ରାଉରକେଲା: ଅପରାଧୀଙ୍କୁ ନିୟନ୍ତ୍ରଣ କରିବା ଏବଂ ସେମାନଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ସହରର ବିଭିନ୍ନ ସ୍ଥାନରେ ପୁଲିସ ସହାୟତା କେନ୍ଦ୍ର ସ୍ଥାପନ କରାଯାଇଛି। କିନ୍ତୁ ଏହି କେନ୍ଦ୍ର ଗୁଡ଼ିକରେ ଅଧିକାଂଶ ସମୟରେ ତାଲା ଝୁଲିରହୁଛି। ଯେଉଁ ଉଦ୍ଦେଶ୍ୟ ନେଇ ଏସବୁ ତିଆରି ହୋଇଥିଲା ତାହା ପୂରଣ ହେଉନାହିଁ। କୌଣସି କାମ ପାଇଁ ସହାୟତା କେନ୍ଦ୍ରକୁ ଆସୁଥିବା ଲୋକେ ନିରାଶ ହୋଇ ଫେରୁଥିବା ଦେଖିବାକୁ ମିଳୁଛି।
ସୂଚନା ଅନୁଯାୟୀ, ରାଉରକେଲା ପୁଲିସ ପକ୍ଷରୁ ୨୦୨୧ ମସିହାରେ ସହର ଓ ସହର ଉପକଣ୍ଠର ୧୦ଟି ସ୍ଥାନରେ ପୁଲିସ ସହାୟତା କେନ୍ଦ୍ର ନିର୍ମାଣ ହୋଇଛି। କୌଣସି ଲୋକ ଥାନାକୁ ନଆସିଲେ ସହାୟତା କେନ୍ଦ୍ରରେ ତାଙ୍କ ସମସ୍ୟାର ତୁରନ୍ତ ସମାଧାନ କରିବା ଏହି କେନ୍ଦ୍ରର ଉଦ୍ଦେଶ୍ୟ ଥିଲା। ଏହା ସହ ରାଉରକେଲା ସହରର ପ୍ରବେଶ ପଥରେ ଚୋରି, ଡକାୟତି, ଦୁର୍ଘଟଣା ଆଦି ନିୟନ୍ତ୍ରଣ କରିବା ପାଇଁ ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ସବ୍ ମିଲ୍ ଛକ ଓ ଝିରପାଣି ଥାନା ଅନ୍ତର୍ଗତ କୋଏଲ୍ ବ୍ରିଜ୍ ଛକରେ ସ୍ଥାପନ କରାଯାଇଥିଲା ପୁଲିସ ସହାୟତା କେନ୍ଦ୍ର। କିନ୍ତୁ ଏହି ସହାୟତା କେନ୍ଦ୍ରରେ ଅଧିକାଂଶ ସମୟ ତାଲା ଝୁଲୁଥିବାର ଲୋକେ ଅଭିଯୋଗ କରିଛନ୍ତି। ଲୋକେ କୌଣସି କାମ ପାଇଁ ସହାୟତା କେନ୍ଦ୍ରକୁ ଆସୁଥିବା ବେଳେ ତାଲା ପଡ଼ିଥିବା ଦେଖି ନିରାଶ ହୋଇ ଫେରୁଛନ୍ତି।
ଅଭିଯୋଗ ସତ୍ତ୍ବେ ପୁଲିସ୍ ଏହା ଉପରେ ପଦକ୍ଷେପ ନେଉ ନଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ସବ୍ ମିଲ୍ ଛକ ଦେଇ ରାତି ଦିନ ଶହ ଶହ ସଂଖ୍ୟାରେ ଗାଡ଼ି ଚଳପ୍ରଚଳ କରୁଛି। ସବୁ ସମୟରେ ରାସ୍ତା ଜାମ୍ ହେବା ସହ ଦୁର୍ଘଟଣା ଘଟୁଛି। ଜନଗହଳିପୂର୍ଣ୍ଣ ଅଞ୍ଚଳ ହୋଇଥିବାରୁ ଦୁର୍ଘଟଣା, ଚୋରି, ଡକାୟତି ସହ ଆପରାଧିକ କାର୍ଯ୍ୟକଳାପ ମଧ୍ୟ ହେଉଛି। ସେହିଭଳି କୋଏଲ୍ ବ୍ରିଜ୍ ନିକଟରେ ଥିବା ସହାୟତା କେନ୍ଦ୍ରରେ ମଧ୍ୟ ସମାନ ଅବସ୍ଥା। ଦୁର୍ଘଟଣା ହେଉ କି ଚୋରି ଅବା ଛିନ୍ତାଇ ସବୁ ଉପରେ ପୁଲିସ ସହାୟତା କେନ୍ଦ୍ର ନଜର ରଖିବ ବୋଲି ପୂର୍ବରୁ କହାଯାଇଥିଲା। କନ୍ତୁ ତାହା ହେଉ ନାହିଁ। ମୁଖ୍ୟ କଥା ହେଉଛି, ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡକୁ ସେହି ରାସ୍ତା ସଂଯୋଗ କରୁଥିବାରୁ ସହରର ମୁଖ୍ୟ ଛକରେ ପୁଲିସ ସହାୟତା କେନ୍ଦ୍ରର ଯଥେଷ୍ଟ ଗୁରୁତ୍ବ ରହିଛି। ରାଉରକେଲା ସହରରେ ଅନେକ ଅସାମାଜିକ ଯୁବକ ଅପରାଧ ଘଟାଇ ଝାଡ଼ଖଣ୍ଡକୁ ଫେରାର ହେଉଥିବାର ଅନେକ ଉଦାହରଣ ମଧ୍ୟ ରହିଛି। ପୁଲିସ ସହାୟତା କେନ୍ଦ୍ର ଆରମ୍ଭ ହେବା ବେଳେ ଏସ୍ପି ସହରର ବିଭିନ୍ନ ପ୍ରବେଶ ପଥ ଉପରେ ଅଧିକ ଗୁରୁତ୍ବ ଦିଆଯିବ ବୋଲି କହିଥିଲେ। କିନ୍ତୁ ଏହିଭଳି ପ୍ରାୟ ସହାୟତା କେନ୍ଦ୍ରରେ ତାଲା ଝୁଲୁଛି କିମ୍ବା ଅଳ୍ପ ସମୟ ଖୋଲୁଛି। ଯାହାର କିଛି ଅର୍ଥ ନାହିଁ ବୋଲି ଅଭିଯୋଗ ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/09/a1783463-2d04-4e8b-80e7-9c4b78f2bc7d.jpeg)