ଭୁବନେଶ୍ୱର : ଧର୍ମକୁ ଆଖିଠାର ନ୍ୟାୟରେ ରାଜ୍ୟ ସରକାର ଆନ୍ଧ୍ରର ‘ପୋଲାଭରମ୍’ ପ୍ରକଳ୍ପକୁ ବିରୋଧ କରୁଛନ୍ତି। କେନ୍ଦ୍ର ସରକାର ଓଡ଼ିଶା ଲୋକଙ୍କୁ ମରଣମୁହଁକୁ ଠେଲି, ଆନ୍ଧ୍ର ସରକାରଙ୍କ ହଁରେ ହଁ ଭରି ତାହାକୁ ଜାତୀୟ ପ୍ରକଳ୍ପର ମାନ୍ୟତା ଦେଇଛନ୍ତି। ଏଭଳି ଅଭିଯୋଗ କରି ‘ପୋଲାଭରମ୍ ପ୍ରକଳ୍ପ ବିରୋଧ ଅଭିଯାନ’ ଆଜି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ପ୍ରବଳ ବର୍ଷିଛି। ରାଜନୈତିକ ଉଦ୍ଦେଶ୍ୟ ପାଇଁ ଉଭୟ ସରକାର ଓଡ଼ିଶା ଓ ଓଡ଼ିଶାବାସୀଙ୍କ ସ୍ବାର୍ଥକୁ ବଳି ଦେଉଛନ୍ତି। ତେଣୁ ଆସନ୍ତା ୨୬ ତାରିଖରେ ରାଜଭବନ ସମ୍ମୁଖରେ ଏହା ବିରୋଧରେ ଧାରଣା ଓ ପ୍ରତିବାଦ ସଭା କରାଯିବ ବୋଲି ଅଭିଯାନ ସୂଚନା ଦେଇଛି। ଏହାବ୍ୟତୀତ, ମୋଟୁରେ ପରିସ୍ଥିତି ସ୍ୱାଭାବିକ ହେଲେ ଏକ ପ୍ରତିନିଧିଦଳ ସେଠାକୁ ଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହି ପ୍ରକଳ୍ପ ଯୋଗୁଁ ସୃଷ୍ଟି ହେଉଥିବା ଅସୁବିଧା ଓ ପ୍ରକଳ୍ପ ଉପରେ ସବିଶେଷ ବିବରଣୀ ସହ ଏକ ପତ୍ରିକା ପ୍ରକାଶ କରାଯିବା ସହ ବିଧାନସଭାରେ ଏ ପ୍ରସଙ୍ଗ ଉଠାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି।
ଆଜି ହୋଟେଲ୍ କେଶରୀରେ ଅନୁଷ୍ଠିତ ‘ଓଡ଼ିଶା ବଞ୍ଚାଅ ଅଭିଯାନ’, ‘ଲୋକନାୟକ ଜୟପ୍ରକାଶ ଅନ୍ତର୍ଜାତୀୟ ଅଧ୍ୟୟନ ବିକାଶ କେନ୍ଦ୍ର’, ‘ଓଡ଼ିଶା ନାଗରିକ ସମାଜ’, ‘ଆମ ଜନତା ଅଧିକାର’ର ମିଳିତ ଆନୁକୂଲ୍ୟରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଆବାହକ ବ୍ରଜକିଶୋର ତ୍ରିପାଠୀ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅତିଥିମାନେ ଅଭିଯୋଗ କରିଥିଲେ ଯେ ରାଜ୍ୟ ସରକାର ରାଜନୈତିକ ଲଢ଼େଇ ନଲଢ଼ି କେନ୍ଦ୍ର ସହ ସଲାସୁତୁରା ହୋଇ କାର୍ଯ୍ୟ କରୁଛନ୍ତି। ପ୍ରକଳ୍ପ ନ ସରୁଣୁ ଏହାର ପଛୁଆ ପାଣି ଏବେ ଓଡ଼ିଶାର ମୋଟୁ ସହ ମାଲକାନଗିରି ଓ ଅବିଭକ୍ତ କୋରାପୁଟର ବ୍ୟାପକ ଅଞ୍ଚଳରେ ଜଳପ୍ରଳୟ ସୃଷ୍ଟି କରିଛି। ସେମାନେ ସାଧାରଣ ଆଦିବାସୀ ହୋଇଥିବାରୁ ତାଙ୍କ ସ୍ୱାର୍ଥକୁ କେନ୍ଦ୍ର ଏବଂ ରାଜ୍ୟ ସରକାର ଗୁରୁତ୍ୱ ଦେଉନାହାନ୍ତି।
ଏହି ଆଲୋଚନାଚକ୍ରରେ ସିପିଏମ୍ର ରାଜ୍ୟ ସମ୍ପାଦକ ଅଳିକିଶୋର ପଟ୍ଟନାୟକ, ସାମ୍ବାଦିକ ରବି ଦାସ, ନାଗରିକ ସମାଜ ସଭାପତି ଲଳିତ ମୋହନ ପଟନାୟକ, ମହାନଦୀ ବଞ୍ଚାଅ ଆନ୍ଦୋଳନ ଆବାହକ ସୁଦର୍ଶନ ଦାସ, ସମାଜବାଦୀ ପାର୍ଟିର ସୁଦର୍ଶନ ପ୍ରଧାନ, ସୁରେଶ ପାଣିଗ୍ରାହୀ, ଜାତୀୟ ମାନବାଧିକାର କମିସନ୍ ସଦସ୍ୟ ମନୋଜ ଜେନା, ପରିବେଶବିତ୍ ଅଭୟ ସାହୁ, ଏନ୍ସିପି ରାଜ୍ୟ ସଭାପତି ବିକ୍ରମ ସ୍ୱାଇଁ, ଆର୍ପିଆଇ ସଭାପତି ଅବଦୁଲ ୱାଲି, ଓଡ଼ିଶା ଅଭିଭାବକ ମହାସଂଘ ଅଧକ୍ଷ ବାସୁଦେବ ଭଟ୍ଟ, ସହଅଧକ୍ଷ ପ୍ରସନ୍ନ ବିଷୋୟୀ, ପୂର୍ବତନ ବିଧାୟକ ରାଧାକାନ୍ତ ସେଠୀ, ଆମ ଜନତା ଅଧିକାର ସାଧାରଣ ସମ୍ପାଦକ ଲଲାଟେନ୍ଦୁ ମହାପାତ୍ର, ମହିଳା ଆତ୍ମନିର୍ଭର ଅଭିଯାନର ରୀନା ରାଉତରାୟ, ପ୍ରଭାସ ସାମନ୍ତରାୟ, ସିପିଆଇ ବିଧାୟକ ଅଶୋକ ପ୍ରଧାନ, ଦିଲ୍ଲୀପ ସାବତ, ଲୋକନାୟକ ଜୟପ୍ରକାଶ ନାରାୟଣ, ଅନ୍ତଃରାଷ୍ଟ୍ରୀୟ ଅଧ୍ୟୟନ କେନ୍ଦ୍ର ଆବାହକ ବଜ୍ରାଦିତ୍ୟ ତ୍ରିପାଠୀ, ନିରୁପମା ରଥ, ଅପର୍ଣ୍ଣା ନାୟକ, ଅବଦୁଲ କଲାମ ଆଜାଦ, ନଗେନ୍ଦ୍ରନାଥ ମିଶ୍ର, ହେମନ୍ତ କୁମାରଙ୍କ ସମେତ ବିଭିନ୍ନ ରାଜନୈତିକ ଦଳ, ଗଣସଂଗଠନ, ଜଳ ବିଶେଷଜ୍ଞ, ବୁଦ୍ଧିଜୀବୀ ଯୋଗଦେଇ ପୋଲାଭରମ ପ୍ରକଳ୍ପ ଏବଂ ଓଡ଼ିଶା ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/polavaram.jpg)