରି ପଡ଼ିଥିବା ଦେଖିବାକୁ ମିଳିଛି। ପୁରୀ ବେଳାଭୂମିରେ ଶତାଧିକ ସଂଖ୍ୟାରେ ଜେଲି ଫିସ୍‌ ମରିପଡ଼ିବା ଓ କୂଳରେ ଭାସିବା ପର୍ଯ୍ୟଟକ ତଥା ମତ୍ସ୍ୟଜୀବୀଙ୍କ ପ୍ରତି ବିପଦ ସୃଷ୍ଟି କରିଛି। ଏହା ବିରଳ ଅଲିଭ୍‌ ରିଡ୍‌ଲେ କଇଁଛଙ୍କର ମୁଖ୍ୟ ଖାଦ୍ୟ। ଫଳରେ, ଏହି ଘଟଣା ଅଲିଭ୍‌ରିଡଲେ ସଂଖ୍ୟା ହ୍ରାସକୁ ନେଇ ସନ୍ଦେହ ସୃଷ୍ଟି କରିଛି।

ବ୍ଲୁ ବଟନ୍‌ ଜେଲି ଫିସ୍‌ର ବୈଜ୍ଞାନିକ ନାମ ହେଉଛି ‘ପୋର୍‌ପିଟା ପୋର୍‌ପିଟା’। ଏଭଳି ସାମୁଦ୍ରିକ ଜୀବ ମୁଖ୍ୟତଃ ଭୂମଧ୍ୟ ସାଗର ଅଞ୍ଚଳରେ ଦେଖାଯାଆନ୍ତି। ଯେଉଁ ଅଞ୍ଚଳରେ ଅତ୍ୟଧିକ ଗରମ ଅନୁଭୂତ ହୁଏ ଏହି ସାମୁଦ୍ରିକ ମତ୍ସ୍ୟ ସେହି ଅଞ୍ଚଳରେ ରହିବାକୁ ପସନ୍ଦ କରନ୍ତି। କିନ୍ତୁ ଓଡ଼ିଶା ସମୁଦ୍ର ତଟବର୍ତୀ ଅଞ୍ଚଳରେ ଏମାନେ ଦେଖାଯିବା ପରିବେଶ ଅସନ୍ତୁଳନର ଆଭାସ ଦେଉଛି। ବିଗତ କିଛି ବର୍ଷ ଧରି ବାୟୁମଣ୍ଡଳ ଉତ୍ତପ୍ତ ହେବା ସାଙ୍ଗକୁ ପରିବେଶ ପ୍ରଦୂଷଣ ବି ବଢ଼ିଚାଲିଛି। ଏହି କାରଣରୁ ବ୍ଲୁ ବଟନ୍‌ ଜେଲି ଫିସ୍‌ମାନେ ଏଠାକୁ ଚାଲି ଆସିଥିବା ଅନୁମାନ କରାଯାଉଛି। ଏ ସଂପର୍କରେ ପୁରୀ ଜିଲ୍ଲା ସହକାରୀ ମତ୍ସ୍ୟ ସଂପଦ ଅଧିକାରୀ (ସାମୁଦ୍ରିକ) ପ୍ରକାଶ ତ୍ରିପାଠୀ କହିଛନ୍ତି, ଏହି ପ୍ରଜାତିର ମାଛ ଅଲିଫ୍‌ ରିଡ୍‌ଲେ କଇଁଛଙ୍କ ମୁଖ୍ୟ ଖାଦ୍ୟ। ଯେହେତୁ ଏମାନେ ପୁରୀ ବେଳାଭୂମିରେ ଦେଖା ଯାଉଛନ୍ତି ସେଥିରୁ ଅନୁମାନ କରାଯାଉଛି ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ସଂଖ୍ୟାରେ ହ୍ରାସ ଘଟିଛି। ତେବେ ଏତେ ସଂଖ୍ୟାରେ ବ୍ଲୁ ବଟନ୍‌ ଜେଲି ଫିସ୍‌ ମରିପଡ଼ିବାର କାରଣ ଜଳ ପ୍ରଦୂଷଣ ହୋଇପାରେ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ଦେଶ ବିଦେଶରୁ ପୁରୀ ବେଳାଭୂମିକୁ ଦୈନିକ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଆସୁଛନ୍ତି। ପର୍ଯ୍ୟଟକମାନେ ସମୁଦ୍ରରେ ଗାଧୋଇବାର ମଜା ନେବା ସହ ବେଳାଭୂମିର ଅପରୂପ ସୌନ୍ଦର୍ଯ୍ୟକୁ ଉପଭୋଗ କରୁଛନ୍ତି। ଏଭଳି ପରିସ୍ଥିତିରେ ବ୍ଲୁ ବଟନ୍‌ ଭଳି ଜେଲି ଫିସ୍‌ ପର୍ଯ୍ୟଟକଙ୍କ ପାଇଁ ବିପଦ ସୃଷ୍ଟି କରିଛି। ଯଦି ଏହାର ପ୍ରତିକାର କରାନଯାଏ ତେବେ ଆଗକୁ ଏହି ବିପଦ ଭୟଙ୍କର ରୂପ ନେବାର ଆଶଙ୍କା ଦେଖାଦେଇଛି।

ସମ୍ବନ୍ଧିତ ଖବର