ମାଲକାନଗିରି: ଚିତ୍ରକୋଣ୍ଡା ଜଳଭଣ୍ଡାର ଯୋଗୁଁ ଶହ ଶହ ପରିବାର ବିସ୍ଥାପିତ ହେଲେ। ଭିଟାମାଟି ଛାଡ଼ିବା ଯୋଗୁଁ ଯେଉଁ କ୍ଷତି ହୋଇଥିଲା ତାହାର ଭରଣା ଏଯାଏ ହୋଇପାରିନି। ଅନ୍ୟପଟେ ଆନ୍ଧ୍ରର ପୋଲାଭରମ ପ୍ରକଳ୍ପ ସମାନ ପରିସ୍ଥିତି ସୃଷ୍ଟି କରିବାକୁ ଯାଉଛି। ମାଲକାନଗିରି ଜିଲ୍ଲାର ଅନେକ ଗାଁକୁ ଏହି ମେଗା ପ୍ରକଳ୍ପ ସଂପୂର୍ଣ୍ଣ ବୁଡ଼ାଇବ। ଯାହାର ନମୁନା ଗତ କିଛି ବର୍ଷ ହେଲା ବାରମ୍ବାର ଦେଖିବାକୁ ମିଳୁଛି। ପ୍ରକଳ୍ପ ବର୍ତ୍ତମାନ ନିର୍ମାଣାଧୀନ ରହିଥିଲା ବେଳେ ବର୍ଷା ଦିନେ ଓଡ଼ିଶାର ଅନେକ ଗାଁକୁ ବୁଡ଼ାଉଛି। ପ୍ରକଳ୍ପ ସଂପୂର୍ଣ୍ଣ ହୋଇଗଲା ପରେ ପାଣି ବର୍ଷ ତମାମ ଗଚ୍ଛିତ ହୋଇ ରହିବ। ଯାହାଫଳରେ ଓଡ଼ିଶାର ଅନେକ ଜନବସତି ଏବଂ ଜଙ୍ଗଲ ଜଳମଗ୍ନ ବୋଲି ପରିବେଶବିତ୍ କହିଛନ୍ତି। ତେଣୁ ହଜାର ହଜାର ପରିବାର ପୁଣି ବିସ୍ଥାପିତ ହେବେ ବୋଲି ଆଶଙ୍କା କରିଛନ୍ତି।
ପୋଲଭରମ ପ୍ରକଳ୍ପକୁ ଆରମ୍ଭରୁ ବିରୋଧ କରାଯାଉଛି। ଓଡ଼ିଶା ସମେତ ଛତିଶଗଡ଼ ଏବଂ ତେଲେଙ୍ଗାନା ପ୍ରତିବାଦ ଜାରି ରଖିଛନ୍ତି। ତଥାପି ଆନ୍ଧ୍ର ଉପରେ କୌଣସି ଫରକ ପଡ଼ୁନି। ଏକତରଫା ନିଷ୍ପତ୍ତି ନେଇ ପ୍ରକଳ୍ପକୁ ତ୍ବରାନ୍ବିତ କରିଚାଲିଛି। ଏପରିକି ପ୍ରକଳ୍ପ ଯୋଗୁଁ ଆନ୍ଧ୍ରପ୍ରଦେଶର ଏକ ଲକ୍ଷରୁ ଊର୍ଦ୍ଧ୍ବ ଲୋକ ବିସ୍ଥାପିତ ହେବେ ବୋଲି ଆକଳନ କରାଯାଉଛି। ଯାହାକୁ ଆନ୍ଧ୍ର ସରକାର ଆଦୌ ଗୁରୁତ୍ବ ଦେଉନାହାନ୍ତି। ଇନ୍ଦିରା ସାଗର ଡ୍ୟାମ ନାମରେ ପରିଚିତ ପୋଲାଭର ପ୍ରକଳ୍ପ ଗୋଦାବରୀ ନଦୀରେ ନିର୍ମାଣ ହେଉଛି। ପ୍ରତିବର୍ଷ ମୌସୁମୀରେ ଏହି ପ୍ରକଳ୍ପ ମାଲକାନଗିରି ଜିଲ୍ଲାକୁ ବନ୍ୟା ନେଇ ଆସୁଛି। ଗତବର୍ଷ ଗୋଦାବରୀ ନଦୀର ପଛୁଆ ପାଣି ଯୋଗୁଁ ଶାଖା ନଦୀ ଗୁଡ଼ିକରେ ବନ୍ୟାଜଳ ପ୍ରବେଶ କରିଥିଲା। ଯାହା ପରବର୍ତ୍ତୀ ସମୟରେ ମାଲକାନଗିରି ଜିଲ୍ଲାର ଅନେକ ଗାଁକୁ ବାହ୍ୟଜଗତରୁ ବିଚ୍ଛିନ୍ନ କରିଥିଲା। ହଜାର ହଜାର ହେକ୍ଟର ଜମିରେ ପାଣି ପଶି ଫସଲ କ୍ଷତିଗ୍ରସ୍ତ ହୋଇଥିଲା। ପ୍ରତିବର୍ଷ ଗୋଦାବରୀ ନଦୀର ପଛୁଆ ପାଣି ଯୋଗୁଁ ସୀମାନ୍ତ ମୋଟୁ ଅଞ୍ଚଳ ସର୍ବାଧିକ କ୍ଷତିଗ୍ରସ୍ତ ହେଉଛି। ସେହିପରି ସିଲେରୁ ଓ ସାବେରୀ ନଦୀରେ ଆସୁଥିବା ବନ୍ୟାଜଳ ନିଷ୍କାସନ ନହୋଇ ଦିନ ଦିନ ଧରି ଜନବସତିରେ ଜମା ହୋଇ ରହୁଛି।
