ପୁଲିସ ଏଡିଜି, ବିଏସଏଫ୍‌ ଆଇଜିଙ୍କ ମାଲକାନଗିରି ଗସ୍ତ: ମାଓ ଦମନ ନେଇ ରୁଦ୍ଧଦ୍ବାର ବୈଠକ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଗସ୍ତରେ ପୁଲିସ ଗୁଇନ୍ଦା ବିଭାଗର ଏଡିଜି ସଞ୍ଜିବ ପଣ୍ଡାଙ୍କ ସମେତ ବିଏସଏଫ୍‌ ଆଇଜି ଡି.କେ.ଶର୍ମା, ଏସଆଇଡବ୍ଲୁର ଡିଆଇଜି ଅନିରୁଦ୍ଧ ସିଂ। ପ୍ରଥମେ ସ୍ବାଭିମାନ ଅଂଚଳ ଗସ୍ତ କରିବା ପରେ ଏମଭି-୩ ସ୍ଥିତ ବିଏସଏଫ୍‌ କ୍ୟାମ୍ପରେ ଓହ୍ଲାଇବା ପରେ ଏକ ରୁଦ୍ଧଦ୍ବାର ବୈଠକରେ ଯୋଗ ଦେଇଥିଲେ। ଏହି ବୈଠକରେ ବିଏସଏଫ ଡିଆଇଜି ଧିରେନ୍ଦ୍ର କୁମାର, କୋରାପୁଟ ଡିଆଇଜି ରାଜେଶ ପଣ୍ଡିତ, କୋରାପୁଟ ଏସପି ବରୁଣ ଗୁଣ୍ଟପାଲ୍ଲୀ ଏବଂ ମାଲକାନଗିରି ଏସପି ନିତିଶ ବାଦବାନୀ ପ୍ରମୁଖ ଉପସ୍ଥିତ ଥିଲେ।

ମାଲକାନଗିରିରେ ମାଓବାଦୀ ଗତିବିଧି କମିଥିଲେ ମଧ୍ୟ ଏହାକୁ କିପରି ଆଗକୁ ପୁଣି ନବଢେ ସେଥିପ୍ରତି ଦୃଷ୍ଟି ଦେବାକୁ ଆଲୋଚନା ହୋଇଥିଲା। ବିଏସଏଫ ଏବଂ ପୁଲିସର ମିଳିତ ଅପରେସନରେ ମାଓବାଦୀ ଏବେ ବେକଫୁଟକୁ ଚାଲିଯାଇଛନ୍ତି। ଜିଲ୍ଲାରର ସ୍ବାଭିମାନ ଅଂଚଳ ଏବଂ ମାଥିଲି ତୁଳସୀ ପାହାଡ ଅଂଚଳରେ ମାଓବାଦୀ ସକ୍ରିୟ ରହିଥିବା ବେଳେ ଏହି ଅଂଚଳରେ ଘନ ଘନ ଚଢାଉ କରିବା ସହ ମାଓ ଗତିବିଧି ଉପରେ ଗୁଇନ୍ଦା ବିଭାଗର ତିକ୍ଷଣ ନଜର ରହିବା ଦରକାର ବୋଲି କୁହାଯାଇଥିଲା।

ମାଲକାନଗିରି ଜିଲ୍ଲାରେ ଗୁଇନ୍ଦା ବିଭାଗର କାର୍ଯ୍ୟକୁ ପ୍ରଶଂସା କରାଯାଇଥିଲା। ଜିଲ୍ଲାରେ ରହିଥିବା ଗୁଇନ୍ଦା ବିଭାଗର ଅଧିକାରୀମାନଙ୍କ ଘନ ଘନ ସୂଚନା ଯୋଗୁଁ ଆଜି ଜିଲ୍ଲାରେ ମାଓବାଦୀ ଏକ ପ୍ରକାର ବିତାଡିତ ହୋଇଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ। ମାଓବାଦୀଙ୍କୁ ମୁଳପୋଛ କରିବାରେ ଗୁଇନ୍ଦା ପ୍ରମୁଖ ଭୁମିକା ଗ୍ରହଣ କରିଛି। ତେବେ ଗୁଇନ୍ଦା ଯେଭଳି କାମ କରୁଛି ଆଗକୁ ମଧ୍ୟ ସେଭଳି କାମ କରିବା ନେଇ ପରାମର୍ଶ ଦିଆଯାଇଥିବା ଜଣାପଡିଛି। ଏଥିସହ ନକ୍ସଲଙ୍କର ପ୍ରତ୍ୟେକ ଚାଲକୁ ଗୁଇନ୍ଦା ନଜର ରଖିବା ସହ ମାଓ ଦମନ ନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିଲା। ଛତିଶଗଡ ଏବଂ ଆନ୍ଧ୍ର ମାଓବାଦୀମାନେ ଏବେ ବି ଜିଲ୍ଲାର ବିଭିନ୍ନ ଦୁର୍ଗମ ଗ୍ରାମକୁ ଆସି ବୁଲୁଥିବା ସୂଚନା ମିଳୁଥିବାରୁ ଏହା ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଥିଲା। ତେବେ ଏହି ରୁଦ୍ଧଦ୍ବାର ବୈଠକରେ ବିଭିନ୍ନ ବିଷୟରେ ଆଲୋଚନା ହୋଇଥିବା ଜଣାପଡିଛି।

ସମ୍ବନ୍ଧିତ ଖବର