ବିଧାନସଭାରେ ବି ପୋଲାଭରମ୍ ଝଡ଼
ଉଦ୍ବେଗ ପ୍ରକାଶ କଲେ ବିଜେଡି, କଂଗ୍ରେସ ସଭ୍ୟ , ଗୃହ କମିଟି ନେଇ ପ୍ରଭାବିତ ଅଞ୍ଚଳ ଗସ୍ତ କରିବାକୁ ପ୍ରସ୍ତାବ
ଭୁବନେଶ୍ବର : ପୋଲାଭରମ୍ ପ୍ରକଳ୍ପରେ ଓଡ଼ିଶାର ବ୍ୟାପକ କ୍ଷୟକ୍ଷତି ହେବ। କିନ୍ତୁ କେନ୍ଦ୍ର ସରକାର ଓଡ଼ିଶାର ସ୍ବାର୍ଥ ପ୍ରତି ଆଖି ବୁଜି ଦେଇ ଏହି ପ୍ରକଳ୍ପକୁ ଆବଶ୍ୟକ ମଞ୍ଜୁରୀ ଓ ଅର୍ଥ ପ୍ରଦାନ କରିଚାଲିଛନ୍ତି। ହଜାର ହଜାର ଆଦିବାସୀଙ୍କ ଜୀବନ, ଜୀବିକା କେନ୍ଦ୍ରର ନଜରରେ ପଡ଼ୁ ନାହିଁ। ଆନ୍ଧ୍ରପ୍ରଦେଶ ସରକାର ବି କିଛି ଶୁଣିବା ଅବସ୍ଥାରେ ନାହାନ୍ତି। ମାମଲା ବିଚାରାଧୀନ ଥିଲେ ବି ତାହାକୁ କେହି ଖାତିର କରୁ ନାହାନ୍ତି।
ଆଜି ବିଧାନସଭାର ଶୂନ୍ୟକାଳରେ ପୋଲାଭରମ୍ ପ୍ରସଙ୍ଗ ଉଠାଇ ଏମିତି ଉଦ୍ବେଗ ପ୍ରକାଶ କରିଥିଲେ ବିଧାୟକ। ଉଭୟ ଶାସକ ବିଜେଡି ଓ ବିରୋଧୀ କଂଗ୍ରେସର ସ୍ବର ଏକ ଥିଲା। ଆଗ ମାଟି, ପରେ ପାର୍ଟି ପାଇଁ କାମ କରିବାକୁ ସ୍ବର ଉଠିଥିଲା। ଆଜି ଆଲୋଚନା ବେଳେ ଓଡ଼ିଶାର ଚରମ ଅବହେଳା ନେଇ ଆଉ ଗୋଟିଏ ସାଂଘାତିକ ତଥ୍ୟ ବି ଆସିଥିଲା। ୨୦୦୬ ମସିହାରୁ ପୋଲାଭରମ୍ ପ୍ରସଙ୍ଗରେ ଗୃହ କମିଟି ଗଠନ ହୋଇଥିଲେ ବି କମିଟି ଥରୁଟିଏ ପ୍ରଭାବିତ ଅଞ୍ଚଳ ଗସ୍ତ କରି ନାହିଁ ବୋଲି ଜଣାପଡ଼ିଥିଲା।
ପ୍ରଥମେ ବିଜେଡି ସଭ୍ୟ ଦେବୀ ପ୍ରସାଦ ମିଶ୍ର କହିଲେ, ପୋଲାଭରମ୍ ପ୍ରକଳ୍ପ ନିର୍ମାଣ ଦ୍ବାରା ଓଡ଼ିଶାର ମାଲକାନଗିରି ଜିଲ୍ଲାର ମୋଟୁ ତହସିଲ୍ର ୧୫ଟି ରାଜସ୍ବ ଗ୍ରାମ ଓ ୧୦ଟି ପଡ଼ା ଜଳମଗ୍ନ ହେବାର ଆଶଙ୍କା ରହିଛି। ୫ ହଜାରରୁ ଅଧିକ ଆଦିବାସୀଙ୍କ ସମେତ ୬୮୧୮ ଲୋକ ବିସ୍ଥାପିତ ହେବେ। ୭ ହଜାର ହେକ୍ଟର ଜମିରୁ ଅଧିକ ଜଳମଗ୍ନ ହେବ। ଓଡ଼ିଶା ପକ୍ଷରୁ ଏ ନେଇ କେନ୍ଦ୍ରରେ ପ୍ରତିବାଦ କରାଯିବା ସହ ସୁପ୍ରିମକୋର୍ଟରେ ମାମଲା ବିଚାରାଧୀନ ରହିଛି। ପ୍ରକଳ୍ପ କାମ ସ୍ଥଗିତ ରଖାଯିବାକୁ ବି ନିର୍ଦ୍ଦେଶ ଅଛି। କିନ୍ତୁ କେନ୍ଦ୍ର ସରକାର ତାହାକୁ ଉଲ୍ଲଂଘନ କରି କାର୍ଯ୍ୟବନ୍ଦ ଆଦେଶକୁ ଦୁଇ ବର୍ଷ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ଯୋଜନା କରୁଛନ୍ତି। ଉପା ଓ ଏନ୍ଡିଏ ସରକାର ଯିଏ ବି କ୍ଷମତାକୁ ଆସୁଛନ୍ତି, ଓଡ଼ିଶାର ସ୍ବାର୍ଥ ପ୍ରତି ଦୃଷ୍ଟି ଦେଉ ନାହାନ୍ତି। ଏହି ପ୍ରକଳ୍ପ ପାଇଁ ଉଭୟ ସରକାର ବିଭିନ୍ନ ସ୍ତରରେ ଆବଶ୍ୟକ ମଞ୍ଜୁରୀ ଦେଇଛନ୍ତି। ମୂଳ ଡିପିଆର୍ ସଂେଶାଧନ ମଧ୍ୟ ଏକାପାଖିଆ ଭାବେ କରାଯାଇଛି। ତେଣୁ ଗୃହରେ ଏ ନେଇ ଆଲୋଚନା କରାଯାଇ ସର୍ବସମ୍ମତି ପ୍ରସ୍ତାବ ଗ୍ରହଣ କରାଯାଉ।
କଂଗ୍ରେସ ସଭ୍ୟ ତାରାପ୍ରସାଦ ବାହିନୀପତି କହିଲେ, ପୋଲାଭରମ୍ରେ ବହୁ ଆଦିବାସୀ ଗ୍ରାମ ବୁଡ଼ିଯିବ। ଏହା ସେମାନଙ୍କ ଆବେଗର କଥା। ସେମାନେ ଏ ଯାଏ ଜାଣି ନାହାନ୍ତି ପ୍ରକଳ୍ପ ଦ୍ବାରା କେତେ ଘର ବୁଡ଼ିବ। ତେଣୁ ଗୃହରେ ଖାଲି କୁମ୍ଭୀର କାନ୍ଦଣା କାନ୍ଦିଲେ କିଛି ଲାଭ ହେବନି। ୨୦୦୬ ମସିହାରେ ଗୃହରେ ଏହି ପ୍ରସଙ୍ଗରେ ଆଲୋଚନା ହୋଇ ଗୃହ କମିଟି ଗଠନ ହୋଇଥିଲା। କିନ୍ତୁ କମିଟି ସେହି ଅଞ୍ଚଳକୁ ଗସ୍ତ କଲାନି। ବିଜେଡି ଖାଲି ରାଜନୀତି କରିବା ପାଇଁ ସେଠାକୁ ଯାଇ ଏକ ସଭା କରି କାମ ସାରିଦେଲା। ଏବେ ଚାଲନ୍ତୁ ସମସ୍ତେ ସେହି ଅଞ୍ଚଳକୁ ଯିବା। ହଜାର ହଜାର ଲୋକଙ୍କୁ ନେଇ କାମ ବନ୍ଦ କରିବା। ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ନେତା, ଆମ ନେତା, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମସ୍ତଙ୍କୁ ଡକାଯାଉ। ଆଗ ମାଟି, ପରେ ପାର୍ଟି। ପ୍ରଧାନମନ୍ତ୍ରୀଙ୍କୁ ସମୟ ମଗାଯାଉ। ଓଡ଼ିଶାର ଦାବି ଠିକ୍ ଭାବେ ଉପସ୍ଥାପନ କରାଯାଉ। ଶାସକ ଦଳ ସଭ୍ୟ ପ୍ରଫୁଲ୍ଲ ସାମଲ ଓ ଅରବିନ୍ଦ ଢାଲି ମଧ୍ୟ ଏ ନେଇ ଉଦ୍ବେଗ ପ୍ରକାଶ କରିଥିଲେ। ରାଜ୍ୟ ତଥା ଆଦିବାସୀଙ୍କ ସ୍ବାର୍ଥ ଦୃଷ୍ଟିରୁ ତୁରନ୍ତ ବିହିତ ପଦକ୍ଷେପ ନେବାକୁ ଦାବି କରିଥିଲେ।