ପୋଲାଭରମ୍ ଯୋଗୁଁ ଓଡ଼ିଶାର ଦୁଃଖ ବଢିଲା: ସିପିଆଇ

ସିପିଆଇ(ଏମ)ର ପ୍ରତିନିଧି ଦଳ ବନ୍ୟାଞ୍ଚଳ ଗସ୍ତ

ମାଲକାନଗିରି: ଜିଲ୍ଲାର ମୋଟୁ ଅଂଚଳ ଚଳିତ ବର୍ଷା ବିତ୍ପାତରେ ବହୁ କ୍ଷତିଗ୍ରସ୍ତ ହୋଇଛି। ତେବେ ସିପିଆଇ(ଏମ)ର ଏକ ପ୍ରତିନିଧି ଦଳ ମୋଟୁ ଅଂଚଳ ଗସ୍ତ କରିଛି। ରାଜ୍ୟ ସଂପାଦକ ଅଳି କିଶୋର ପଟନାୟକ, ଜିଲ୍ଲା ସଂପାଦକ ବ୍ରଜ ମାଝିଙ୍କ ସମେତ କୃଷ୍ଣ ପାଣ୍ଡି, ଧବଲୁ ବେହେରା, ମଙ୍ଗୁ ମାଟାମ ତଥା ବହୁ ନେତା ଏବଂ କର୍ମୀ ସେଠାରେ ପହଞ୍ଚି ଲୋକଙ୍କ ଦୁଃଖ ବୁଝିଥିଲେ। ପୋଲାଭରମ ଯୋଗୁଁ ଆଜି ମାଲକାନଗିରିର ଦୁଃଖ ବଢିଥିବା କହିଥିଲେ। ପଡୋଶୀ ଆନ୍ଧ୍ର ସରକାର ଗୋଦାବରୀ ନଦୀ ଉପରେ ନିର୍ମାଣ କରୁଥିବା ବୃହତ୍ତମ ବହୁମୁଖୀ ଜଳପ୍ରକଳ୍ପ ଯୋଗୁଁ ଓଡିଶାର ମାଲକାନଗିରି ଜିଲ୍ଲା ବହୁ କ୍ଷତି ସହିବ ବୋଲି ଯାହା ଆଶଂକା କରାଯାଉଥିଲା ତାହା ଘଟିଛି।

ଗତମାସରେ ସାତ ଦିନ ବର୍ଷାରେ ମୋଟୁ ଅଂଚଳର ବିନାୟକପୁର, ପେଟା, କୋତାଗୁଡା, ଆଲମା, ମୁରଲୀଗୁଡା, ଉରୁବେରୀ ସହ ପୋଟେରୁ, ସିଲେରୁ ଓ ସାବେରୀ ନଦୀ ନିକଟ ଅଂଚଳଗୁଡିକ ସଂପୂର୍ଣ୍ଣ ଜଳମଗ୍ନ ହୋଇଯାଇଛି। ପ୍ରକଳ୍ପର ୭୦ ଭାଗ ଏବେ ସରିଛି। ତେବେ ପ୍ରକଳ୍ପ ପୂର୍ଣ୍ଣାଙ୍ଗ ହେଲେ ଆହୁରି ବହୁ କ୍ଷତି ସହିବ ବୋଲି କୁହାଯାଇଛି। ବନ୍ୟା ହେବା ଫଳରେ ଶତାଧିକ ଗ୍ରାମ ଜଳମଗ୍ନ ହେବା ସହ ହଜାର ହଜାର ହେକ୍ଟର ଜମି କ୍ଷତିଗ୍ରସ୍ତ ହେବ ବୋଲି ନେତାମାନେ କହିଥିଲେ। ଜିଲ୍ଲାରେ ପ୍ରବାହିତ ହେଉଥିବା ସିଲେରୁ ଓ ସାବେରୀ ନଦିରେ ଗୋଦାବରୀ ନଦୀର ପଛୁଆ ପାଣି ମିଶିବା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି।

ଜିଲ୍ଲାର ଛୋଟ ବଡ ନଦୀ ସହ କୋରାପୁଟ ଜିଲ୍ଲାର କୋଲାବ ନଦୀର ଜଳ ମଧ୍ୟ ଏହି ନଦୀରେ ମିଶିବା ଯୋଗୁଁ ସ୍ଥିତି ଆହୁରି ସଂଗୀନ ହୋଇଯାଉଛି। ମାଲକାନଗିରି ଜିଲ୍ଲା ଆଦବାସୀ ଅଧ୍ୟୁଷିତ ଜିଲ୍ଲା ହୋଇଥିବା ଯୋଗୁଁ ତୁରନ୍ତ ଏହି ଆଦିବାସୀମାନଙ୍କର କ୍ଷତିପୂରଣ ବାବଦକୁ ସମସ୍ତ ଟଂକା ପ୍ରଦାନ କରାଯାଉ ବୋଲି ଦାବି କରାଯାଇଛି। ରାଜ୍ୟ ସରକାର ପୋଲାଭରମ ଡ୍ୟାମର ଉଚ୍ଚତାକୁ କମାଇବ, କ୍ଷୟକ୍ଷତିର ଭରଣା ପାଇଁ କ୍ଷତିପୂରଣ, ପଲ୍ଲୀସଭା ଓ ଜନଶୁଣାଣୀ ପାଇଁ ବ୍ୟବସ୍ଥା କରିବା ସଂଗେ ସଂଗେ ସର୍ବଦଳୀୟ ବୈଠକ ଆହ୍ବାନ କରିବାକୁ ପ୍ରତିନିଧି ଦଳଦାବି କରିଥିବା ରାଜ୍ୟ ସଂପାଦକ ଅଳି କିଶୋର ପଟନାୟକ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର