ଭୁବନେଶ୍ବର: କେନ୍ଦ୍ର ସରକାର ବଜେଟରେ ପୋଲାଭରମ ପ୍ରକଳ୍ପ ପାଇଁ ୧୫ହଜାର କୋଟି ବ୍ୟବୟରାଦ କରିବା ପରେ ପ୍ରକଳ୍ପ କାମ ଦ୍ରୁତ ଗତିରେ ଆଗେଇଛି। ଏହା ୨୦୨୬ ଫେବ୍ରୁଆରି ସୁଦ୍ଧା ଶେଷ ହେବାର ଲକ୍ଷ୍ୟ ରହିଛି। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ରାଜ୍ୟର ମାଲକାନଗିରି ଜିଲ୍ଲାର ପ୍ରାୟ ୨ଶହ ଗାଁ ଜଳମଗ୍ନ ହେବ। ପୋଲାଭରମ ପ୍ରକଳ୍ପ ଓଡ଼ିଶାର ବ୍ୟାପକ କ୍ଷତି କରିବ ବୋଲି ବିଜେଡି ପକ୍ଷରୁ କୁହାଯାଇଛି। ପୋଲାଭରମ ପ୍ରକଳ୍ପର ସ୍ଥିତିର ଅନୁଧ୍ୟାନ କରିବା ଲାଗି ବିଜେଡି ସଭାପତି ନବୀନ ପଟ୍ଟନାୟକ ଏକ କମିଟି ଗଠନ କରିଥିଲେ। ଏହି କମିଟି ମାଲକାନଗିରି ଓ ପୋଲାଭରମ ଅଞ୍ଚଳ ଯାଇ ବର୍ତ୍ତମାନର ସ୍ଥିତି ଅନୁଧ୍ୟାନ କରିବା ପରେ ବିଜେଡି ସଭାପତିଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି। ଏହି ଅବସରରେ ଶ୍ରୀ ପଟ୍ଟନାୟକ କହିଥିଲେ, ପ୍ରକଳ୍ପକୁ ସବୁ ସ୍ତରରେ ବିରୋଧ କରାଯିବ। ଆଦିବାସୀମାନଙ୍କ ସ୍ବାର୍ଥର ସୁରକ୍ଷା ପାଇଁ ବିଜେଡି ସବୁବେଳେ ପ୍ରାଥମିକତା ଦେଇଆସିଛି। ସେମାନଙ୍କ ହକ୍ ପାଇଁ ଦଳ ଲଢ଼େଇ ଜାରି ରଖିବ। 

Advertisment

    ଓଡ଼ିଶା ମାନଚିତ୍ରରୁ ନିଶ୍ଚିହ୍ନ ହୋଇଯିବ ମୋଟୁ ଅଞ୍ଚଳ
    ଆଦିବାସୀଙ୍କ ହକ୍‌ ପାଇଁ ବିଜେଡି ଲଢ଼େଇ ଜାରି ରଖିବ: ନବୀନ

ପରେ ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସମନ୍ବୟ କମିଟିର ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର କହିଥିଲେ, ମୁଖ୍ୟ ଡ୍ୟାମ୍‌ର ଟେଣ୍ଡର ହୋଇ ୱାର୍କ ଅର୍ଡର ଦିଆଯାଇଛି। ଡ୍ୟାମର ଉଚ୍ଚତା ୧୫୦ ମିଟରକୁ ବୃଦ୍ଧି ହେବା ପରେ ମାଲକାନଗିରିର ମୋଟୁ ଓ ପଡ଼ିଆ ଅଞ୍ଚଳର ୨ଶହ ଗ୍ରାମ ଜଳମଗ୍ନ ହେବ। ମୋଟୁ ଅଞ୍ଚଳ ଓଡ଼ିଶା ମାନଚିତ୍ରରୁ ନିଶ୍ଚିହ୍ନ ହୋଇଯିବ। ଏହି ପ୍ରକଳ୍ପ ଦ୍ବାରା ଆନ୍ଧ୍ରର ୭ଲକ୍ଷ ଏକର ଜମିରେ ଜଳସେଚନ, ୯୬୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ, ବିଶାଖାପାଟଣାକୁ ପାନୀୟ ଜଳ ଓ ଶିଳ୍ପକୁ ଜଳ ଯୋଗାଣ ହେବ। ମାତ୍ର ମାଲକାନଗିରିର ୩୦% ଅଞ୍ଚଳ ଜଳମଗ୍ନ ହୋଇଯିବ। ଏହି ପ୍ରକଳ୍ପକୁ ବିରୋଧ କରି ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଜଳ ସଂପଦ ମନ୍ତ୍ରୀଙ୍କୁ ଚିଠି ‌ଲେଖି ମାଲକାନଗିରି ବାସିନ୍ଦାଙ୍କୁ ନ୍ୟାୟ ଦେବାକୁ ଦାବି ରଖିଥିଲେ। ପ୍ରକଳ୍ପ ପାଇଁ ହେବାକୁ ଥିବା କ୍ଷୟକ୍ଷତିର ଆକଳନ ଓ ଏହାର ସମାଧାନ ହେବା ପର୍ଯ୍ୟନ୍ତ କାମ ବନ୍ଦ ରଖାଯାଉ। ଓଡ଼ିଶାର ସ୍ବାର୍ଥକୁ ଅଣଦେଖା କରି ପୋଲାଭରମ କାର୍ଯ୍ୟ ଆଗକୁ ବଢ଼ିଲେ ବିଜେଡି ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବ ବୋଲି ଶ୍ରୀ ମିଶ୍ର କହିଛନ୍ତି। 

ମୁଖପାତ୍ର ଭୃଗୁ ବକ୍ସିପାତ୍ର କହିଥିଲେ, ପୋଲାଭରମ ପାଇଁ ହଜାର ହଜାର ଆଦିବାସୀମାନେ ଜୀବନ ଜୀବିକା ହରାଇବେ। ମାତ୍ର ରାଜ୍ୟ ବିଜେପି ସରକାରଙ୍କ ନିରବତା, ରାଜ୍ୟର ୩ଜଣ କେନ୍ଦ୍ର ମନ୍ତ୍ରୀ ଓ ବିଜେପି ସାଂସଦ ଏ ପ୍ରସଙ୍ଗରେ ମୁହଁ ନ ଖୋଲିବା ଦୁର୍ଭାଗ୍ୟଜନକ। ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଥିଲେ, ପୋଲାଭରମ ପ୍ରକଳ୍ପ ସର୍ବୋଚ୍ଚ ନ୍ୟାୟାଳୟରେ ବିଚାରାଧୀନ ରହିଥିବା ନିକଟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାନସଭାରେ କହିଥିଲେ। ତେଣୁ ବିଚାରାଧୀନ ପ୍ରକଳ୍ପକୁ ବିଜେପି ସରକାର ଆର୍ଥିକ ଅନୁଦାନ ଦେଉଛନ୍ତି କିପରି ବୋଲି ସେ ପ୍ରଶ୍ନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସାଂସଦ ମୁନ୍ନା ଖାନ, ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ଝିନ୍ନ ହିକ୍‌କା ଓ ବିଧାୟକ ମନୋହର ରାନ୍ଧାରୀ ପ୍ରମୁଖ ଉପସ୍ଥିତ ଥିଲେ।