ଦେଢ଼ ବର୍ଷ ହେଲା ପଡ଼ିଛି ମଣିଷ ଖପୁରି: ପୁଲିସ୍, ବନ ବିଭାଗକୁ ଜଣାନାହିଁ

ଅମ୍ବାଭୋନା:  ଅମ୍ବାଭୋନା ଓ ଭଟଲି ବ୍ଳକ ସୀମାନ୍ତବର୍ତ୍ତୀ ସରୋଇଦମକ ବୁଢାରାଜା ଜଙ୍ଗଲ ଅନ୍ତର୍ଗତ ଢୋଲୋକୁସୁମ ଜଙ୍ଗଲ ଭିତରେ ମଣିଷ ଖପୁରି ଦେଖିବାକୁ ମିଳିଛି। ନକଟିଛପର ନୂଆଁ ରାସ୍ତା ଠାରୁ ତିନି ଶହ ମିଟର ଦୂରତାରେ ଅବସ୍ଥିତ ଢୋଲୋକୁସୁମ ଜଙ୍ଗଲରେ ଏହି ଖପୁରୀ ଦେଢ ବର୍ଷ ହେଲା ସ୍ଥାନୀୟ ଲୋକେ ଦେଖି ଆସୁଛନ୍ତି। କିନ୍ତୁ ପୁଲିସ୍‌ କିମ୍ବା ବନ ବିଭାଗ ଏହି ମାମଲା ସଂପର୍କରେ ଜାଣିନାହାନ୍ତି। ଗ୍ରାମବାସୀ କହିବା ଅନୁସାରେ, ଦେଢ ବର୍ଷ ତଳେ ଜଙ୍ଗଲ ଭିତରେ ଥିବା ନାଳାରେ ଜଣେ ଅଜଣା ମହିଳାଙ୍କ ଗଳିତ ଶବ ପଡ଼ି ରହିଥିଲା। ଶବ ପାଖରେ ତାଙ୍କ ଶାଢ଼ୀ, ଅନ୍ତଃବସ୍ତ୍ର, ଚପଲ ଏବଂ ବ୍ୟାଗ୍ ପଡ଼ି ରହିଥିଲା। କାଳକ୍ରମେ ଘଟଣାସ୍ଥଳରୁ ଏସବୁ ସାମଗ୍ରୀ ଗାଏବ୍‌ ହୋଇଯାଇଥିଲା। କେବଳ କାଦୁଅ ଭିଜା କମ୍ବଳ ଥିଲା। ସମ୍ଭବତଃ ଅପରାଧୀମାନେ କିଛି କାଣ୍ଡ ଘଟାଇ ପ୍ରମାଣ ନଷ୍ଟ ପାଇଁ ଏସବୁ କରିଥି‌ବେ ବୋଲି ଲୋକେ ‌ସନ୍ଦେହ କରୁଛନ୍ତି। ଜଙ୍ଗଲ ଭିତରେ ମାଟି ଚୁଳି ରହିଛି। ଚୁଲି ପାଖରେ ମହୁଳ ପୋଚ ପଡ଼ିଛି । ଏହି ଜଂଗଲ ନିଶା ମାଫିଆଙ୍କ ପେଣ୍ଠସ୍ଥଳୀ। ସେହିପରି ଅମ୍ବାଭୋନା ଓ ଭଟଲି ବ୍ଳକ ସୀମାନ୍ତବର୍ତ୍ତୀ ମାଁ ଘଣ୍ଟେଶ୍ବରୀରୁ ନକଟିଛପର ଜଙ୍ଗଲ ରାସ୍ତା ଜନଶୂନ୍ୟ ରହୁଥିବାରୁ ଏଠାରେ ବିଭିନ୍ନ ଅପରାଧିକ କାର୍ଯ୍ୟ ଲାଗି ରହୁଛି। ମହିଳା ଜଣକ ଏହାର ଶିକାର ହୋଇଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି। ପୁଲିସ୍‌ ମାମଲାର ଛାନ୍‌ଭିନ୍ କଲେ ମାମଲା ଉପରୁ ପରଦା ଉଠନ୍ତା ବୋଲି ସାଧାରଣରେ ମତପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର