ପୁରୀ:‌ ପୁରୀ ଜିଲ୍ଲାରେ ବାଲିମାଫିଆଙ୍କ ଦୌରାତ୍ମ୍ୟ ଉପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ବାଲି ଚୋରି ଉପରେ ଚଢ଼ଉ ଜୋରଦାର କରିବାକୁ ଥାନା ଅଧିକାରୀମାନଙ୍କୁ ପୁରୀ ଆରକ୍ଷୀ ଅଧୀକ୍ଷକ ଡା. କେ. ବିଶାଳ ସିଂହଙ୍କ ନିର୍ଦ୍ଦେଶ ପରେ ବିଭିନ୍ନ ଥାନା ପକ୍ଷରୁ ବାଲି ଚୋରି ଧରପଗଡ଼କୁ ଜୋର୍‌ଦାର୍‌ କରାଯାଇଛି। ତିନିଦିନି ଭିତରେ ବାଲି ଚୋରି ନେଇ ଚନ୍ଦନପୁର ଓ ସଦର ଥାନାରେ ୫ରୁ ଅଧିକ ମାମଲା ରୁଜୁ ହୋଇଥିବା ବେଳେ ୬ଜଣରୁ ଅଧିକ ଗାଡ଼ି ମାଲିକ, ଡ୍ରାଇଭର ଗିରଫ ହୋଇଛନ୍ତି। ଆଗକୁ ଏ ନେଇ ମାମଲା ସଂଖ୍ୟା ବଢ଼ିବ ବୋଲି ପୁଲିସ ମହଲରେ ଚର୍ଚ୍ଚା ହେଉଛି।

Advertisment

ମିଳିଥିବା ସୂଚନା ମୁତାବକ, ବାଲି ଚୋରାଚାଲାଣ ନେଇ ଅଭିଯୋଗ ପରେ ଗତ ୪ ତାରିଖରେ ଚନ୍ଦନପୁର ଥାନା ପକ୍ଷରୁ ବିଭିନ୍ନ ଅଞ୍ଚଳରେ ଚଢ଼ଉ କରାଯାଇ ୩ଟି ମାମଲା(କେସ୍‌ ସଂଖ୍ୟା-୬୬/୨୦୨୩, ୬୭/୨୦୨୩ ଓ ୬୮/୨୦୨୩) ରୁଜୁ କରଯାଇଛି। ଏହି ଘଟଣାରେ ବାଲି ଚୋରି କରୁଥିବା ତିନିଟି ଟ୍ରାକ୍ଟର ଜବତ କରାଯାଇଛି। ଏହି ମାମଲାରେ ସମ୍ପୃକ୍ତ ୩ଜଣ ଗାଡ଼ି ମାଲିକ ଓ ୩ଜଣ ଡ୍ରାଇଭରଙ୍କୁ ବି ପୁଲିସ ଗିରଫ କରିଥିବା ଚନ୍ଦନପୁର ଥାନା ପୁଲିସ କହିଛନ୍ତି। ସେପଟେ ସଦର ଥାନା ପକ୍ଷରୁ ଚଢ଼ଉ ଜୋରଦାର କରାଯାଇଛି। ବାଲି ଚୋରି ଘଟଣାରେ ଥାନାରେ ଦୁଇଟି ମାମଲା ବି ରୁଜୁ ହୋଇଛି। ବାଲି ଚୋରି କରୁଥିବା ଗାଡ଼ି ସବୁକୁ ଜବତ କରାଯାଇଛି।

ସଦର ଥାନା ପୁଲିସ ସୂଚନା ମୁତାବକ, ଗିରଳ ଛକରୁ ବାଲି ଚୋରି କରୁଥିବା ଓଡି-୧୩ଇ-୮୪୮୨ ନମ୍ବର ଟ୍ରାକ୍ଟର ଜବତ କରାଯାଇଛି। ଏନେଇ ଦଫା ୩୭୯, ୨୧ ଏମଏମଡିଆର ଆକ୍ଟରେ ୩୮/୨୦୨୩ ମାମଲା ରୁଜୁ କରାଯାଇଛି। ସେହିଭଳି ବାଲି ଚୋରି କରୁଥିବା ଏକ ଟ୍ରାକ୍ଟର(ଓଡି-୧୩ପି-୩୩୭୬)କୁ କୋଇଲା ଅଡ଼ା ଛକରୁ ଧରାଯାଇଛି। ଏହି ଘଟଣାରେ ସଦର ଥାନାରେ ୩୭/୨୦୨୩ରେ ଏକ ମାମଲା ରୁଜୁ ହୋଇଛି। ଡ୍ରାଇଭର ଓ ଅନ୍ୟମାନେ ଫେରାର ହୋଇଯାଇଥିବା ବେଳେ ସେମାନଙ୍କୁ ଧରିବାକୁ ପୁଲିସ ଚଢ଼ଉ ଜାରି ରଖିଥିବା କହିଛି। ବାଲି ଚୋରି ସମ୍ପର୍କରେ ପୁରୀ ଆରକ୍ଷୀ ଅଧୀକ୍ଷକ ଡ. କେ. ବିଶାଳ ସିଂହ କହିଛନ୍ତି, ବହୁ ବାଲିଘାଟରୁ ବେଆଇନ୍‌ ବାଲି ଚୋରି ବନ୍ଦ ହୋଇଗଲାଣି। ତଥାପ ଯେଉଁ ଜାଗାରୁ ଏବେ ବେଆଇନ୍‌ ବାଲିଚାଲାଣ ଚାଲିଛି, ତାହା ଆମେ ଚିହ୍ନଟ କରିସାରିଛୁ। ଏଥିପାଇଁ ପ୍ରଶାସନ ଓ ପୁଲିସର ଏକ ଯୁଗ୍ମ ଟିମ୍‌ ଗଠନ ହେବ। ଆଗାମୀ ୧୫ ଦିନ ଧରି ଏହା ଉପରେ ଜୋର୍‌ଦାର୍‌ ଚଢ଼ଉ ହେବ ବୋଲି ଡ. ସିଂହ କହିଛନ୍ତି।

ସୂଚନାଯୋଗ୍ୟ, ଗତ କିଛି ମାସ ‌ହେବ ପୁରୀ ତହସିଲର ଶଙ୍କରପୁର ମୌଜା ଓ ବ୍ରହ୍ମଗିରି ତହସିଲର ସିପସରୁବାଲି ମୌଜାରୁ ବାଲିମାଫିଆମାନେ ଅବାଧ ବାଲି ଚୋରି କରିବାରେ ଲାଗିଛନ୍ତି। ଯେଉଁଥିପାଇଁ ସିପସରୁବାଲି ମୌଜା ଓ ଶଙ୍କରପୁର ମୌଜାରେ ଥିବା ପ୍ରାକୃତିକ ବାଲିବନ୍ତ ସବୁ ଖିନ୍‌ଭିନ୍‌ ହୋଇଗଲାଣି। ବାଲି ନେବାକୁ ମାଫିଆମାନେ ଜଙ୍ଗଲ ବି ନଷ୍ଟ କରିବାରେ ଲାଗିଛନ୍ତି। କେବଳ ପୁରୀ ଓ ବ୍ରହ୍ମଗିରି ତହସିଲ ନୁହେଁ, ସାରା ଜିଲ୍ଲାରେ ବି ବାଲି ଚୋରାଚାଲାଣ ବଢ଼ିବାରେ ଲାଗିଛି।