୧୯୭୮ ମସିହାରେ ଆନ୍ଧ୍ର ସରକାର ଅନ୍ତଃରାଜ୍ୟ ଚୁକ୍ତି ଅନୁସାରେ ପୋଲାଭରମ ପ୍ରକଳ୍ପ ପରିକଳ୍ପନା କରିଥିଲେ। ସେତେବେଳେ ଡ୍ୟାମ୍ର ଉଚ୍ଚତା ୧୫୦ଫୁଟ୍ କରିବାକୁ ଡିଜାଇନ ହୋଇଥିଲା। ତେବେ ୧୯୯୭ ମସିହାରେ ଡିଜାଇନ୍ ପରିବର୍ତ୍ତନ କରି ୧୮୨ ଫୁଟ୍ କରିବାକୁ ନିଷ୍ପତ୍ତି ନିଆଗଲା। ୩୨ଫୁଟ୍ ଉଚ୍ଚତା ବଢ଼ିବାରୁ ବିଭିନ୍ନ ମହଲରେ ବିରୋଧ ଆରମ୍ଭ ହେଲା। କିନ୍ତୁ କେନ୍ଦ୍ର ସରକାର ବିରୋଧକୁ ବେଖାତିର କରି ଜାତୀୟ ପ୍ରକଳ୍ପ ମାନ୍ୟତା ଦେଲେ। ତେଣୁ ନିର୍ମାଣ କାର୍ଯ୍ୟ ବର୍ତ୍ତମାନ ଦ୍ରୁତଗତିରେ ଚାଲିଛି। ଓଡ଼ିଶା ସରକାର ସୁପ୍ରିମକୋର୍ଟରେ ମକଦ୍ଦମା କରିଥିଲେ। ଅନ୍ୟପଟେ କେନ୍ଦ୍ର ସରକାର କ୍ଷତିଗ୍ରସ୍ତ ହେବାକୁ ଥିବା ରାଜ୍ୟ ନିମନ୍ତେ କ୍ଷତିପୂରଣ ଆବଶ୍ୟକତା ନାହିଁ ବୋଲି କୋର୍ଟରେ ସତ୍ୟାପାଠ ଦାଖଲ କଲେ। କେନ୍ଦ୍ର ସରକାରଙ୍କ ଯୁକ୍ତି ହେଲା ସିଲେରୁ ଓ ସାବେରୀ ନଦୀ କୂଳରେ ଆଡିବନ୍ଧି ନିର୍ମାଣ କରାଯିବ। ଯାହାଫଳରେ ଓଡ଼ିଶା କିମ୍ବା ଛତିଶଗଡକୁ କୌଣସି ବନ୍ୟାଜଳ ପଶିବ ନାହିଁ। ପ୍ରକଳ୍ପ ସଂପୂର୍ଣ୍ଣ ହେଲେ ଓଡ଼ିଶାର ୩୦ରୁ ଊର୍ଦ୍ଧ୍ବ ଗାଁ ଉପରେ ସିଧାସଳଖ ପ୍ରଭାବ ପଡ଼ିବ ବୋଲି ପ୍ରାଥମିକ ଆକଳନ କରାଯାଉଛି। ପରିମାଣ ଆହୁରି ଅଧିକ ହେବାର ମଧ୍ୟ ସମ୍ଭାବନା ରହିଛି। ଓଡ଼ିଶା, ଛତିଶଗଡ ଓ ତେଲେଙ୍ଗାନାର ୨୫୦ରୁ ଊର୍ଦ୍ଧ୍ବ ଗାଁ ସଂପୂର୍ଣ୍ଣ ବୁଡ଼ିଯିବ ବୋଲି କୁହାଯାଉଛି। ସେହିପରି ୭୬୫୬ ହେକ୍ଟର ଚାଷ ଜମି ଏବଂ ୫୫୩୮ ହେକ୍ଟର ସଂରକ୍ଷିତ ଜଂଗଲ ଜମି କ୍ଷତିଗ୍ରସ୍ତ ହେବା ନିଶ୍ଚିତ। ଆଗକୁ ବର୍ଷା ଦିନ ଆସୁଥିବାରୁ ଗତଥର ଭଳି ଏଥର ମଧ୍ୟ ମାଲକାନଗିରି ଜିଲ୍ଲାର ଅନେକ ଅଞ୍ଚଳ ବୁଡ଼ିବା ଥୟ ବୋଲି ଆଶଙ୍କା କରାଯାଉଛି।